
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବିଭାଗୀୟ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ଏବଂ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ବିଭାଗୀୟ ସମୀକ୍ଷା ବୈଠକର ନିର୍ଯ୍ୟାସ ଓ ସଫଳତା ସମ୍ବନ୍ଧରେ ଗୀତ ଗୋବିନ୍ଦ ସଦନରେ ଏକ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ଉପସ୍ଥାପନ କରିଥିଲେ । ମନ୍ତ୍ରୀ ଶ୍ରୀ ଘଡେଇ କହିଲେ ଯେ ଭବିଷ୍ୟତର କୌଶଳ ଏବଂ ନୂତନ ଯୁଗର ପାଠ୍ୟକ୍ରମରେ ଦକ୍ଷତା ପ୍ରଦାନ ପାଇଁ ଓଡିଶା ବଜେଟ୍ ୨୦୨୩-୨୪ ରେ ନୂତନ ଉନ୍ନତ ଅଭିଳାଷ ଯୋଜନାରେ ୧୦୦ କୋଟି ଟଙ୍କା ଆବଂଟନ କରାଯାଇଥିଲା । କ୍ଲାଉଡ୍ କମ୍ପ୍ୟୂଟିଂ, ଆର୍ଟିଫିସିଆଲ୍ ଇେଂଟଲିଜେନ୍ସ, ଅଗମେେଂଟଡ୍ ରିଅଲିଟି-ଭର୍ଚୁଆଲ୍ ରିଅଲିଟି, ଡାଟା ସାଇନ୍ସ ଏବଂ ୩ଡି ପ୍ରିଂଟିଙ୍ଗ୍ ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଏକ ଲକ୍ଷ ଯୁବକଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିବାକୁ ଏହି ସ୍କିମ୍ ଲକ୍ଷ୍ୟ ରଖିଛି ।
ମନ୍ତ୍ରୀ କହିଛନ୍ତି ଯେ ଆଜି ୨୦,୦୦୦ ପ୍ରାର୍ଥୀ, ୩୪ ଟି ସରକାରୀ ପଲିଟେକ୍ନିକ୍ସ, ୮୨ ଟି ଦକ୍ଷତା ବିକାଶ କେନ୍ଦ୍ର, ୨ ଗୋଟି ପରିଚାଳନା ପ୍ରତିଷ୍ଠାନ, ୫ ଟି ଇଞ୍ଜିନିୟରିଂ କଲେଜ ଏବଂ ୩ ଟି ବୈଷୟିକ ବିଶ୍ୱବିଦ୍ୟାଳୟ ସହିତ ୬୦ ଟି ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଯୁବବର୍ଗଙ୍କୁ ଦକ୍ଷତା ଦେବା ପାଇଁ ପ୍ରତିବଦ୍ଧ । ଦେଶର ୧୦୦ ଟି ସର୍ବଶ୍ରେଷ୍ଠ ଆଇ.ଟି.ଆଇ ଅନୁଷ୍ଠାନ ମଧ୍ୟରୁ ଓଡିଶାର ୬ ଗୋଟି ଅନୁଷ୍ଠାନ ସ୍ଥାନିତ ହୋଇଛି । ଏଭଳି ଏକ ଦୃଢ ନେଟୱାର୍କ ପାଇଁ ରାଜ୍ୟ ଗର୍ବ ଅନୁଭବ କରିବା ସହିତ ଦେଶରେ ସ୍କିଲ୍-ଇନ୍-ଓଡିଶାର ମୂଳଦୁଆ ସ୍ଥାପିତ ହୋଇ ପାରିଛି ।ବିଭାଗର ବଜେଟ ଆର୍ôଥକ ବର୍ଷ ୨୦୧୯-୨୦ ରେ ୭୧୯ କୋଟିରୁ ବୃଦ୍ଧି ପାଇ ୨୦୨୨-୨୩ ରେ ୮୧୧.୦୦ କୋଟି ଏବଂ ୨୦୨୩-୨୪ ଆର୍ôଥକ ବର୍ଷରେ ବଜେଟରେ ୯୮୬.୨୫ କୋଟି ଟଙ୍କା ଆବଂଟନ କରାଯାଇଛି । ସୁଦକ୍ଷା ଯୋଜନାରେ ଶିଳ୍ପ ତାଲିମ କେନ୍ଦ୍ରମାନଙ୍କରେ ଛାତ୍ରୀମାନଙ୍କ ଯୋଗଦାନ ୨୦୧୬-୧୭ ରେ ୬ ପ୍ରତିଶତ ଥିବାବେଳେ ୨୦୨୩ରେ ଏହା ବୃଦ୍ଧି ପାଇ ୨୨.୫ ପ୍ରତିଶତରେ ପହଂଚିଛି ।
ଏହି ସଫଳତା ଉପରେ ଆଧାର କରି ବିଭାଗ ପଲିଟେକ୍ନିକ୍ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛୁକ ଛାତ୍ରୀମାନଙ୍କୁ ସୁଦକ୍ଷା ଯୋଜନାରେ ନାମ ଲେଖାଇବାକୁ ନିଷ୍ପତି ନେଇଛି । ଆବାସିକ ସୁବିଧା ପ୍ରଦାନର ଗୁରୁତ୍ୱପୂର୍ଣ ଆବଶ୍ୟକତାକୁ ସ୍ୱୀକାର କରି ୪୯ଟି ସରକାରୀ ଆଇଟିଆଇ ଏବଂ ୩୩ଟି ସରକାରୀ ପଲିଟେକ୍?ନିକରେ ହଷ୍ଟେଲ ଯୋଗାଇ ଦିଆ ସାରିଥିବାବେଳେ ଅବଶିଷ୍ଟାଂଶରେ ନିର୍ମାଣ କାର୍ଯ୍ୟ ଚାଲୁରହିଛି ।
ବୈଷୟିକ ବିଶ୍ୱବିଦ୍ୟାଳୟ, ସ୍ୱାସ୍ଥ୍ୟସେବା, ଡାଟା ଆନାଲିଟିକ୍ସ, ଗଣନା, ଅକ୍ଷୟ ଶକ୍ତି ଏବଂ ବୈଦ୍ୟୁତିକ ଯାନ ପରି ୧୬ ରୁ ଅଧିକ ଉତ୍କର୍ଷ କେନ୍ଦ୍ର ସେଂଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରା ଯାଇଛି । ଓଡିଶା ସ୍କିଲ୍ କନକ୍ଲେଭ ୨୦୨୩ ସମୟରେ, ଦେଶ ବାହାର ଓ ଭିତର ଅନୁଷ୍ଠାନଗୁଡ଼ିକ ସହିତ ୨୪ ରୁ ଅଧିକ ବୁଝାମଣା ପତ୍ର ସ୍ୱାକ୍ଷରିତ କରି ଏକ ସ୍ୱୀକୃତିପ୍ରାପ୍ତ ବ୍ରାଣ୍ଡ ଭାବରେ ସ୍କିଲ୍-ଇନ୍-ଓଡିଶାକୁ ପୁନଃ ପ୍ରମାଣିତ କରିଛି ।
ଟେକ୍ନୋଲୋଜିଚାଳିତ କୌଶଳର ଗୁରୁତ୍ୱକୁ ସ୍ୱୀକାର କରି ବିଭାଗ ଆଇଟିଆଇରେ ଇଂଟରନେଟ୍ ଅଫ୍ ଥିଙ୍ଗସ୍, ଡ୍ରୋନ୍ ଟେକ୍ନିସିଆନ୍, ଡ୍ରୋନ୍ ପାଇଲଟ୍, ସ୍ମାର୍ଟ ଏଗ୍ରିକଲ୍ଚର, ମେକାଟ୍ରୋନିକ୍ସ ଏବଂ ସ୍ମାର୍ଟ ସିଟି ସୋଲାର ଟେକ୍ନିସ ଭଳି ନୂତନ ଯୁଗର ବ୍ୟବସାୟ ଆରମ୍ଭ କରିଛି । ଆଇଟିଆଇ, ପଲିଟେକ୍ନିକ୍ସ, ଏବଂ ଇଞ୍ଜିନିୟରିଂ କଲେଜଗୁଡ଼ିକର ଛାତ୍ର ଏବଂ ଅଧ୍ୟାପିକାମାନଙ୍କ ମଧ୍ୟରେ ଡିଜିଟାଲ୍ ଟେକ୍ନୋଲୋଜିକୁ ପ୍ରୋତ୍ସାହିତ କରିବା ପାଇଁ, ପ୍ରତିଷ୍ଠିତ ଶିଳ୍ପ ସହ ସହଭାଗିତା କରି ୩୦,୦୦୦ ରୁ ଅଧିକ ଛାତ୍ର ଏବଂ ୩୦୦ ଅଧ୍ୟାପିକାଙ୍କ ପ୍ରଶିକ୍ଷଣକୁ ସହଜ କରିଛି ।
ବିଭାଗର ନିରନ୍ତର ଉଦ୍ୟମ ସ୍କିଲ୍-ଇନ୍-ଓଡିଶାକୁ ଏକ ବିଶ୍ୱ ବ୍ରାଣ୍ଡ ଭାବରେ ପରିଚିତ କରିଛି । ଓଡିଶାର କୁଶଳୀ ଯୁବକମାନେ ଜାତୀୟ ତଥା ଆନ୍ତର୍ଜାତୀୟ ଦକ୍ଷତା ପ୍ରତିଯୋଗିତାରେ ରାଜ୍ୟର ସମ୍ମାନ ଆଣିଛନ୍ତି । ଏକ ସମୃଦ୍ଧ ଭବିଷ୍ୟତ ପାଇଁ ଅନ୍ତର୍ଭୂକ୍ତି ତଥା ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ଦକ୍ଷତାକୁ ପ୍ରୋତ୍ସାହିତ କରିବାକୁ ଦକ୍ଷତା ବିକାଶ ବିଭାଗ ପ୍ରତିଶୃତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଘଡେଇ ପ୍ରକାଶ କରିଥିଲେ ।
ଏହି ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ପିପିଟି ମାଧ୍ୟମରେ ଯୋଜନାୱାରୀ ବିଭାଗର ସମୀକ୍ଷା କରିବା ସହ ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।