ଓଡ଼ିଶାଜାତୀୟ

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି। ତିନି ରଥରେ ଲାଗି ହେବ ୯ ତୁମ୍ୱି ପଣା। ସନ୍ଧ୍ୟାରେ ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ପରମ୍ପରା ଅନୁଷ୍ଠିତ ହେବ। ଏନେଇ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ଆଜି ସକାଳେ ତିନି ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନୀତି ଚାଲୁ ରହିଛି।| ତିନି ରଥରେ ଠାକୁରମାନଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଗହଳି ସକାଳୁ ସକାଳୁ ଦେଖିବାକୁ ମିଳିଛି। ତିନିରଥକୁ ସ୍ୱତନ୍ତ୍ର ଉପଚାରରେ ପୂଜା କରାଯାଇ ପ୍ରସ୍ତୁତ କରାଯାଇଥିବା ସମୟରେ ରଥରେ ବହୁ ଦେବାଦେବୀ ବିରାଜମାନ କରିଥାନ୍ତି। ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପର୍ଣ୍ଣ ପରେ ସମସ୍ତ ପାର୍ଶ୍ୱ ଦେବଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାମାନଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥ ଉପରେ ଭଙ୍ଗା ଯିବାର ବିଧି ରହିଛି । ତିନିରଥରେ ନିର୍ମାଣ ପରେ ସ୍ୱତନ୍ତ୍ର ଭାବେ ପାର୍ଶ୍ୱଦେବାଦେବୀମାନେ ବିଜେ କରି ନବଦିନ ଯାତ୍ରାରେ ମହାପ୍ରଭୁଙ୍କ ସହ ଯାଇଥିଲେ। ତେବେ ସେମାନଙ୍କ ସନ୍ତୁଷ୍ଟି ପାଇଁ ସ୍ୱତନ୍ତ୍ର ଭାବେ ବଡଓଡ଼ିଆ ମଠ, ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଛେନା ,ଛାଚି , କ୍ଷୀର ,ସର,ଗୋଲମରିଚ ,କର୍ପୁର ,ଜାଇଫଳ,କଦଳୀ ଆଦିକୁ ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯିବା ସହ ଏହାକୁ ରଥ ଉପରେ ଭଙ୍ଗାଯିବ। ତୁମ୍ଭକାର ଆକାରରେ ନିର୍ମିତ ମାଟିହାଣ୍ଡିରେ ଏହି ଦୁର୍ଲଭ ପଣା ପ୍ରସ୍ତୁତ କରାଯିବ। ସିଂହଦ୍ୱାର ସମ୍ମୁଖ ଛାଉଣୀମଠର କୂଅରୁ ପାଣିଆ ଆପଟ ସେବକ ମାନେ ପଣା ପାଇଁ ପାଣି ଯୋଗାଇବେ। ପରେ ପତ୍ରିବଡୁ ,ସୁଆର ବଡ଼ୁ,ଗରାବଡୁ ସେବକ ତିନିରଥରେ ପଣା ପ୍ରସ୍ତୁତ କରିବା ସହ ପୂଜାପଣ୍ଡାମାନେ ପଞ୍ଚ ଉପଚାରରେ ପୂଜା କରି ରଥ ଉପରେ ଅଧର ହାଣ୍ଡିକୁ ଭାଙ୍ଗିଵା ପରେ ପାର୍ଶ ଦେବା ଦେବୀ, ଚଣ୍ଡୀ ଚା ମଣ୍ଡା, ଓ ଅଶରିରିମାନେ ଏହି ପଣାକୁ ପାଇଁ ଆତ୍ମତୃପ୍ତି ଲାଭ କରିବେ। ମଧ୍ୟାହ୍ନ ଧୂପ ପରେ ଅଧରପଣା ନୀତି ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଗତକାଲି ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମାର୍କେଟ ଛକରୁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା । ଅପରାହ୍ନ ୫ଟାରୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ଦୁର୍ଲ୍ଲଭ ସୁନାବେଶ ଦର୍ଶନ କରିଥିଲେ।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button