ଭରାନଦୀରେ ପାର ହେଉଛନ୍ତି ରୋଗୀ

ଭରାନଦୀରେ ଜୀବନକୁ ବାଜି ଲଗାଇ ପାର ହେଉଛନ୍ତି ରୋଗୀ। ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। ଫଳରେ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ସେତିକି ନୁହେଁ ହସ୍ପିଟାଲ ଯିବାକୁ ହେଲେ ବା ସ୍କୁଲ ଯିବାକୁ ହେଲେ ଏହି ଭରାନଦୀରେ ଜୀବନକୁ ବାଜି ଲଗାଇ ଯିବାକୁ ପଡିଥାଏ। ଏ ହେଉଛି ଜୟପୁର ନିର୍ବାଚନ ମଣ୍ଡଳୀ ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଉପାନ୍ତ ପଂଚାୟତ ହରଡାଗୁଡା ପଟାରାଙ୍ଗଣି ଚାବେରି ନଦୀର ଦୃଶ୍ୟ। ଗତକାଲି ଜଣେ ଗର୍ଭବତୀଙ୍କୁ ଏକ ହଣ୍ଡା ଯୋଗେ ନଦୀ ପାରକରାଯାଇ ଥିବାବେଳେ ଆଜି ପୁଣି ଜଣେ ଜ୍ୱରରେ ପୀଡିତ ରୋଗୀଙ୍କୁ ଷ୍ଟ୍ରେଚର ଯୋଗେ ତାଙ୍କ ସମ୍ପର୍କୀୟ ଭରାନଦୀ ପାର କରି ମେଡିକାଲ ନେଇ ଛନ୍ତି। ଏମିତି ପ୍ରତିଦିନ ଜୀବନକୁ ବାଜି ଲଗାଇ ଉଛୁଳା ନଦୀ ପାର ହେଉଛନ୍ତି ଏଠାକାର ଲୋକେ। ସେପଟେ ଚାବିରି ନଦୀ ବିଗତ ୩ ବର୍ଷରେ ତିନିଟି ଜୀବନ ନେଇସାରିଛି। ତେବେ ତିନି ବର୍ଷ ଧରି ଚାଲିଆସୁଥିବା ପୋଲ ନିର୍ମାଣ କାମ ୫୦ ପ୍ରତିଶତ ମଧ୍ୟ ହୋଇପାରିନାହିଁ। ଏନେଇ ଗ୍ରାମବାସୀ ବାରମ୍ୱାର ପ୍ରଶାସନଙ୍କ ପାଖରେ ଅଭିଯୋଗ କରୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି ।