ସରକାର ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷାନୁକୁଳ ପରିବେଶ ସହ ଆକର୍ଷଣୀୟ ସ୍କୁଲର ବ୍ୟବସ୍ଥା କରୁଛନ୍ତି। କିନ୍ତୁ ଏସବୁ ବର୍ତ୍ତମାନ କାଗଜପତ୍ରରେ ଶୋଭା ପାଉଥିବା ବେଳେ ବାସ୍ତବିକ ଚିତ୍ର ଦେଖିଲେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର ଜଳଜଳ ହୋଇ ବାରି ହୋଇପଡୁଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ୟାଳୟ ଅଧୀନରେ ଥିବା ମଙ୍ଗଳପୁର କୋଲନିପଡ଼ାର ପ୍ରାଥମିକ ବିଦ୍ୟାଳୟ । ୨୦୨୧ ମସିହାରେ ବିଦ୍ୟାଳୟ ଭାଙ୍ଗିଯିବା ଦିନଠୁ ଆଜି ଯାଏଁ ଏଠି କାହାରି ଦୃଷ୍ଟି ପଡିନାହିଁ । ପାଖରେ ଥିବା ମିଶନ ଶକ୍ତି ଓ ପିଇଓ କ୍ୱାଟରରେ ପାଠପଢ଼ା ଚାଲିଛି । ସ୍କୁଲରେ ସମୁଦାୟ ୫୭ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଗୋଟିଏ ଘରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲା ପାଠ ପଢୁଛନ୍ତି। ଯାହାକି ଉଭୟ ପିଲା ଓ ଶିକ୍ଷକଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ପ୍ରଥମ ଶ୍ରେଣୀ ପିଲା ଯେଉଁ ବିଷୟ ପଢ଼ୁଛନ୍ତି ପଞ୍ଚମ ଶ୍ରେଣୀ ପିଲାଙ୍କୁ ମଧ୍ୟ ସେହି ବିଷୟ ପଢ଼ିବାକୁ ପଡୁଥିବା ବେଳେ ଉପର ଶ୍ରେଣୀ ପିଲାଙ୍କ ପାଠ ମଧ୍ୟ ତଳ ଶ୍ରେଣୀ ପିଲାଙ୍କୁ ଶୁଣିବାକୁ ପଡୁଛି । କିନ୍ତୁ ସବୁ ଜାଣି ମଧ୍ୟ ନିରବ ଦ୍ରଷ୍ଟା ସାଜିଛି ଶିକ୍ଷା ବିଭାଗ ତଥା ବ୍ଲକ ପ୍ରଶାସନ। ତେବେ ସ୍କୁଲ ଘର ଭଲଥିବା ସମୟରେ ପ୍ରାୟ ୧୩୫ ଜଣ ପିଲା ଏଡମିଶନ ନେଇ ପାଠ ପଢ଼ୁଥିବା ବେଳେ ଏବେକାର ଏହି ଅବ୍ୟବସ୍ଥା ପାଇଁ ଆର୍ଥିକ ଅନଟନ ଥାଇ ମଧ୍ୟ ପିଲାଙ୍କୁ ଘରୋଇ ସ୍କୁଲକୁ ପଠାଇବା ପାଇଁ ବାଧ୍ୟ ହୋଇଉଛନ୍ତି ଅବିଭାବକ । ନୂତନ ସ୍କୁଲ ଘର ପାଇଁ ଗ୍ରାମବାସୀ ଓ ପ୍ରଧାନ ଶିକ୍ଷକ ଅନେକ ଥର ବ୍ଲକ ପ୍ରଶାନ ଠୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଆଜି ଯାଏଁ କିଛି ସୁଫଳ ମିଳି ପାରିନାହିଁ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now