ମଧୁବାବୁ ପେନସନ୍ ଯୋଜନାରେ ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀଙ୍କୁ ସାମିଲ କଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁବାବୁ ପେନସନ୍ ଯୋଜନା ପରିସରକୁ ବୃଦ୍ଧି କରିଛ୍ତି । ସେ ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀଙ୍କୁ ସାମିଲ କରିଛନ୍ତି । ଏଥିସହ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୨୮ଲକ୍ଷ ୬୧ହଜାରରୁ ୩୨ଲକ୍ଷ ୭୫ହଜାରକୁ ବୃଦ୍ଧି ପାଇଛି। ଅଗଷ୍ଟ ୧୫ତାରିଖ ଜନସେବା ଦିବସରେ ନୂଆ ହିତାଧିକାରୀ ସେମାନଙ୍କ ପ୍ରଥମ ପେନସନ୍ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗ୍ରାମପଞ୍ଚାୟତ ହେଡକ୍ୱାଟର୍ ଓ ୱାର୍ଡ କାର୍ଯ୍ୟାଳୟରେ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ସେମାନଙ୍କୁ ପେନସନ୍ ଦିଆଯିବ। କ୍ୟାମ୍ପ କରି ହିତାଧିକାରୀଙ୍କୁ ପେନସନ୍ ବଣ୍ଟନ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି। ସିଏମଓଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ମୋ ସରକାରରେ ମିଳିଥିବା ଫିଡବ୍ୟାକ ଆଧାରରେ ଅଧିକ ଲୋକଙ୍କୁ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

ବୟସ୍କ, ବିଧବା, ଦିବ୍ୟାଙ୍ଗ, ଅବିବାହିତ ମହିଳା, କୋଭିଡରେ ଅନାଥ ପିଲା, ଏଡସ ରୋଗୀଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ପେନସନ୍ ଦିଆଯାଉଛି । ୭୯ବର୍ଷ କିମ୍ବା ତାଠୁ କମ୍ ହିତାଧିକାରୀଙ୍କୁ ମାସିକ ୫ଶହ ଟଙ୍କା, ୮୦ରୁ ଅଧିକ ବୟସ୍କଙ୍କୁ ମାସିକ ୭ଶହ ଟଙ୍କା ଦିଆଯାଉଛି। ସେହିପରି ୪୦ରୁ ୫୯ପ୍ରତିଶତ ଦିବ୍ୟାଙ୍ଗଙ୍କୁ ୫ଶହ, ୬୦ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ୭ଶହ, ୬୦ ପ୍ରତିଶତରୁ ଅଧିକ ଶାରିରୀକ ଅକ୍ଷମତା ଥିବା ୮୦ବର୍ଷରୁ ଅଧିକଙ୍କୁ ମାସିକ ୯ଶହ ଟଙ୍କା ପେନସନ୍ ଦିଆଯାଉଛି । ୪ଲକ୍ଷ ୧୩ହଜାର ଅତିରିକ୍ତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ଦ୍ୱାରା ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି କୁହା ଯାଇଛି ।

Leave a Reply

Your email address will not be published. Required fields are marked *