ତାଳଚେର ମେଡିକାଲ୍ କଲେଜ ପବିତ୍ର ମୋହନ ଙ୍କ ନାମରେ ନାମିତ ହେବ

ଭୁବନେଶ୍ୱର : ଓଡିଶା ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ସ୍ୱାଧିନତା ତଥା ସ୍ୱାଧିନତା ପରବର୍ତୀ ସମୟରେ ଓଡିଶାର ରାଜନୈତିକ ସାମାଜିକ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଳଚେର ରାଜାଙ୍କ ଅତ୍ୟାଚାର ଅନ୍ୟାୟ ବିରୋଧରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ନେତୃତ୍ୱ ନେବା ସହ ଭାରତଛାଡ ଆନ୍ଦୋଳନ ମଧ୍ୟ ସେ ଯୋଗ ଦେଇଥିଲେ । ସ୍ୱାଧିନତା ପରେ ସେ ବିଭିନ୍ନ ସମୟରେ ବିଧାୟକ, ସାଂସଦ, ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରି ରାଜ୍ୟର ବିକାଶରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି । ଶିକ୍ଷାର ବିକାଶ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଏକ ଦୁର୍ନୀତିମୁକ୍ତ ପ୍ରଶାସନ ଉପରେ ସେ ସର୍ବଦା ଗୁରୁତ୍ୱ ଦେଇ ଆସୁଥିଲେ ।

ସେହି ମହାନ ସଂଗ୍ରାମୀଙ୍କ ସ୍ମୃତିକୁ ସମ୍ମାନ ଜଣାଇ ତାଳଚେରରେ ପବିତ୍ର ମୋହନ ପ୍ରଧାନ ସ୍ମୃତି ପୀଠର ବିକାଶ କରାଯିବା ସହିତ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତି ସ୍ଥାପନ ଭୁବନେଶ୍ୱର ଠାରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଏହା ସହିତ ତାଳଚେର ମେଡିକାଲ କଲେଜ ଓ ହସ୍ପିଟାଲକୁ ମଧ୍ୟ ତାଙ୍କ ନାମରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ସେହିପରି କଣିହା ଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣାଧିନ ସେତୁକୁ ମଧ୍ୟ ସ୍ୱର୍ଗତ ପ୍ରଧାନଙ୍କ ନାମରେ ନାମିତ କରାଯିବ ।

ସୂଚନା ଯୋଗ୍ୟ ଯେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ଙ୍କ ଅନୁଗୋଳ ଗସ୍ତ ସମୟରେ ମହାନ୍ ସଂଗ୍ରାମୀ ସ୍ୱର୍ଗତ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ ମେଡିକାଲ କଲେଜ ହସ୍ପିଟାଲକୁ ତାଙ୍କ ନାମରେ ନାମିତ କରିବା ପାଇଁ ସ୍ଥାନୀୟ ଜନ ସାଧାରଣ ପ୍ରସ୍ତାବ ଦେଇଥିଲେ । ଲୋକଙ୍କ ଇଚ୍ଛା କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *