ଶ୍ରୀମୟୀଙ୍କୁ ଚେତାବନୀ- ସୀମାରେ ରୁହ

ଧୃତରାଷ୍ଟ୍ର ଓ ଭଣ୍ଡ ସନ୍ୟାସୀ ଉପାଖ୍ୟାନକୁ ନେଇ ଶ୍ରୀମୟୀ ମିଶ୍ରଙ୍କ ଉପରେ ଚିହିଁକି ଉଠିଛି ବିଜେଡି। ସୋସିଆଲ ମିଡିଆରେ ଶ୍ରୀମୟୀ ନାଁ ନ ନେଇ କ୍ରମାଗତ ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ଆଉ କାହାକୁ ବୁଝିବାକୁ ବାକି ନାହିଁ। ସେଥିଲାଗି ଆଗ ଶ୍ରୀମୟୀ ବୁଝିଯିବେ ବୋଲି ଫର୍ମାଟରେ ପକାଇବାକୁ ପ୍ରୟାସ ବିଫଳ ପରେ ଏବେ ତାଗିଦ୍ ଫର୍ମାଟ ଆପଣାଇଛି ଦଳ। ଜଣକ ପରେ ଜଣେ ଯୁବ ନେତା ଓ ନେତ୍ରୀଙ୍କୁ ଆଗକୁ ଛାଡ଼ି ଶ୍ରୀମୟୀଙ୍କୁ କାଉଣ୍ଟର କରିବା ସହ ଆଗକୁ ଦଳ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଇଙ୍ଗିତ କରିଦିଆଗଲାଣି। ସୋସିଆଲ ମିଡିଆ ପୋଷ୍ଟରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଛି ବିଜେଡି। ଶ୍ରୀମୟୀଙ୍କୁ କିଏ ଭଣ୍ଡ ମାତା କହିଲେଣି ତ କିଏ କହିଲାଣି ସେ ବୋଧେ କୁରୁ ସଭାକୁ ଯାଉଛନ୍ତି। ନାରୀ ସମ୍ମାନ ରକ୍ଷା ଲାଗି ଚେତିଯାଆନ୍ତୁ ବୋଲି କିଏ କହିଲାଣି।ଶ୍ରୀମୟୀଙ୍କ ବିବାଦୀୟ ଟ୍ୱିଟ୍ ଗ୍ରହଣୀୟ ନୁହେଁ। ଶ୍ରୀମୟୀ ଏତେ ଅସନ୍ତୁଷ୍ଟ କାହିଁକି। ଆଗକୁ ପରିସ୍ଥିତି ଭୟାବହ ହେବ। ଏଭଳି ଚେତାବନୀ ଦେଇଛନ୍ତି ଜଣକ ପରେ ଜଣେ ବିଜେଡି ନେତ୍ରୀ। କବିତା, ଭିଡ଼ିଓ ଓ ଫଟୋ ଜରିଆରେ ଦଳକୁ ଧମକାଇବା ବନ୍ଦ କରନ୍ତୁ ବୋଲି ତାଗିଦ୍ କରିଛନ୍ତି ଅଂଶୁ ତ୍ରିପାଠୀ ଓ ଇଲା ସ୍ୱାଇଁ। ସେପଟେ ଶ୍ରୀମୟୀଙ୍କ ଗତିବିଧି ଦଳବିରୋଧୀ ବୋଲି ସ୍ପଷ୍ଟ ସଙ୍କେତ ଦେଇସାରିଲାଣି ବିଜେଡି। ଦଳ କହିଛି, ଶୃଙ୍ଖଳା କମିଟି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଦଳକୁ କ୍ଷତି ପହଞ୍ଚାଇଲା ଭଳି କାମ କଲେ ପ୍ରଫୁଲ୍ଲ ମଲ୍ଲିକଙ୍କ ଭଳି ଦଶା ଭୋଗିବେ ଶ୍ରୀମୟୀ ବୋଲି କହିଛନ୍ତି ବିଜେଡି ବିଧାୟକ ସାରଦା ଜେନା। ଶ୍ରୀମୟୀଙ୍କ ଚରିତ୍ରସଂହାର ସହ ଭିଡ଼ିଓ ଭାଇରାଲ କରିବାକୁ ମନ୍ମଥ ରାଉତରାୟ ଧମକ ଦେଇଥିଲେ। ହେଲେ ଏଭଳି ମନ୍ତବ୍ୟକୁ ବି ଦଳ ଗ୍ରହଣ କରେନା ବୋଲି ଇଙ୍ଗିତ ଦେଇଛନ୍ତି ପ୍ରମିଳା ମଲ୍ଲିକ। ଏଭଳି ସ୍ଥିତିରେ ନୀରବ ରହିବେ ନା ଆଗକୁ ନିଜ ବାଟ କାଟିବେ ଶ୍ରୀମୟୀ, ତାକୁ ନେଇ ଚର୍ଚ୍ଚା ଚାଲିଛି। ଆଉ ଏତିକିବେଳେ ଶ୍ରୀମୟୀଙ୍କୁ ଆଗୁଆ ଅଫର୍ ଦେଇଛନ୍ତି ବାହିନୀପତି। କଂଗ୍ରେସକୁ ଆସିଲେ ଓ୍ୱେଲକମ୍ କରାଯିବ। ଶ୍ରୀମୟୀ ଜଣେ ଭଲ ଓ ସଚ୍ଚୋଟ ନେତ୍ରୀ ବୋଲି କହିଛନ୍ତି ବାହିନୀପତି। ଶ୍ରୀମୟୀଙ୍କୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଲଢ଼ିବାକୁ ମୈଦାନକୁ ଆଗ ଛାଡ଼ିଦେଇ ଯେଭଳି ଅଚାନକ ମନ୍ମଥଙ୍କୁ ଡାକିଆଣି ରାତିଅଧିଆ ଟିକଟ ଦେଲା ବିଜେଡି। ଆଉ ଶ୍ରୀମୟୀ ଅଚାନକ ମୈଦାନରୁ ଗାଏବ ହୋଇଗଲେ। ଆଉ ବିଜେଡି ବିପର୍ଯ୍ୟୟ ପରେ ଏଥିରେ ବ୍ୟଥିତ ଶ୍ରୀମୟୀଙ୍କ ରାଗ ଏବେ ସୋସିଆଲ ମିଡିଆରେ ନବୀନ-ପାଣ୍ଡିଆନ ଯୋଡ଼ି ଉପରେ ଦାଉ ସାଧୁଛି। କିଛି ଦିନ ତଳେ ବିଜୁ ମହିଳା ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିଲେ ବି ସେ ଗ୍ରହଣ କରିନାହାନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *