ଓଡ଼ିଶା

ପିଲାଙ୍କ ମଧ୍ୟାହ୍ନ ଭୋଜନ ଖାଇଗଲେ କର୍ତ୍ତୃପକ୍ଷ

ଆସ୍କା: କୋଭିଡ ସମୟରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ମାଧ୍ୟହ୍ନ ଭୋଜନ ରୋଷେଇ ଖର୍ଚ୍ଚ ବାବଦକୁ ଆସିଥିବା ଟଙ୍କା ପ୍ରଦାନରେ ବ୍ୟାପକ ହେର ଫେର ଅଭିଯୋଗ ଆସିଛି। ଏହି ଟଙ୍କା ସରକାର ଦୀର୍ଘ ଦିନରୁ ସ୍କୁଲକୁ ପଠାଇଥିଲେ ବି ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକର ଅନେକ ସ୍କୁଲ କର୍ତ୍ତୃପକ୍ଷ ଏହାକୁ ପିଲାଙ୍କୁ ନ ଦେଇ ବାଟମାରଣା କରିଥିବାର ଅଭିଯୋଗ ହୋଇଛି।

କୋଭିଡ ସମୟରେ ସ୍କୁଲ ବନ୍ଦ ଥିଲା ବେଳେ ପିଲାଙ୍କ ମଧ୍ୟାହ୍ନଭୋଜନ ସକାଶେ ସରକାର କରିଥିଲେ ସ୍ୱତନ୍ତ୍ର ବ୍ୟବସ୍ଥା। ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ଦୈନିକ ୫ଟଙ୍କା୪୨ ପଇସା ଓ ଷଷ୍ଠରୁ ଅଷ୍ଟମ ଯାଏ ପିଲାଙ୍କ ମୁଣ୍ଡ ପିଛା ୮ଟଙ୍କା ୧୦ ପଇସା ହିସାବରେ ସିଧାସଳଖ ସ୍କୁଲ ଆକାଉଣ୍ଟକୁ ପଠାଇଥିଲେ। ତେବେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ରେ ସରକାରଙ୍କ ନିର୍ଦେଶ କୁ ଉଲଂଘନ କରାଯାଇ ଏହି ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ହୋଇଥିବା ସାମ୍ନାକୁ ଆସିଛି l ଏଠାରେ ଥିବା ଅନେକ ସ୍କୁଲରେ ବିଦ୍ୟାଳୟରେ ୨୦୨୧-୨୨ ଶିକ୍ଷାବର୍ଷରେ  ୨୩୭ଟି  କାର୍ଯ୍ୟଦିବସରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ ବାବଦକୁ ଚାରୋଟି ପର୍ଯ୍ୟାୟରେ ଆସିଥିଲା ଟଙ୍କା। ହେଲେ ଏହି ଟଙ୍କା ଛାତ୍ରଛାତ୍ରୀଙ୍କୁ ମିଳିଲାନି ଏ ଯାଏ। ସ୍କୁଲ ପରିଚାଳନା କମିଟି ବି ଏ ବାବଦରେ ଅଜ୍ଞ ରହିଥିବା ଦେଖିବାକୁ ମିଳିଛି।

ଭେଟନଇ ବାଳିକା ପ୍ରାଥମିକ ବିଦ୍ୟାଳୟରେ ଚାରୋଟି ପର୍ଯ୍ୟାୟରୁ ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ପର୍ଯ୍ୟାୟର ଟଙ୍କା ପିଲାଙ୍କୁ ଦିଆଯାଇଥିଲା ବେଳେ ତୃତୀୟ ପର୍ଯ୍ୟାୟର ମିଳିନି। ସେହିଭଳି ଆଲିପୁର ସ୍କୁଲରେ ଏ ଯାଏ ପିଲାଏ ଟଙ୍କା ପାଇନାହାନ୍ତି।

ପିଲାଙ୍କ ମଧ୍ୟାହ୍ନ ଭୋଜନ ଅର୍ଥ ହେରଫେର ମାମଲାର ତଦନ୍ତ ହେବା ଜରୁରୀ ବୋଲି ଦାବି ହେଉଛି।

ପୀତବାସ ଦାଶଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button