ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେଇ ବର୍ଷିଲା ଛାତ୍ର କଂଗ୍ରେସ

Spread the love

ଭୁବନେଶ୍ୱର : ୨୩ ବର୍ଷର ନବୀନ ସରକାର ସଂପୂର୍ଣ୍ଣ ଭାବରେ ଛାତ୍ର ସ୍ୱାର୍ଥ ବିରୋଧି ବୋଲି ପ୍ରମାଣିତ । ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ କେବଳ ବିଜୁ ଜନତା ଦଳ ସରକାର ଭୁଆଁ ବୁଲାଉଛନ୍ତି ଏବଂ ବିଜୁ ଛାତ୍ର ଜନତା ଦଳ ଆଜି ପର୍ଯ୍ୟନ୍ତ ଓଡ଼ିଶାର ଛାତ୍ରମାନଙ୍କର ସ୍ୱାର୍ଥ ପାଇଁ ମୁହଁ ଖୋଲି ନାହାନ୍ତି । କେବଳ ବିଜୁ ଜନତା ଦଳ ସରକାରର ଏକ ଗୋଡ଼ାଣିଆ ଅନୁଷ୍ଠାନ ଭାବେ ପରିଚିତି ସୃଷ୍ଟି କରିଛି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସେ କହିଛନ୍ତି ଯେ, ବିରୋଧି ଦଳ ମାନଙ୍କର କଣ୍ଠରୋଧ କରିବାପାଇଁ ନବୀନ ସରକାର ୫ବର୍ଷ ହେଲା ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିଦେଇଛି । ନିର୍ବାଚନ କରିବାପାଇଁ ଛାତ୍ର ବିଜେଡ଼ି ଏପର୍ଯ୍ୟନ୍ତ ନିଜ ସରକାର ପାଖରେ ଦାବି କଲେଣିକି? ଗୋଟିଏ ପଟେ ନିର୍ବାଚନ ବନ୍ଦ କରିଦେଉଥିବା ବେଳେ ଅନ୍ୟପଟେ ବିଜେଡ଼ି ପକ୍ଷରୁ କ୍ୟାମ୍ପସ କମିଟି ଗଠନ କରିବା ଦୁର୍ଭାଗ୍ୟଜନକ । ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କୁହାଯାଇଥିଲା କ୍ୟାମ୍ପସ କମିଟିର ଉଦ୍ଦେଶ୍ୟ ହେଉଛି କଲେଜରେ ଶୃଙ୍ଖଳା ରଖିବା, ଦୁର୍ନୀତିକୁ ବିରୋଧ କରିବା, ଅଣଛାତ୍ର ପ୍ରବେଶ ରୋକିବା, ନିଶାମୁକ୍ତ କ୍ୟାମ୍ପସ ଗଠନ କରିବା ଏବଂ ଛାତ୍ରମାନଙ୍କର ସ୍ୱାର୍ଥସାଧନ ପାଇଁ କାମ କରିବା । କିନ୍ତୁ ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ କମିଟି ବାସ୍ତବ କ୍ଷେତ୍ରରେ ଯେଉଁ କାର୍ଯ୍ୟ କରୁଛି ତାହାକୁ ଓଡ଼ିଶାବାସୀ ଦେଖୁଛନ୍ତି ।

ଆଜି ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ କମିଟିର ଦୌରାତ୍ମ୍ୟରେ କଲେଜର ଏବଂ ୟୁନିର୍ଭସିଟିର ଛାତ୍ରୀମାନେ ଅସୁରକ୍ଷିତ । ବିଜୁ ଛାତ୍ର ଜନତା ଦଳ କ୍ୟାମ୍ପସ କମିଟିର ସଭ୍ୟମାନେ କ୍ୟାମ୍ପସରେ ଆତଙ୍କରାଜ ଚଳାଇଛନ୍ତି । ସରକାର ଏହାକୁ ଦମନ କରୁ ନାହାନ୍ତି ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ନେତୃତ୍ୱ ଏହାକୁ ଦେଖି ଚୁପ ବସିଛନ୍ତି । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାଲ ସାର୍ଟିଫିକେଟରେ ଆଡମିଶନ ଚାଲିଛି । ଏହି ସ୍କାମରେ ଛାତ୍ର ବିଜେଡ଼ି ଓ ଯୁବ ବିଜେଡ଼ିର କର୍ମକର୍ତ୍ତା ସମ୍ପୃକ୍ତ । ଆନ୍ଦୋଳନ ହେଲାପରେ ମଧ୍ୟ ସରକାରଙ୍କ ପକ୍ଷରୁ ଆଖିଦୃଶିଆ କାର୍ଯ୍ୟକ୍ରମ ଗ୍ରହଣ କରାଗଲା ନାହିଁ ।ରମାଦେବୀ ବିଶ୍ୱବିଦ୍ୟାଳୟର ନୂଆ ପାଚେରୀ ଭୁଷୁଡ଼ିବା ଘଟଣା, ବାଙ୍କି ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳପଡ଼ିଆର ନୂଆ ଗ୍ୟାଲେରି ଭୂଷୁଡିବା ଘଟଣା ଏବଂ ସାରା ରାଜ୍ୟରେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ନିର୍ମାଣରେ ଯେଉଁ ଦୁର୍ନୀତି ହେଉଛି ତା ବିରୋଧରେ ଛାତ୍ର ବିଜେଡ଼ି ପଦୁଟିଏ ମୁହଁ ଖୋଲିଲାଣିକି?

