ଓଡ଼ିଶାଜାତୀୟରାଜନୀତି

ଓଡିଶାରେ ଆପ୍ଲାଇ ହେବ ତେଲେଙ୍ଗାନା ଫର୍ମୁଲା

() ମହାନଦୀରେ ପାଣି, ତାଳଚେରରେ କୋଇଲା। ତା ସତ୍ତ୍ୱେ ଓଡ଼ିଶା କାହିଁକି ପଛରେ। ଗୋଟିଏ ତୀରରେ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରି ତେଲେଙ୍ଗାନା ଭବନରୁ ମିଶ୍ରଣ ପର୍ବରେ ଅବକି ବାର୍ କିଷାନ ସରକାର ବୋଲି ଆହ୍ୱାନ ଦେଇଛନ୍ତି ବିଆରଏସ ମୁଖ୍ୟ କେସିଆର। ସେପଟେ ବିଆରଏସର ଏଭଳି ଓଡ଼ିଶା ଦଖଲ ଆଭିମୁଖ୍ୟ ନେଇ ବିଜେଡି, ବିଜେପି ସମେତ କଂଗ୍ରେସ ଉପହାସ କରିଛି।

ତେଲେଙ୍ଗାନା ମଡେଲ୍ ଓଡ଼ିଶାରେ। ଏଥିଲାଗି ଅଣ୍ଟା ଭିଡ଼ିଛନ୍ତି ଓଡ଼ିଶାରୁ ବିଆରଏସରେ ସାମିଲ ହୋଇଥିବା ନେତାଏ। ତେଲେଙ୍ଗାନା ଭବନରେ ଦଳରେ ବିଧିବଦ୍ଧ ଭାବେ ମିଶିବା ପରେ ଆଗାମୀ ରୋଡମ୍ୟାପ୍ ନେଇ ହାଇଦ୍ରାବାଦରେ ମାନସମନ୍ଥନ କରିଛନ୍ତି। ଦଳୀୟ ସଂଗଠନର ସଂରଚନା କରିଛନ୍ତି। କେସିଆର ବି ଗୁରୁମନ୍ତ୍ର ଦେଇ ଆହ୍ୱାନ ଦେଇଛନ୍ତି, ଅବ୍ କି ବାର୍ କିଷାନ ସରକାର। କିଛି ଦଳର ଏକମାତ୍ର ଏଜେଣ୍ଡା। ଯେନତେନ ପ୍ରକାରେ ନିର୍ବାଚନ ଜିତିବୁ। ନେତା ଓ ଦଳ ଜିତୁଛି। କିନ୍ତୁ ଜନତା ହାରିଯାଉଛି। ମହାନଦୀରେ ବହୁତ ପାଣି। ହେଲେ ଓଡ଼ିଶା ଏହାର ଉପଯୋଗ କରିପାରୁନି। ତାଳଚେରରେ ପ୍ରଚୁର କୋଇଲା। ତା ସତ୍ତ୍ୱେ ବିଜୁଳି କ୍ଷେତ୍ରରେ ଓଡ଼ିଶା ପଛୁଆ। ସର୍ବୋପରି ଜନତା, ଚାଷୀ ଓ ଗରିବଙ୍କ ସହ ଖେଳ ଚାଲିଛି।

ଗିରିଧରଙ୍କୁ ରାଜନୀତିର ଭୀଷ୍ମପିତାମହ ଓ ନବନିର୍ମାଣ କୃଷକ ସଂଗଠନର ଅକ୍ଷୟଙ୍କୁ ଗାନ୍ଧୀ ଚିନ୍ତାଧାରାର ଅନ୍ୟାୟ ବିରୋଧୀ ଲଢ଼େଇର ସାରଥୀ କହି ଭୁରି ଭୁରି ପ୍ରଶଂସା କରିଥିଲେ କେସିଆର୍। ତେଲେଙ୍ଗାନାରେ ଚାଷୀ ଯଦି ଖୁସିରେ ଅଛି, ଓଡ଼ିଶାରେ କାହିଁକି ନୁହେଁ ବୋଲି ପଚାରିଛନ୍ତି। ତେବେ ଗୋଟିଏ ଗୁଳିରେ ଦୁଇଟି ତୀର ମାରିଛନ୍ତି କେସିଆର୍। ଜୟରାମ ପାଙ୍ଗିଙ୍କ କଟ୍ଟର ବିରୋଧୀ ଗମାଙ୍ଗ ହେବା ସତ୍ତ୍ୱେ ପାଙ୍ଗି କିଭଳି ଦିଲ୍ଲୀ ଯାଉଥିଲା ବେଳେ ଗମାଙ୍ଗଙ୍କ ଘରେ ରହୁଥିଲେ, ସେ କଥାର ଅବତାରଣା କରି ଉଭୟ ପାଙ୍ଗି ଓ ଗମାଙ୍କଙ୍କ ଭିତରେ ମନୋମାଳିନ୍ୟ ନାହିଁ ବୋଲି ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ କେସିଆର୍।

ତେବେ ବିଆରଏସରେ ସାମିଲ ଓଡ଼ିଶା ନେତାଙ୍କୁ ତେଲେଙ୍ଗାନାର ବିକାଶ ଏଜେଣ୍ଡାର ଦ୍ୱାହି ଦେଇଥିବା କେସିଆରଙ୍କୁ ସମାଲୋଚନା କରିଛି ବିଜେପି ଓ ବିଜେଡି। ବିଜେଡି କହିଛି, ଗମାଙ୍ଗଙ୍କ ପକେଟ୍ ଭୋଟ୍ ବିଆରଏସକୁ ଯାଇପାରେ। ଦକ୍ଷିଣ ଓଡ଼ିଶାରେ ତା ପୁଣି ଲକ୍ଷେ ଟପିବନି। ଅନେକ ନେତା ବିଜେପିରୁ ହିଁ ଯାଇଛନ୍ତି ବିଆରଏସକୁ। ବିଜେଡିର ଭୋଟ ବ୍ୟାଙ୍କ ସ୍ଥିର। ସେପଟେ ବିଜେପି କହିଛି, କୌଣସି ପ୍ରଭାବ ପକାଇବନି। ମୋଦିଙ୍କ ବିକାଶ ମଡେଲ୍ ସବୁଠି ପ୍ରଭାବୀ। ଆଉ କଂଗ୍ରେସ କହିଛି, ବିଜେପି ସଂଗଠନ ଏବେ ଭାଗ ଭାଗ। ଗିରିଧରଙ୍କୁ ବିଜେପି ବ୍ୟବହାର କରିବା ପରେ ଅପମାନିତ କଲା। କଂଗ୍ରେସରୁ ଲୋକ ନେଇ ନିଜ ଶକ୍ତି ବୃଦ୍ଧି ଲକ୍ଷ୍ୟରେ ଥିବା ବିଜେପି ସଫଳ ହୋଇପାରିବନି।

ବିଆରଏସର ପ୍ରଭାବ କଅଣ ପଡ଼ିବ ତାହା ତ ପର କଥା। କିନ୍ତୁ ଅନେକ କଣଠେସା ନେତା, ରାଜ୍ୟ ସରକାରଙ୍କ ଚକ୍ଷୁଶୀଳ କୃଷକ ନେତା, ଆରଟିଆଇ କର୍ମୀ ପ୍ରଭୃତିଙ୍କୁ ବିଆରଏସରେ ସାମିଲ ପରେ ଏମାନଙ୍କ ଗ୍ରହଣୀୟତା ଓଡ଼ିଶା ରାଜନୀତିରେ କେତେ ପ୍ରଭାବୀ ହେଉଛି ସମୟ କହିବ।

କେନ୍ଦ୍ରାପଡ଼ାରୁ ଦିଲ୍ଲୀପ ମହାନ୍ତି ଓ ଭୁବନେଶ୍ୱରରୁ ସିମ୍ପୁଲ ନାୟକଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button