ଓଡ଼ିଶା

ଜୁନ୍ ୧୦ରୁ ରାଜ୍ୟବ୍ୟାପୀ ଚାଷୀ ବିକ୍ଷୋଭ

ଭୁବନେଶ୍ୱର : ଉଭୟକେନ୍ଦ୍ର ଓ ରାଜ୍ୟ ସରକାର ଯଦି ଚାଷୀଙ୍କ ଆୟ ୨୦୨୨ ସୁଦ୍ଧା ଦ୍ୱିଗୁଣା କରିଛନ୍ତି ତେବେ କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କର ଶାସନ କାଳରେ ଚାଷ ଓ ଚାଷୀର ବିକାଶ ପାଇଁ କେଉଁ ଯୋଜନାଗୁଡ଼ିକରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ଏହାର ପ୍ରକୃତ ହିତାଧିକାରୀଙ୍କ ତାଲିକା ଶ୍ୱେତପତ୍ର ଆକାରରେ ପ୍ରକାଶ କରିବାକୁ କିଷାନ କଂଗ୍ରେସ ପକ୍ଷରୁ ଦୃଢ଼ ଦାବି କରାଯାଇଛି । ଯଦି ସରକାରଙ୍କ ପକ୍ଷରୁ ଏହି ସମ୍ପର୍କରେ ଆଶୁ ଶ୍ୱେତପତ୍ର ପ୍ରକାଶ କରା ନ ଯାଏ, କିଷାନ କଂଗ୍ରେସ ତରଫରୁ ଆସନ୍ତା ଜୁନ୍ ୧୦ ତାରିଖଠାରୁ ପ୍ରତି ଜିଲ୍ଲା ଓ ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରରେ ସାମ୍ବାଦିକ ସମ୍ମିଳନୀ ଓ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରାଯାଇ ସରକାରଙ୍କ ଚାଷୀମାରଣ ନୀତିର ତୀବ୍ର ପ୍ରତିବାଦ କରାଯିବ । ପିସିସି କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।

ଶ୍ରୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ କିଷାନ କଂଗ୍ରେସର ଅନୁଷ୍ଠିତ ପରିବର୍ଦ୍ଧତ କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଯୋଗଦେଇ ଉଭୟ ସରକାରର ଚାଷୀମାରଣ ନୀତିକୁ ତୀବ୍ର ନିନ୍ଦା କରିଛନ୍ତି । ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କେବଳ ମାଳମାଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଭଣ୍ଡାଇ ଭୁତାଇ ଚାଲିଛନ୍ତି । ଚାଷୀଙ୍କ ବିକାଶ ପରିବର୍ତେ ବିନାଶ ଘଟୁଛି । ଖୁବ୍ଶିଘ୍ର କିଷାନ କଂଗ୍ରେସ ସଂଗଠନକୁ ପ୍ରତି ଗ୍ରାମସ୍ତରରୁ ସୁଦୃଢ଼ କରାଯାଇ ଚାଷୀଙ୍କ ହକ୍ ପାଇଁ ଆଗାମୀ ଦିନରେ ଉଭୟ ସରକାରଙ୍କ ବିରୁଦ୍ଧରେ ଜୋରଦାର ଆନ୍ଦୋଳନ କରାଯିବ ।

ଏହି ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍ଗୋ ଓ ପିସିସି ଉପସଭାପତି ଶିବାନନଦ ରାୟ କହିଲେ ଯେ, ନବୀନ ସରକାର ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କେବଳ ଚାଷୀଙ୍କ ଭୋଟ ହାତେଇବା ପାଇଁ କିଛି ଯୋଜନାର ନୂଆ ଭେଳିକି ଦେଖାଉଛନ୍ତି ।

Leave a Reply

Your email address will not be published.

Back to top button