            ଏବେ କେନ୍ଦ୍ର ସରକାରଙ୍କର ରିପୋର୍ଟ ଅନୁସାରେ ଓଡ଼ିଶାର ସ୍କୁଲ ଶିକ୍ଷାବ୍ୟବସ୍ଥା ପିଜିଆଇ ରେ୧୪ ସ୍ଥାନରୁ ୨୪ ସ୍ଥାନରେ ପହଞ୍ଚିଛି । ମାତ୍ର ଓଡ଼ିଶାରେ ୫-ଟି ସ୍କୁଲର ପ୍ରଚାର ଚାଲିଛି । କରୋନା ସମୟରେ ସ୍କୁଲ, କଲେଜ ହେଉନଥିବା ବେଳେ ପ୍ରାଇଭେଟ ସ୍କୁଲ ଓ କଲେଜର ମାଲିକମାନେ ଅଭିଭାବକମାନଙ୍କ ଠାରୁ ତଣ୍ଟି ଚିପି ଅର୍ଥ ଆଦାୟ କରୁଥିବା ବେଳେ ଛାତ୍ର ବିଜେଡ଼ି ନୀରବ ଥିଲା କାହିଁକି? ବିଧାନ ସଭାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ରଖିଥିବା ଉତ୍ତର ଅନୁଯାୟୀ ଓଡ଼ିଶାର ୫୧ଟି ସରକାରୀ ଡିଗ୍ରୀ କଲେଜରେ ୪୪.୮୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡ଼ିଛି । ରାଜ୍ୟରେ ସରକାରୀ ଡିଗ୍ରୀ କଲେଜରେ ସମୁଦାୟ  ୨୩୦୬ ଟି ମଞ୍ଜୁରପ୍ରାପ୍ତ ଶିକ୍ଷକ ପଦବୀ ଥିବା ବେଳେ ସେଥିରୁ ୧୦୩୩ଟି ପଦବୀ ଖାଲି ପଡ଼ିଛି । ସେହିଭଳି ଇସୟରୟ ଡିଗ୍ରୀ କଲେଜରେ ମଞ୍ଜୁୂରିପ୍ରାପ୍ତ ସମୁଦାୟ ୬୪୯୯ଟି ପଦବୀ ଥିବା ବେଳେ ୧୮୫୮ ଟି ପଦବୀ ଖାଲି ପଡ଼ିଛି । ଶିକ୍ଷକ ପଦବୀ ଅଭାବରୁ ନାକ ମାନ୍ୟତାରେ ଓଡ଼ିଶାର ବିଶ୍ୱବିଦ୍ୟାଳୟ ଦୁର୍ବଳସ୍ଥିତିରେ ଅଛି । ଏବାବଦରେ ବିଜୁ ଛାତ୍ର ଜନତା ଦଳ ମୁହଁ ଖୋଲିଛନ୍ତିକି? ମୂଳକଥାଟି ହେଉଛି ଆଜିର ଛାତ୍ର ବିଜେଡ଼ି କାର୍ଯ୍ୟକାରେଣୀରେ ଏସବୁ ପ୍ରସଙ୍ଗ ଉଠିଛି ନା ନାହିଁ । ଯଦି ନ ଉଠିଛି ତେବେ ଏ ରାଜ୍ୟର ଛାତ୍ରମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟାକାରିଣୀ ଏ ସଂପର୍କରେ ଆଲୋଚନା କରୁ ଏବଂ ଛାତ୍ରସ୍ୱାର୍ଥ ପାଇଁ ରାଜ୍ୟ ସରକାର ଆଗରେ ମୁହଁ ଖୋଲୁ ।

            ଆଜିର ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ଛାତ୍ରକଂଗ୍ରେସର ସଂପାଦିକା ସୁଶ୍ରୀ ଅନୁଲେଖା ବୋଷା ଉପସ୍ଥିତ ରହି ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *