ଓଡ଼ିଶା

ଆଖିବୁଜିଲେ ଷ୍ଟୋନ ମ୍ୟାନ ହରିହର

ନୟାଗଡ:  ଆଖିବୁଜିଲେ ଷ୍ଟୋନ ମ୍ୟାନ  ହରିହର ବେହେରା l ଗତ କିଛି ଦିନ ହେବ କିଡନୀ ରୋଗରେ ଆକ୍ରାନ୍ତ ଥିଲେ ହରିହର l ନୟାଗଡ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ  ଏକ ଟିମ ଗଠନ କରି ତାଙ୍କର ଚିକିତ୍ସା କରିଥିଲେ l ଶେଷରେ ଗତକାଲି ସନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଷ୍ଟୋନ ମ୍ୟାନ l

ଶେଷରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମାତ୍ର ୫୭ ବର୍ଷରେ ଆଖି ବୁଜିଲେ ଷ୍ଟୋନ ମ୍ୟାନ ହରିହର। ଆଦିବାସୀ ଅଧ୍ୟୁଷିତ ତୁଲୁବି ଗାଁରେ ହରିହରଙ୍କ ଜନ୍ମ ହୋଇଥିଲା। ଗାଁକୁ ରାସ୍ତା ଖଣ୍ଡେ ନ ଥିଲା। ପାହାଡ ପର୍ବତ ଡେଇଁ ଗ୍ରାମବାସୀଙ୍କୁ ବହୁ କଷ୍ଟ କରିବାକୁ ପଡୁଥିଲା ଗ୍ରାମରୁ ଡାକ୍ତରଖାନା, ଥାନା, ବଜାର ଘାଟକୁ ଯିବାକୁ। ଗ୍ରାମବାସୀ ପାହାଡ଼ ଜଙ୍ଗଲରେ ଚାଲି ଚାଲି ସ୍ଥାନୀୟ ବିଧାୟକଙ୍କୁ ଗାଁକୁ ରାସ୍ତା ପାଇଁ ଗୁହାରି କରିଥିଲେ l ହେଲେ ବିଧାୟକ ସିଧା ସିଧା ମନା କରି ଦେଇଥିଲେ l

ବିଧାୟକଙ୍କଠାରୁ ନାସ୍ତିବାଚକ ଉତ୍ତର ପାଇଁ ଗ୍ରାମବାସୀ ନିରାଶ ହୋଇଥିଲେ। ଭାଗ୍ୟକୁ ଆଦରି ଚୁପ ବସିଥିଲେ। କିନ୍ତୁ ଚୁପ ବସିନଥିଲେ ହରିହର। ସେ କଠୋର ପରିଶ୍ରମ କରି ପାହାଡ ଭାଙ୍ଗିବାକୁ ଲାଗିଥିଲେ ଗାଁରୁ ରାସ୍ତାଟିଏ କରିବାକୁ। ତାଙ୍କର ଏତାଦୃଶ କାର୍ଯ୍ୟକୁ ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଅନେକ ପରିହାସ କରିଥିଲେ। ହରିହରଙ୍କ ମୁଣ୍ଡ ଖରାପ ହୋଇଯାଇଥିବା ଅନେକ କହିଥିଲେ। ହେଲେ ଏଥିରେ ହତୋତ୍ସାହିତ ହୋଇନଥିଲେ ହରିହର। ସେ ନିଜ କାମ ଜାରି ରଖିଥିଲେ।

ଭାଇର ପରିଶ୍ରମ ବଡ ଭାଇଙ୍କ ହୃଦୟ ତରଳାଇ ଦେଇଥିଲା। ହରିହରଙ୍କୁ ସହାୟତା କରିବାକୁ ତାଙ୍କ ବଡ ଭାଇ ମଧ୍ୟ ପାହାଡ ଭାଙ୍ଗିବା କାମରେ ହରିହରଙ୍କୁ ସାହାଯ୍ୟ କରିଥିଲେ।  ଶେଷରେ ହରିହରଙ୍କ ପରିଶ୍ରମ ରଙ୍ଗ ନେଇଥିଲା। ଦୀର୍ଘ ୨୫ ବର୍ଷର ନିରନ୍ତର ପରିଶ୍ରମରେ ସେ ଗାଁରୁ ୩ କିମି ରାସ୍ତା କରିବାରେ ସକ୍ଷମ ହୋଇଥିଲେ।  

Leave a Reply

Your email address will not be published.

Back to top button