ବିରୋଧୀଙ୍କୁ ଲକ୍ଷ୍ମଣରେଖା ଦେଖାଇଲେ ପୂଜାରୀ

ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ କୌଣସି ଗୋଟିଏ ଦିନ ବି ସୁରୁଖୁରୁରେ ଚାଲିପାରିଲାନି ଏଯାଏଁ ଗୃହ। ହୋହଲ୍ଲା, ହଟ୍ଟଗୋଳରୁ ଗୃହ ମୁଲତବୀ ହେଉଛି। ନା ପ୍ରଶ୍ନକାଳ, ନା ଶୂନ୍ୟକାଳ ନା ମୁଲତବୀ ନୋଟିସ୍ ଉପରେ ଆଲୋଚନା ହୋଇପାରୁଛି। କ୍ରମାଗତ ବିରୋଧୀଙ୍କ ହଟ୍ଟଗୋଳରୁ ବିଧାନସଭାରେ ଜାରି ଅଚଳାବସ୍ଥାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ବର୍ଷିଛନ୍ତି। କେମିତି ବିରୋଧୀ ଲକ୍ଷ୍ମଣରେଖା ଉଲ୍ଲଂଘନ କରୁଛନ୍ତି, ତାହାର ଅବତାରଣା କରିଛନ୍ତି। ବିଧାନସଭା ଭିତରେ ଓ ବାହାରେ ବିଜେଡି ଓ କଂଗ୍ରେସର ଆଚରଣ, ଉଚ୍ଚାରଣ ସଂସଦୀୟ ଗଣତନ୍ତ୍ରର ପରିପଂଥୀ ବୋଲି କହିଛନ୍ତି ମନ୍ତ୍ରୀ ପୂଜାରୀ। ସରକାର ସବୁବେଳେ ଆଲୋଚନାକୁ ପ୍ରସ୍ତୁତ। ୧୮ ଦିନ ଭିତରେ ୩୧ ଘଣ୍ଟା ବି ଚାଲିପାରିନାହିଁ ବିଧାନସଭାର ଗୃହ କାର୍ଯ୍ୟ। ସମାଧାନ ପାଇଁ ୩ଥର ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଲେଣି। ସାଧାରଣ ଲୋକଙ୍କ ଟିକସରେ ଚାଲୁଥିବା ବିଧାନସଭାରେ ବାରମ୍ୱାର ହଟ୍ଟଗୋଳ କରି ବନ୍ଦ କରୁଥିବା ବିରୋଧୀଙ୍କୁ ରାଜ୍ୟବାସୀ କ୍ଷମା ଦେବେନି। ବିଧାନସଭାରେ ଗୁଣାତ୍ମକ ଆଲୋଚନା ହୋଇପାରୁନି କହି କ୍ଷୋଭ ଝାଡ଼ିଛନ୍ତି। ଭଲ ପ୍ରସଙ୍ଗ ଉଠାନ୍ତୁ ବିରୋଧୀ। ନହେଲେ ପରବର୍ତ୍ତୀ ନିର୍ବାଚନରେ ସିଙ୍ଗିଲ ଡିଜିଟ୍ କୁ ଆସିଯିବେ ବୋଲି ବିଜେଡି ଓ କଂଗ୍ରେସକୁ ଆଇନା ଦେଖାଇଛନ୍ତି ମନ୍ତ୍ରୀ। ମହିଳା ବାଚସ୍ପତିଙ୍କ ଆଗରେ ହୁଇସିଲ୍ ବଜାଇବା, ପୋଡ଼ିଅମ ଉପରକୁ ଚଢ଼ି ମାଇକ ଛଡ଼ାଇବା ଆଦି ପ୍ରୟାସରୁ ବିରତ ରୁହନ୍ତୁ ବିରୋଧୀ। ତୁରୀ, ଘଣ୍ଟ ବଜାଇବା ସଂସଦୀୟ ଗଣତନ୍ତ୍ରରେ ଶୋଭନୀୟ ନୁହେଁ। ସମାଲୋଚନା ସହ ବିରୋଧୀଙ୍କୁ ଅପିଲ୍ ବି କରିଛନ୍ତି, ଆଲୋଚନାରେ ଅନ୍ତତଃ ଭାଗ ନିଅନ୍ତୁ। ସରକାର ଯେତେବେଳେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ଆଗଭର। ସେତେବେଳେ ବିରୋଧୀ ବି ନିଜର ଉତ୍ତରଦାୟିତ୍ୱ ନିର୍ବାହ କରି ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ୱଳିତ ପ୍ରସଙ୍ଗ ଉଠାଇ ଗୃହର ମର୍ଯ୍ୟାଦା ରକ୍ଷା କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ପୂଜାରୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *