ରାଜନୀତି

ଅଘୋଷିତ ବିଦ୍ୟୁତ କାଟ ରାଜ୍ୟ ସରକାରଙ୍କ ଶାସନଗତ ବିଫଳତା

ଭୁବନେଶ୍ୱର : ଓଡ଼ିଶାର କୋଇଲାରେ ଭାରତର ଅନେକ ରାଜ୍ୟରେ ବିଜୁଳି ଉତ୍ପାଦିତ ହୁଏ, କିନ୍ତୁ ରାଜ୍ୟରେ ଦୀପ ତଳ ଅନ୍ଧାର ବୋଲି ଅଘୋଷିତ ବିଦ୍ୟୁତ କାଟ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ଓଡ଼ିଶାରେ କିଛି ଦିନ ହେଲା ବିଚିତ୍ର କଥା ଦେଖିବାକୁ ମିଳୁଛି । ଶକ୍ତି ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଜେଡି ନେତାଙ୍କର ପରସ୍ପର ବିରୋଧୀ ବକ୍ତବ୍ୟ ଶୁଣିବାକୁ ମିଳୁଛି । ଏହା ରାଜ୍ୟ ସରକାରଙ୍କ ଶାସନଗତ ବିଫଳତାର ସବୁଠୁ ଚରମ ନିଦର୍ଶନ । ଓଡ଼ିଶାର କୋଇଲାରେ ଭାରତର ଅନେକ ରାଜ୍ୟରେ ବିଜୁଳି ଉତ୍ପାଦିତ ହୁଏ ଓ ଲୋକ ମାନେ ଆଲୋକ ପାଆନ୍ତି । କିନ୍ତୁ ଯେମିତି ଦୀପ ତଳ ଅନ୍ଧାର, ସେମିତି ଓଡ଼ିଶାରେ ଏତେ ପରିମାଣରେ କୋଇଲା ଓ ଜଳ ବିଦ୍ୟୁତ୍ ପ୍ରକଳ୍ପ ଥିବା ପରେ ବି ଅବ୍ୟବସ୍ଥା ଏବଂ ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଲୋକ ହଇରାଣ ହେଉଛନ୍ତି । ଓଡ଼ିଶାରେ ଶାସନ ବିଫଳ ହୋଇଛି । ଶାସକ ଦଳର ନିର୍ବାଚିତ ପ୍ରତିନିଧି ମାନେ ତାଙ୍କ କାମରେ ନାହାନ୍ତି । ଯେଉଁମାନେ ସମ୍ଭାଳିବା କଥା ସେମାନେ ପ୍ରଚାର ଧର୍ମୀ କାମରେ ଲାଗିଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କ ବକ୍ତବ୍ୟ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯଦି ଶାସନ ମୁଖ୍ୟ, ଶାସନ ବ୍ୟବସ୍ଥା ହୁଗୁଳି ଗଲା ପରେ ଚଳିବନି ବୋଲି କହିବେ, ତେବେ କିଏ ଚଲାଇବ ? ଶକ୍ତି ମନ୍ତ୍ରୀ ବିତଣ୍ଡା ତର୍କ ବାଢ଼ଛନ୍ତି । ମନ୍ତ୍ରୀ ଓ ସଚିବ ମାନଙ୍କ ବକ୍ତବ୍ୟରେ ତାଳମେଳ ନାହିଁ । ତେଣୁ ଏହା ଏକ ବିପର୍ଯ୍ୟସ୍ତ ପରିସ୍ଥିତି ଆଡ଼କୁ ଯାଉଛି । ବୟାନ ବାଜି ଏବଂ ସାଙ୍କେତିକ କାମରୁ ସରକାର ନିବୃତ୍ତ ହୋଇ ଗଭର୍ଣ୍ଣାସ କାମରେ ଲାଗନ୍ତୁ । ଯେଉଁ କମ୍ପାନୀକୁ ବିଜୁଳି ବିତରଣ ଦାୟିତ୍ୱ ଦେଇଛନ୍ତି, ତାଙ୍କ ସହ ଲୋକଙ୍କୁ ନିରନ୍ତର ବିଜୁଳି ବିତରଣ ହେବା ନେଇ ସରକାର ନିଶ୍ଚିତ ଭାବେ ଚୁକ୍ତି କରିଥିବେ । ତେଣୁ ଯେଉଁ ଚୁକ୍ତି କରିଯାଇଛି ତାକୁ କ୍ରିୟାନ୍ୱୟନ କରାଯାଉ ।

ସାଧାରଣ ଜନତା ତଥା ବିଦ୍ୟୁତ ଉପଭୋକ୍ତ ଶୁଳ୍କ ଦେଉଛନ୍ତି । ଏ ଖରା ଓ ଅସହ୍ୟ ଗୁଳୁଗୁଳି ବେଳେ ଅଭାବନୀୟ ପରିସ୍ଥିତି ହେଉଛି । ତେଣୁ ଯେତେବେଳେ ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡେ, ସେତେବେଳେ ଲୋକଙ୍କୁ ଏ ପ୍ରକାର ଦୁର୍ଦ୍ଦଶା ଭୋଗିବା ପାଇଁ ପଡେ । ଯେତେବେଳେ ମନ୍ତ୍ରୀ କହିବେ, ଏଇଟା ପାୱାର କଟ ନୁହେଁ । ମୁଖ୍ୟ ଶାସନ ସଚିବ ବିତରଣ କମ୍ପାନୀକୁ ଆଙ୍ଗୁଳି ଦେଖାଇବେ । ଯଦି ଶାସନରେ ଥିବା ବ୍ୟକ୍ତି ମାନେ ଓଡ଼ିଆ ଲୋକ ମାନେ ଏତେ ସରଳ ଓ ବୋକା ବୋଲି ଭାବୁଛନ୍ତି, ତାହେଲେ ଏହା ଗଣତନ୍ତ୍ର ପାଇଁ ଏହା ଭଲ ଲକ୍ଷଣ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button