ଓଡ଼ିଶାରାଜନୀତି

ଆଜିବି ବାହୁବଳୀ ବିଧାୟକଙ୍କ ଦଳରେ ରହିଛି ଚାହିଦା

() ନିଲମ୍ୱିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ କୋଳେଇ ନେବାକୁ ବସିଛି ବିଜେଡି।  ଖୋର୍ଦ୍ଧା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଜିଲ୍ଲାର ସମସ୍ତ ବିଧାୟକଙ୍କ ଗହଣରେ ଏକ ବୈଠକରେ ପ୍ରଶାନ୍ତଙ୍କ ଉପସ୍ଥିତିର ଫଟୋ ଭାଇରାଲ ପରେ ଏମିତି ଆକଳନ ଆରମ୍ଭ ହୋଇଛି। ସେପଟେ ପ୍ରଶାନ୍ତଙ୍କ ଭଳି ବାହୁବଳୀ ନେତାଙ୍କୁ ଆରମ୍ଭରୁ ଭାଉ ଦେଇଆସୁଥିବା ବିଜେଡି କେବଳ ଆଇଓ୍ୱାସ ନ୍ୟାୟରେ ନିଲମ୍ୱିତ କରି ଆଇନ ତା ଆଖରେ ଯିବ ବୋଲି ଭୂଆଁ ବୁଲାଉଥିଲା ବୋଲି ବିରୋଧୀ ଆରୋପ ଲଦିଛନ୍ତି। ଆଉ ବିଜେଡି ବେଶ୍ ମାପିଚୁପି ଏହା ଉପରେ ମନ୍ତବ୍ୟ ରଖିଛି।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଦଳରୁ ନିଲମ୍ୱନ ହେଲେଣି ବର୍ଷେ ଦୁଇ ମାସ ହେଲା। ନିଲମ୍ୱନ ଉଠିନି ଏ ଯାଏ। ଚିଲିକା ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ସର୍ବସମ୍ମୁଖରେ ମାଡ଼ ମାରି ଦଳରୁ ନିଲମ୍ୱିତ ହୋଇଥିଲେ। ତା ପଛକୁ ଜିଲ୍ଲା ପରିଷଦ ନିର୍ବାଚନ ବେଳେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଭଳି ବଡ଼ ବିବାଦରେ ଫସିଥିଲେ। କିନ୍ତୁ ଦଳରୁ ନିଲମ୍ୱିତ ହୋଇଥିଲେ ବି ଜାନୁଆରୀ ୨୦୨୨ରେ ବିଜେପିର ଚିଲିକା ବ୍ଲକ ଅଧ୍ୟକ୍ଷା ଝରଣା ବାରିକଙ୍କୁ ଦଳରେ ମିଶାଇଲା ବେଳେ ଲିଡ୍ କରିଥିଲେ ଜଗଦ୍ଦେବ। ଜେଲ୍ ଯାଇଥିଲେ, ବେଲରେ ଏବେ ଜଗଦ୍ଦେବ। କିନ୍ତୁ ଦଳ ବୋଧହୁଏ ତାଙ୍କୁ ପୁଣି ଥରେ କୋଳେଇ ନେବାକୁ ବସିଛି। ଏ ସବୁ ଫଟୋ ଯାହା ଭାଇରାଲ ହେଉଛି, କିଛି ଏମିତି କଥାକୁ ଇଙ୍ଗିତ କଲାଣି। ବୈଠକରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଜିଲ୍ଲାର ସମସ୍ତ ବିଜେଡି ବିଧାୟକଙ୍କ ସହ ଜଗଦ୍ଦେବ ବସିଥିଲେ। ଏହାକୁ ନେଇ ବିଜେଡି ଶିବିର କଅଣ କହୁଛି ଶୁଣନ୍ତୁ। ଯାହା ନିଷ୍ପତ୍ତି ନେବେ ସଭାପତି।

ସେପଟେ ଆଇନ ତା ଆଖିରେ ଯିବ ବୋଲି ଆରମ୍ଭରୁ କହି ଆସୁଥିବା ବିଜେଡିର ଦୋହରା ନୀତିକୁ କଟାକ୍ଷ କରିଛନ୍ତି ବିରୋଧୀ। ପ୍ରଶାନ୍ତଙ୍କ ଭଳି ବିଧାୟକଙ୍କ ଆଚରଣକୁ ଗୋଟିଏ ପଟେ ନିନ୍ଦା କରୁଛି ବିଜେଡି। କିନ୍ତୁ ସେପଟେ ତାଙ୍କ ସହ ନିରନ୍ତର ସମ୍ପର୍କ ରଖି ପୁଣି ୨୪ରେ ଚିଲିକାର ଚେହେରା କରିବାକୁ ରଣନୀତି କରୁଛି। ସେଥିଲାଗି ତ ଲୋକେ ବିଜେଡି ଓ ଦଳୀୟ ସଭାପତିଙ୍କ କଥା ଓ କାମରେ କେତେ ଅନ୍ତର ବୁଝନ୍ତୁ।

କିଏ କହେ ବାହୁବଳୀ ତ କିଏ କହେ ନାଁ ସିନା ପ୍ରଶାନ୍ତ, ହେଲେ ସବୁ ଅଶାନ୍ତ କାରନାମାରେ ସେ ଥାଆନ୍ତି। ତା ସତ୍ତ୍ୱେ ସଂଗଠନରେ ସବଳତା ଲାଗି ବେଗୁନିଆରେ ଜିତିଲେ, ଚିଲିକାରେ ବି ଜିତିଲେ।  ଏମିତିରେ ୨୪ରେ  ଚିଲିକାର ଚେହେରା ବୋଲି ଚର୍ଚ୍ଚା ଥିବା ମାନସ ମଙ୍ଗରାଜଙ୍କୁ ରାଜ୍ୟସଭା ପଠାଇସାରିଛନ୍ତି ସୁପ୍ରିମୋ। ଏବେ ଜଗଦ୍ଦେବଙ୍କ ଉପରେ ପୁଣି ଭରସା କରିବା କିଛି ଆଶ୍ଚର୍ଯ୍ୟ କରିବନି।

ଖୋର୍ଦ୍ଧାରୁ ପ୍ରକାଶ, ଭୁବନେଶ୍ୱରରୁ ନବକିଶୋର, ସ୍ୱରୂପାଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button