ସବରେଜିଷ୍ଟ୍ରାର ଅଫିସରେ ହେଉଥିଲା ଜମି କିଣାବିକା। କିନ୍ତୁ କିଣାବିକାରେ ବିଳମ୍ୱ ସାଙ୍ଗକୁ ଦୂରଦୂରାନ୍ତରୁ ଲୋକେ ଆସି ହଇରାଣ ହରକତ ହେଉଥିଲେ। ସ୍ଲଟ ବୁକିଂ ଟାଇମ୍ ଗଡ଼ିଯାଉଥିଲେ, ଜମି ରେଜିଷ୍ଟ୍ରେସନ ହୋଇନପାରି ଲୋକେ ନିରାଶ ହୋଇ ଫେରୁଥିଲେ। ସେଥିଲାଗି ଏହାର ସରଳ ସମାଧାନ କରିବାକୁ ରାଜ୍ୟର ୩୧୭ ତହସିଲକୁ ସବ-ରେଜିଷ୍ଟ୍ରାର ଅଫିସରେ ପରିଣତ କରାଯିବ। ସରଳ ଭାଷାରେ ନିର୍ଦିଷ୍ଟ ତହସିଲରେ ଜମି କିଣାବିକା କରିବାକୁ ଚାହିଁଲେ, ଏଣିକି ତହସିଲ ସୀମା ବାହାରକୁ ଯିବାକୁ ପଡ଼ିବନି। ଦୂରତା କମିବ, ସମୟ ବଞ୍ଚିବ ଓ ଖର୍ଚ୍ଚାନ୍ତରୁ ମୁକ୍ତି ପାଇବେ ଲୋକେ। କୌଣସି ଅଫିସରେ ଜମି କିଣାବିକା କରିବାକୁ ବହୁ ଥର ଦୌଡ଼ିବାକୁ ପଡ଼ୁଥିଲା। ଜମିର ରେକର୍ଡ ପରଖିବା, ଇସି ଆଦି ପାଇଁ ବିଭିନ୍ନ ଦପ୍ତରକୁ ଯିବାକୁ ପଡ଼ୁଥିଲା। ଏବେ ଘରେ ବସି ମୋବାଇଲ ଆପ୍ ଜରିଆରେ ଜମି କିଣାବିକା ପ୍ରକ୍ରିୟା ହୋଇପାରିବ। ଘରେ ବସି ଇସି ଡକ୍ୟୁମେଣ୍ଟ ବାହାର କରିପାରିବ। ଦସ୍ତାବିଜ୍ ବା ଦଲିଲକୁ ବି ଡାଉନଲୋଡ୍ କରି ସବ-ରେଜିଷ୍ଟ୍ରାର ଅଫିସକୁ ପଠାଇପାରିବ। ସ୍ଲଟ ବୁକିଂ ବି କରିପାରିବେ ଲୋକେ। ଅତି ବେଶୀରେ ଥରେ ଘଣ୍ଟାଏ ପାଇଁ ସବ-ରେଜିଷ୍ଟ୍ରାର ଅଫିସକୁ ଯିବାକୁ ପଡ଼ିବ। ଦୂରଦୂରାନ୍ତରୁ ଜମି କିଣିବା ପାଇଁ ମୋଟା ଅଙ୍କର ଟଙ୍କା ଆଣିବାର ଟେନସନ ବି ଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଆଜି ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ୧୩ ଜିଲ୍ଲାର ୪୪ଟି ତହସିଲ ଅଫିସକୁ ସବ-ରେଜିଷ୍ଟ୍ରାର ଅଫିସରେ ରୂପାନ୍ତରିତ କରିଛନ୍ତି। ଆଗକୁ ବାକି ୫୬ ତହସିଲରେ ଡିସେମ୍ୱରରେ ଶୁଭାରମ୍ଭ ହେବ। ସର୍ବାଧିକ ମୟୂରଭଞ୍ଜରେ ୧୨, କୋରାପୁଟରେ ୭, ସମ୍ୱଲପୁରରେ ୫, ଢେଙ୍କାନାଳ ଓ କନ୍ଧମାଳର ୩ଟି ଲେଖାଏଁ ତହସିଲରେ ସବ-ରେଜିଷ୍ଟ୍ରାର ଅଫିସ ଖୋଲିଛି। ପୂର୍ବରୁ ୨୧୭ ତହସିଲ ଉପନିବନ୍ଧନ କାର୍ଯ୍ୟାଳୟ ଭାବେ କାମ କରି ଆସୁଛି। ଏଣିକି ତହସିଲଦାର ନିଜେ ସବ-ରେଜିଷ୍ଟ୍ରାର ଭାବେ ଦାୟିତ୍ୱ ତୁଲାଇବେ। ତହସିଲ ଅଫିସରେ କେଉଁ କେଉଁ ଦିନ ଜମି ରେଜିଷ୍ଟ୍ରେସନ ହେବ, ସେ ନେଇ ସମୟ ଓ ତାରିଖ ସ୍ଥିର ହୋଇଛି। ତହସିଲ କ୍ୟାମ୍ପସରେ ଅଫିସ କାର୍ଯ୍ୟକାରୀ ହେଉଥିବାରୁ ଲୋକେ ସୁବିଧା ପାଇବେ। ନିଜ ତହସିଲ ଅଫିସରେ ଲୋକେ ଜମି ରେଜିଷ୍ଟ୍ରେସନ କରିପାରିବେ। ତହସିଲ ଅଫିସକୁ ଲୋକେ ପଟ୍ଟା ପାଇଁ ଦୌଡ଼ୁଥିଲେ। ଏଣିକି ଜମି ରେଜିଷ୍ଟ୍ରେସନ କଲେ, ଦଲିଲ ସହ ଏକା ସାଙ୍ଗରେ ଅତି କମ୍ ସମୟରେ ପଟ୍ଟା ବି ପାଇପାରିବେ ଲୋକେ। ଅନେକ ମାମଲାରେ ମଧ୍ୟସ୍ଥି, ଦଲାଲଙ୍କ ଶୋଷଣରୁ ମୁକ୍ତି ପାଇବେ ଲୋକେ। ରାଜସ୍ୱ ସଚିବ ଦେଓରଞ୍ଜନ ସିଂ କହିଛନ୍ତି, ଆଗରୁ ରେଜିଷ୍ଟ୍ରେସନ ହୋଇଯାଉଥିଲା ସତ। କିନ୍ତୁ ପଟ୍ଟା ବେଳକୁ ବିଳମ୍ୱ ହେଉଥିଲା। ନାଁ ଚଢ଼ିନଥିବାରୁ ଏହାରି ଭିତରେ ଏକାଧିକ ଥର ପଟ୍ଟାଧାରୀ ଜମି ବିକିଦେବାର ଚକ୍ରାନ୍ତ ବି କରୁଥିଲେ। ରେଜିଷ୍ଟ୍ରେସନ ହେବା ମାତ୍ରେ ପଟ୍ଟା ପାଇଁ ଆପଣାଛାଏଁ ସ୍ଲଟ୍ ଓ ଆଲଟ୍ ତହସିଲଦାରଙ୍କ ପାଖକୁ ଚାଲିଯିବ। ନକ୍ସା ସଂଶୋଧନରେ ବିଳମ୍ୱରୁ ଲୋକେ ଜମିର କେଉଁ ପାର୍ଟ କିଣୁଛନ୍ତି, ତାହା ଜଣାପଡ଼ୁନଥିଲା। ଏଣିକି ଏହି ସମସ୍ୟା ଦୂର ହେବ। ସର୍ବୋପରି ମ୍ୟାପ୍ ସଂଶୋଧନରୁ ମ୍ୟୁଟେସନ ପର୍ଯ୍ୟନ୍ତ ସବୁର ସରଳ ସମାଧାନ ହେବ। ରାଜସ୍ୱ ସେବାକୁ ଲୋକଙ୍କ ପାଖରେ ବିନା ହଇରାଣରେ, ବିନା ସମୟ ଅପଚୟରେ ଅନେକ ସଂସ୍କାର ଆଣିବାକୁ ଯୋଜନା ଭିତରେ ଏହା ଅନ୍ୟତମ। କିଣିବାର ନା ରିସ୍କ ଅଛି ନା ବିଭିନ୍ନ ଦପ୍ତର ଦୌଡ଼ିବାକୁ ପଡ଼ିବ। କଥା ପଡ଼ିଛି। ଏମିତିରେ ତହସିଲଦାରମାନେ କାର୍ଯ୍ୟଭାରରେ ନଇଁପଡ଼ିଲେଣି। ଫିଲ୍ଡ କାମ ଯେତିକି, ଅଫିସରେ କାମ ସେତିକି। ଆଉ ସବ-ରେଜିଷ୍ଟ୍ରାରଙ୍କ କାମ ଚଉକିରେ ବସି ଜମି କିଣାବିକାର ବୈଧତାକୁ ପରଖିବା ଓ ମୋହର ମାରିବା। ଏଭଳି ଯୋଜନା ଦ୍ୱାରା ସବ-ରେଜିଷ୍ଟ୍ରାରଙ୍କ କାମ ବଢ଼ିଲା ନା ତହସିଲଦାରଙ୍କ କାମ କମିଲା ବୋଲି ସବୁଠି ପ୍ରଶ୍ନବାଚୀ ଛିଡ଼ା ହୋଇଛି। ଏଭଳି ଯୋଜନାରେ ସବ-ରେଜିଷ୍ଟ୍ରାରଙ୍କ ଭୂମିକା ଗୌଣ ହେଲା ନା ତହସିଲଦାରଙ୍କ କାର୍ଯ୍ୟଚାପ କମିଲା।ତେବେ ସେବାକୁ ସହଜ ଓ ସରଳ କରିବାକୁ ଉଦ୍ୟମ କରିଥିବା ସରକାର ନିଶ୍ଚିତ ଏ ଦିଗକୁ ବି ଅନୁଧ୍ୟାନ କରିଥିବେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now