‘ସ୍କୁଲରେ ତାଲା, ରାସ୍ତାରେ ପିଲା’

ନବରଙ୍ଗପୁର : ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ । ରାସ୍ତା ଉପରେ ବସି ପାଠ ପଢ଼ିଲେ ପିଲା। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଶିକ୍ଷାଧିକାରୀଙ୍କ ଅଧୀନରେ ଥିବା ଖାଣ୍ଡା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।
ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଶିକ୍ଷାଧିକାରୀଙ୍କ ଅଧୀନରେ ଥିବା ଖାଣ୍ଡା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲା ସ୍କୁଲରେ ତାଲା ପକାଇ ରାସ୍ତାରେ ପାଠ ପଢିଲେ। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଶିକ୍ଷାଦାନ ଚାଲିଛି ଓ ମୋଟ ୧୦୧ ପିଲା ପାଠପଢିଛନ୍ତି। ତେବେ ଏହି ବିଦ୍ୟାଳୟରେ ଦୁଇଜଣ ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକ ରହିଥିଲେ। ସେଥିମଧ୍ୟରୁ ଜଣେ ଶିକ୍ଷକ ବଦଳି ହୋଇଥିବା ବେଳେ ଜଣେ ଶିକ୍ଷୟିତ୍ରୀ ଛୁଟିରେ ଅଛନ୍ତି। ବର୍ତ୍ତମାନ ଆଉ ଜଣେ ଶିକ୍ଷକ ଯୋଗ ଦେଇଛନ୍ତି। ବର୍ତ୍ତମାନ ଶିକ୍ଷକ ସଂଖ୍ୟା ୨ ରହିଥିବା ବେଳେ ବଦଳି ହୋଇଥିବା ଶିକ୍ଷକ ମନ୍ମଥ ବଙ୍ଗାଳୀଙ୍କୁ ଫେରାଇ ଆଣିବାକୁ ଦାବି କରିବା ସହ ଆଉ ଅଧିକ ଦୁଇଜଣ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି ଛାତ୍ର ଛାତ୍ରୀ।
ଅପରପକ୍ଷେ ଯେ ପର୍ଯ୍ୟନ୍ତ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକଙ୍କୁ ନିଯୁକ୍ତି ଦିଆ ନ ଯାଇଛି ସେ ପର୍ଯ୍ୟନ୍ତ ବିଦ୍ୟାଳୟର ତାଲା ଖୋଲା ଯିବନାହିଁ ବୋଲି ଚେତାବନୀ ଦେଇଛନ୍ତି ଅବିଭାବକ। ଅନ୍ୟପକ୍ଷରେ ବିଦ୍ୟାଳୟରେ ତାଲା ପଡ଼ିଥିବାରୁ ବିଦ୍ୟାଳୟର ବାହାରେ ରହିଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। ସେପଟେ ଘଟଣା ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଣାଇଥିଲେ ।ଏବଂ ସେ ଘଟଣା ସମ୍ପର୍କରେ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ..
ତେବେ ଦେଖିବାକୁ ବାକି ରହିଲା କେବେ ପିଲାମାନଙ୍କର ଦାବି ପୂରଣ ହୋଇ ପାଠପଢା ସ୍ବାଭାବିକ ହେଉଛି।
ସଞ୍ଜିତ ବିଶ୍ଵାସ