ଡ୍ରାଇଭର କଲ୍ୟାଣ ବୋର୍ଡକୁ ରାଜ୍ୟ ସରକାରଙ୍କ ଅନୁମୋଦନ, ଦୁର୍ଘଟଣାରେ ମୃତ୍ୟୁ ହେଲେ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା

Spread the love

ଭୁବନେଶ୍ୱର : ଡ୍ରାଇଭରଙ୍କ ଦାବିକୁ ମାନିଛନ୍ତି ରାଜ୍ୟ ସରକାର । ସୋମବାର ଦିନ ଡ୍ରାଇଭରଙ୍କ ପାଇଁ କଲ୍ୟାଣ ବୋର୍ଡ ଗଠନକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । ଏଣିକି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହେଲେ ପରିବାରକୁ ୪ ଲକ୍ଷ ଟଙ୍କା ମିଳିବ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନା-୨୦୨୩ର ଅନୁମୋଦନ ଏବଂ କଲ୍ୟାଣ ବୋର୍ଡ ଗଠନକୁ ସ୍ୱୀକୃତି ପ୍ରଦାନ କରିବା ପରେ ରାଜ୍ୟ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

ସୋମବାର ସନ୍ଧ୍ୟାରେ ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଯୋଜନାକୁ ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ ମୋଟରଯାନ ଡ୍ରାଇଭର ଏବଂ ଅନ୍ୟାନ୍ୟ ମୋଟରଯାନ କର୍ମଚାରୀମାନଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବୋର୍ଡକୁ ପ୍ରାରମ୍ଭିକ ଭାବେ ଅନୁଦାନ ପ୍ରଦାନ କରାଯିବ । ପରବର୍ତୀ ସମୟରେ ବୋର୍ଡ ପଞ୍ଜୀକରଣ ଶୁଷ୍ଠ, ଯାନ ମାଲିକଙ୍କ ଅବଦାନ ଏବଂ ଅନ୍ୟାନ୍ୟ ଉତ୍ସରୁ ପାଣ୍ଠି ସଂଗ୍ରହ କରି ଏହି ଯୋଜନାକୁ ପରିଚାଳନା କରିବ ।

ଏହି ଯୋଜନାରେ ଦୁର୍ଘଟଣାଜନିତ ଡ୍ରାଇଭର/କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କ ଦ୍ୱାରା ମନୋନୀତ ବ୍ୟକ୍ତିଙ୍କ ପାଇଁ ୪ ଲକ୍ଷ ଟଙ୍କା, ଅତି ଗଭୀର ଆଘାତ କ୍ଷେତ୍ରରେ ୮୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନର ବ୍ୟବସ୍ଥା କରାଯାଇଛି । ସେହିପରି ସ୍ଥାୟୀ ଭାବେ ଅକ୍ଷମତା ପାଇଁ ଡ୍ରାଇଭର କିମ୍ବା କର୍ମଚାରୀଙ୍କ ପାଇଁ ଦେଢ଼ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏଥି ସହିତ ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନର ବ୍ୟବସ୍ଥା ରହିଛି । ମୋଟରଯାନ ଡ୍ରାଇଭର ଓ କର୍ମଚାରୀମାନେ ମଧ୍ୟ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନ୍ସନ୍ ଯୋଜନା ଆଦିରେ ଯୋଗ୍ୟତା ଅନୁଯାୟୀ ଅନ୍ତର୍ଭୁକ୍ତ ହେବେ । ଏଥି ନିମନ୍ତେ ଗଠିତ ହେବାକୁ ଥିବା କଲ୍ୟାଣ ବୋର୍ଡରେ ସରକାରୀ ସଦସ୍ୟଙ୍କ ସହିତ ମୋଟରଯାନ ଡ୍ରାଇଭର/କର୍ମଚାରୀମାନଙ୍କ ପ୍ରତିନିଧି ସଦସ୍ୟ ରହିବେ । ଏହି ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟର ୫ ଲକ୍ଷରୁ ଊର୍ଦ୍ଧ୍ୱ ମୋଟରଯାନ ଡ୍ରାଇଭର ଓ କର୍ମଚାରୀ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ।

ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁର ଯୋଜନାର ବିଭିନ୍ନ ଦିଗ ସଂପର୍କରେ ଗଣମାଧ୍ୟମ ପ୍ରତିନିଧି ଓ ଉପସ୍ଥିତ ଡ୍ରାଇଭର/କର୍ମଚାରୀ ସଂଘର କମକର୍ତାଙ୍କୁ ବିଶଦ ସୂଚନା ଦେଇଥିଲେ । ଏହି ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *