ରୋଗୀ ମୃତ୍ୟୁ ତନାଘନା – ମେଡିକାଲରେ ମନ୍ତ୍ରୀଙ୍କୁ ବିରୋଧ

କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୨୪ ଘଣ୍ଟା ଭିତରେ ୬ ରୋଗୀଙ୍କ ମୃତ୍ୟୁକୁ ନେଇ ଥମୁନି ବିବାଦ କି କମୁନି ରାଜନୀତି। ନର୍ସଙ୍କ ଭୁଲ ଇଞ୍ଜେକ୍ସନରୁ ଏଭଳି ମୃତ୍ୟୁକୁ ନେଇ ବୋବାଲ ପରିସ୍ଥିତି ସୃଷ୍ଟି ହୋଇଛି। ଏମକେସିଜି ଓ ଏସସିବିରୁ ଆସିଥିବା ୫ ଜଣିଆ ଟିମ୍ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ହସ୍ପିଟାଲରେ ପହଞ୍ଚିଛନ୍ତି। ତେବେ ମେଡିକାଲ କଲେଜରେ ପହଞ୍ଚିବା ମାତ୍ରେ ମନ୍ତ୍ରୀଙ୍କୁ ଦେଖି କଂଗ୍ରେସ କର୍ମୀ ପ୍ରବଳ ବିରୋଧ କରିଥିଲେ। ଏହାକୁ ନେଇ ସେଠାରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା। କଂଗ୍ରେସର କହିବା କଥା, ମନ୍ତ୍ରୀଙ୍କୁ ବିରୋଧ କରିନୁ। ଏଭଳି ସମ୍ୱେଦନଶୀଳ ଘଟଣାରେ କଂଗ୍ରେସ ମୁହଁ ଖୋଲିନଥିଲେ ମନ୍ତ୍ରୀ ଆସିନଥାଆନ୍ତେ। ନର୍ସ ଭୁଲ ଇଞ୍ଜେକ୍ସନ ଦେଇ ମାରିଦେଲେ। କିନ୍ତୁ ଆଇସିୟୁ ଓ୍ୱାର୍ଡରେ ରୋଗୀଙ୍କୁ ଭେଟିଲେ କି ମନ୍ତ୍ରୀ। ମାତ୍ର ୫ ମିନିଟରେ ଏତେ ବଡ଼ ମେଡିକାଲ ବୁଲି କଅଣ ଦେଖିଲେ ମନ୍ତ୍ରୀ। ମନ୍ତ୍ରୀଙ୍କୁ ପଚାରିଲେ ବି ଉତ୍ତର ନ ଦେଇ ଏଡ଼ାଇ ଚାଲିଗଲେ। ରୋଗୀ ମରୁଛନ୍ତି। ଟଙ୍କା ଲାଳସାରେ ବିଶାଖାପାଟଣାକୁ ରୋଗୀ ରେଫର କରିଦେଉଛନ୍ତି। କୌଣସି ଭିତ୍ତିଭୂମି ନାହିଁ। କେବଳ ନାମକୁ ମେଡିକାଲ କଲେଜ। ସ୍ଥାନୀୟ ବିଧାୟକ ବି ଆଜି ଯାଏଁ ପାଦ ପକାଇନାହାନ୍ତି ମେଡିକାଲରେ। ଏତେବଡ଼ ସମ୍ୱେଦନଶୀଳ ଘଟଣାରେ ଆଜି କେମିତି ମନ୍ତ୍ରୀଙ୍କ ସହ ମିଡିଆରେ ମୁହଁ ଦେଖାଇବାକୁ ବିଧାୟକ ରଘୁରାମ ମାଛ ଚାଲିଆସିଲେ ବୋଲି ଗର୍ଜିଛି କଂଗ୍ରେସ। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା, ଭିତ୍ତିଭୂମି ସଜାଡିବା, ପର୍ଯ୍ୟାପ୍ତ ଆଇସିୟୁ ନଥିବା କଥା ଶୁଣିଲେନି ସରକାର। ମନ୍ତ୍ରୀ କେବଳ ରାଜନୈତିକ ଉଦ୍ଦେଶ୍ୟରେ ଆସି ବାହାବା ନେବାକୁ ଆସିଥିଲେ। ବିଜେପି କର୍ମୀ ଦାଦାଗିରି ଲାଗି ଆସିଥିଲେ। ବିକ୍ଷୋଭ ଉଦ୍ଦେଶ୍ୟ ଥିଲେ ସରକାର ବିରୁଦ୍ଧରେ ନାରାବାଜି କରିଥାଆନ୍ତା କଂଗ୍ରେସ। ନିମ୍ନମାନର ଇଞ୍ଜେକ୍ସନ, ଔଷଧ ଦିଆଯାଉଛି। ଶବ ବ୍ୟବଛେଦ ଲାଗି ହଜାର ହଜାର ଟଙ୍କାର ଉତ୍କୋଚ ଦିଆଯାଉଛି। ବ୍ଲଡବ୍ୟାଙ୍କରେ ରକ୍ତ ମିଳୁନି। ଶବ ବୁହା ଗାଡ଼ି ଲାଗି ଦଲାଲି ଚାଲିଛି। ମୋବାଇଲ ଦେଖି ଡାକ୍ତର ଚିକିତ୍ସା କରୁଛନ୍ତି। ଆଗକୁ କାହାକୁ ମେଡିକାଲ ମାଟି ମଡ଼ାଇଦେବୁନି ବୋଲି କହିଛନ୍ତି ପୂର୍ବତନ ବିଧାୟକ ନିମାଇଁ ସରକାର ଓ କଂଗ୍ରେସ ନେତା ରୁପକ ତୁରୁକ ପ୍ରମୁଖ। ସ୍ୱାସ୍ଥ୍ୟମନ୍ତ୍ରୀ ସର୍ଜରୀ ଓ ଆଇସିୁ ଓ୍ୱାର୍ଡକୁ ଯାଇ ସମୀକ୍ଷା କରିଥିଲେ। ୫ ଜଣିଆ ଟିମର ତଦନ୍ତ ରିପୋର୍ଟ ଆସିବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ। ସମସ୍ତ ୬ଟି ମାମଲାର ଗୋଟି ଗୋଟି କରି ତନାଘନା କରିବେ। ୬ଟି ମାମଲାରୁ ଜଣେ ଗୁରୁତର କ୍ୟାନସର ରୋଗୀ ଥିଲେ। ଦୁଇଟି ଛୁରୀ ମାଡ଼ ମାମଲା ଥିଲା। ଆଉ ଦୁଇଟି ଦୁର୍ଘଟଣାର ମାମଲା ଥିଲା। ରେଡକ୍ରସ ପକ୍ଷରୁ ମୃତକଙ୍କ ପରିବାରକୁ ଯଥାସମ୍ଭବ ସାହାଯ୍ୟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ। ଶବ ବ୍ୟବଛେଦ ରିପୋର୍ଟକୁ ବି ୫ ଜଣିଆ ଟିମ୍ ବିସ୍ତୃତ ସମୀକ୍ଷା କରିବେ। ଯିଏ ବି ଦୋଷୀ ନିଶ୍ଚିତ ଦଣ୍ଡ ପାଇବେ। ୬ ରୋଗୀ ମୃତ୍ୟୁ ଘଟଣାରେ ତନାଘନା ଜାରି ରହିଛି। ୫ ଜଣିଆ କମିଟି କି ରିପୋର୍ଟ ଦେଉଛି ତା ଉପରେ ସମସ୍ତଙ୍କ ନଜର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *