ଟିଟିଲାଗଡ଼ ପୌରପରିଷଦରେ ମହା ଦୁର୍ନୀତି। ଠିକା ସଂସ୍ଥାର ପ୍ରୀତିରେ ଉବୁଟୁବୁ ପୌରପରିଷଦ। ୩ ବର୍ଷରେ ୪ କୋଟି ଟଙ୍କା ହଡ଼ପର ଅଭିଯୋଗ ଆସିଛି। ସୂଚନା ଅଧିକାର ଆଇନ ବଳରେ ଏହି ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଏହି ଦୁର୍ନୀତିରେ ପୌରପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ, ପରିମଳ ଦାୟିତ୍ୱରେ ଥିବା ଅଧିକାରୀ ଶୁଭସ୍ମିତା ଧଳ, କାର୍ଯ୍ଯନିର୍ବାହୀ ଅଧିକାରୀ ପ୍ରମୁଖ ସାମିଲ ଥିବାର ଆରୋପ ଲଦିଛନ୍ତି ସୂଚନା ଅଧିକାର କର୍ମୀ ହରି ବହିଦାର। ଟେଣ୍ଡରରେ ଚୁକ୍ତିନାମା ବେଳେ ନା ଉଲ୍ଲେଖ ଅଛି ଧାର୍ଯ୍ୟ ରାଶି ନା ରହିଛି ସଫେଇ କର୍ମଚାରୀଙ୍କ ସଂଖ୍ୟା। କେତେ ଟଙ୍କାରେ ଚୁକ୍ତିନାମା ହେଲା, ତାହାର କୌଣସି ଠିକଣା ନାହିଁ। ବର୍ଷେ ଲାଗି ଚୁକ୍ତିନାମା ହେଲା ସତ। ହେଲେ ପୌରପରିଷଦ ପକ୍ଷରୁ ସଫେଇ କାମ ରୀତିମତ ଚାଲିଲା। ଅର୍ଥାତ୍ ଆଉ ୨ବର୍ଷ କାମ କେଉଁ ଆଧାରରେ ଚାଲିଥିଲା। ଏପରିକି ଠିକାଦାରଙ୍କ ପାଦ ବି ସହରରେ ଦିନେ ବି ପଡ଼ିଲାନି ବୋଲି ସାମ୍ୱାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ହରି। ଟେଣ୍ଡର ଅନୁସାରେ ସଫେଇ କାମ ଲାଗି ୨କୋଟି ୨୬ଲକ୍ଷ ୭୩ହଜାର୮୩୧ ଟଙ୍କା ରଖାଯାଇଥିଲା। କାମ ପାଇଥିଲେ ଠିକାଦାର ସୁରେନ୍ଦ୍ର ବାରିକ। ୧୪.୯୯ ପ୍ରତିଶତ କମରେ କାମ ପାଇଥିବା ଠିକାଦାର ୧ କୋଟି୯୨ଲକ୍ଷ ଟଙ୍କା ପାଇବା କଥା। ହେଲେ ଏଠାରେ କେମିତି ସମସ୍ତ ରାଶି ପରିଷଦ ତାଙ୍କୁ ଦେଇଦେଲା ବୋଲି ପ୍ରଶ୍ନ ଉଠୁଛି। ସେପଟେ ଟିଟିଲାଗଡ଼ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦନ କୁମାର ଶତପଥୀଙ୍କ କହିବା କଥା, ସେ ଗଲା କିଛି ଦିନ ହେଲା ଦାୟିତ୍ୱ ବହନ କରିଛନ୍ତି। ଫାଇଲ୍ ଦେଖିବେ। ଟେଣ୍ଡର ଓ କାମ ଭିତରେ କିଛି ଅସଙ୍ଗତି ଥିଲେ, ତାକୁ ତଦନ୍ତ କରିବେ। ଚଳିତ ବର୍ଷ ଅନ୍ୟ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଛି।
ଟିଟିଲାଗଡ଼ରୁ ସଞ୍ଜୟ ବେହେରାଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp
Join and get latest news update delivered to you via whatsapp
Join Now