ବାହାନାଗା ରେଳ ଦୁର୍ଘଟଣାଗସ୍ତଙ୍କୁ ଭେଟିଲେ ତାମିଲନାଡୁ ବିଜେପି ପ୍ରତିନିଧି ଦଳ

Spread the love

ଭୁବନେଶ୍ୱର : ଗତ ୨ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ବାହାନାଗାଠାରେ ହାଓଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସର ଦୁଃଖଦାୟକ ଦୁର୍ଘଟଣାରେ ବହୁ ଯାତ୍ରୀ ମୃତାହତ ହୋଇଛନ୍ତି । ଏହି ଟ୍ରେନରେ ଯାତ୍ରା କରୁଥିବା ତାମିଲନାଡୁ ରାଜ୍ୟର ଅନେକ ଯାତ୍ରୀ ଥିଲେ । ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତ୍ୟୁବରଣ କରିଥିବାବେଳେ ଅନେକ ଯାତ୍ରୀ ସୋର, ବାଲେଶ୍ୱର, କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାମିଲନାଡୁ ରାଜ୍ୟର ଯାତ୍ରୀମାନଙ୍କ ସଂପର୍କରେ ଜାଣିବା ପାଇଁ ବିଜେପିର ଏକ ପ୍ରତିନିଧି ଦଳ ଓଡିଶା ଗସ୍ତ କରିଥିଲେ । ଏହି ପ୍ରତିନିଧି ଦଳ ବାହାନାଗା ଦୁର୍ଘଟଣା ସ୍ଥଳକୁ ଯିବା ସହ ସୋର, ବାଲେଶ୍ୱର, କଟକର ଏସସିବି ମେଡିକାଲ ଏବଂ ଭୁବନେଶ୍ୱରର ଏମ୍ସ, କ୍ୟାପିଟାଲ ଓ ଅନ୍ୟାନ୍ୟ ମେଡିକାଲକୁ ଯାଇ ଚିକିତ୍ସିତ ହେଉଥିବା ତାମିଲନାଡୁ ରାଜ୍ୟର ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ମୃତାହତଙ୍କୁ ତାଙ୍କ ରାଜ୍ୟକୁ ଫେରାଇ ନେବା ପାଇଁ ମଧ୍ୟ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।

ଗସ୍ତ ଅବସରରେ ଏହି ପ୍ରତିନିଧି ଦଳର ସଦସ୍ୟ ଏମ.କେ.ରବିଚନ୍ଦ୍ରନ, କେ.ପି.ଜୟକୁମାର ଏବଂ ଏନଏଏସ୍ ପ୍ରସାଦ ପ୍ରମୁଖ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତିଙ୍କ ସହ ଆଲୋଚନା କରିଥିଲେ । ଏଭଳି ଦୁଃଖଦ ସମୟରେ ସ୍ଥାନୀୟ ଓଡିଆ ଭାଇ ଓ ଭଉଣୀ ଏବଂ ବିଜେପି କାର୍ଯ୍ୟକର୍ତାଙ୍କ ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *