ଭୁବନେଶ୍ୱର : ସାଧାରଣ ଜନତାଙ୍କ କଲ୍ୟାଣ ପ୍ରଶାସନିକ ଅଧିକାରୀଙ୍କ ମୂଳମନ୍ତ୍ର ହେଉ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତିତ ୫-‘ଟି’ ରାଜ୍ୟ ପ୍ରଶାସନ କ୍ଷେତ୍ରରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇ ପାରିଥିବାବେଳେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାକୁ ୫-‘ଟି’ ଆଧାରରେ କାର୍ଯ୍ୟକାରୀ କରି ଜନସାଧାରଣଙ୍କ ସମୂହ କଲ୍ୟାଣ ହାସଲ କରିବା ଦିଗରେ ପ୍ରଶାସନିକ ଅଧିକାରୀମାନେ ବ୍ରତୀ ହୁଅନ୍ତୁ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି ଗୋପବନ୍ଧୁ ଏକାଡେମୀ ଅଫ୍ ଆଡ୍ମିନିଷ୍ଟ୍ରେସନ୍ଠାରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରୋବେସନାରୀ ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ପ୍ରଶାସନିକ ଅଧିକାରୀମାନେ ଜନସାଧାରଣ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସେତୁ ରୂପେ କାର୍ଯ୍ୟ କରିଥାଆନ୍ତି । ଜନସାଧାରଣଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ବିଧିବ୍ୟବସ୍ଥା ମଧ୍ୟରେ ନିରପେକ୍ଷତା ଅବଲମ୍ବନ କରି ସେମାନଙ୍କର ସମସ୍ୟାର ସମାଧାନ ଦିଗରେ ଅଧିକାରୀମାନେ କାର୍ଯ୍ୟ କରିବା ଉଚିତ । କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳତା ଓ ମାନବୀୟ ସ୍ପର୍ଶ ରହିଲେ ଅଧିକାରୀମାନେ ସଫଳ ହେବା ସହିତ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ପାରିବେ । ସଂପ୍ରତି ପ୍ରଶାସନିକ କ୍ଷେତ୍ରରେ ଓ ଏହାର ଆଭିମୁଖ୍ୟରେ ବ୍ୟାପକ ପରିବର୍ତନ ଆସିଛି । ପ୍ରଶାସନିକ କ୍ଷେତ୍ରରେ ସେମାନଙ୍କୁ ଉନ୍ନୟନ ପ୍ରଶାସକ ଭାବରେ କାର୍ଯ୍ୟକରିବାକୁ ପଡ଼ିବ । ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହିଳା ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଙ୍କ କଲ୍ୟାଣ ଆଦି ଉପରେ ସର୍ବାଧିକ ପ୍ରାଧାନ୍ୟ ଦେଉଥିବାବେଳେ ଜନସାଧାରଣଙ୍କ ସହିତ ସମନ୍ୱୟ ରଖି ଏସବୁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ ।
ସଂପ୍ରତି ଡାକ୍ତରୀ, ଇଂଜିନିୟରିଂ, ମ୍ୟାନେଜ୍ମେଂଟ, କୃଷି ଆଦି ବିଭିନ୍ନ ବୈଷୟିକ କ୍ଷେତ୍ରରେ ତାଲିମପ୍ରାପ୍ତ
ଯୁବକଯୁବତୀମାନେ ଅଧିକ ସଂଖ୍ୟାରେ ପ୍ରଶାସନିକ ସେବା କ୍ଷେତ୍ରକୁ ଆକର୍ଷିତ ହେଉଥିବାବେଳେ ବୈଷୟିକ କ୍ଷେତ୍ରରେ ସେମାନଙ୍କର ପାରଦର୍ଶିତା ଓ ଜ୍ଞାନ ଯୋଜନା ପ୍ରସ୍ତୁତ ଓ ପ୍ରଣୟନ କ୍ଷେତ୍ରରେ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହେଉଛି ବୋଲି ଶ୍ରୀ ସ୍ୱାଇଁ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ଷେତ୍ରର ଦକ୍ଷତା, ନୀତିନିୟମର ଅନୁପାଳନ ଏବଂ ନିରପେକ୍ଷତା ଅବଲମ୍ବନ କରି ଜନସାଧାରଣଙ୍କ ସେବା ଓ ବିଶେଷ କରି ସମାଜର ସମ୍ବେଦନଶୀଳ ବର୍ଗଙ୍କ ସେବା କରିବା ପ୍ରଶାସନିକ ଅଧିକାରୀଙ୍କ ମୂଳ ଲକ୍ଷ୍ୟ ହେଉ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ସଂପ୍ରତି ରାଜ୍ୟ ସରକାର ଅନେକଗୁଡ଼ିଏ ନାଗରିକକୈନ୍ଦ୍ରିକ ସେବା କାର୍ଯ୍ୟକାରୀ କରୁଥିବାବେଳେ ଏହାର ଲାଭ ଯେପରି ଉଦ୍ଦିଷ୍ଟ ବର୍ଗର ହିତାଧିକାରୀଙ୍କ ନିକଟରେ ଠିକ୍ ସମୟରେ ଓ ଠିକଣା ଭାବେ ପହଂଚିପାରିବ ସେଥିପ୍ରତି ସଜାଗ ଦୃଷ୍ଟିଦେବା ଆବଶ୍ୟକ । ‘ମୋ ସରକାର’ ମାଧ୍ୟମରେ ଜନସାଧାରଣଙ୍କ ପ୍ରତିକ୍ରିୟା ସଂଗ୍ରହ କରି ଆବଶ୍ୟକୀୟ ପଦକ୍ଷେପ ନେବା ଦିଗରେ ପ୍ରଶାସନିକ ଅଧିକାରୀମାନେ ସ୍ୱତନ୍ତ୍ର ଧ୍ୟାନଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡ୍ମିନିଷ୍ଟ୍ରେସନ୍ର ମହାନିର୍ଦ୍ଦେଶକ ରାଜକୁମାର ଶର୍ମା, ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ମନୀଷ ଅଗ୍ରୱାଲ ଏବଂ ଅତିରିକ୍ତ କମିଶନର ଶ୍ରୀ ହିମାଂଶୁ ଭୂଷଣ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now