ପୁରୀ : ଆଜି ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ରଥ ଉପରେ ଶ୍ରୀଜୀଉମାନଙ୍କ ସୁନା ବେଶ ଅନୁଷ୍ଠିତ ହେବ । ମହଣ ମହଣ ସୁନାରେ ଝଲସିବେ ଚତୁର୍ଦ୍ଧାମୂର୍ତି । ଶ୍ରୀବିଗ୍ରହ ମାନଙ୍କୁ ୧୩୮ ପ୍ରକାରର ସ୍ଵର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯିବ । ଏହି ବେଶକୁ ବଡ଼ ତଢ଼ଉ ବେଶ ବା ରାଜାଧିରାଜ ବେଶ ମଧ୍ୟ କୁହାଯାଇଥାଏ । ରଥାରୁଢ ଶ୍ରୀଜୀଉଙ୍କ ସିଂହଦ୍ଵାର ବଡ଼ଦାଣ୍ଡରେ ଏହି ଦୁର୍ଲ୍ଲଭ ବେଶକୁ ଦର୍ଶନ କରିବା ପାଇଁ ସକାଳ ଠାରୁ କ୍ରମଶଃ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢିବାରେ ଲାଗିଛି । ବସ୍, ଟ୍ରେନ୍, ଦୁଇଚକିଆ, ଚାରିଚକିଆ ଯାନ ଯୋଗେ ଲୋକେ ପୁରୀରେ ପହଞ୍ଚିବାରେ ଲାଗିଛନ୍ତି । ଭିଡ଼କୁ ଦୃଷ୍ଟିରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଆଜି ପ୍ରାୟ ୧୦ରୁ ୧୫ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କରିବେ । ଏହାକୁ ଦୃଷ୍ଟିରେ ରଖି ସଅଳ ନୀତିକାନ୍ତି କରାଯାଇ ନିର୍ଘଣ୍ଟ ସମୟ ପୂର୍ବରୁ ଶ୍ରୀବିଗ୍ରହ ମାନଙ୍କ ସୁନାବେଶ କରାଯିବ । ଯାହାଦ୍ଵାରା ଶ୍ରଦ୍ଧାଳୁ ମାନେ ଅଧିକ ସମୟ ଶ୍ରୀଜୀଉମାନଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବାର ସୁଯୋଗ ପାଇପାରିବେ । ସେହିପରି ସୁନାବେଶ ସମୟରେ ରଥାରୁଢ଼ ଠାକୁରଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ । ରଥ ଉପରେ କୌଣସି ସେବାୟତ ଫଟୋ କିମ୍ବା ଭିଡ଼ିଓ ଉତୋଳନ କରିପାରିବେ ନାହିଁ ବୋଲି ନିଷ୍ପତି ହୋଇଛି ।
ଆଜି ସକାଳୁ ରଥ ଉପରେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ମଇଲମ, ତଡ଼ପଲାଗି, ଅବକାଶ ଓ ସକାଳ ବେଶ ଶେଷ ହୋଇଥିଲା । ଏହାପରେ ଗୋପାଳବଲ୍ଲଭ, ସକାଳଧୂପ, ମଧ୍ୟାହ୍ନରେ ମଇଲମ ଓ ପରେ ମହାସ୍ନାନ ଓ ସର୍ବାଙ୍ଗ ହୋଇଥିଲା । ଅପରାହ୍ନରେ ସଂଧ୍ୟାଆଳତି, ଏକାଦଶୀ ସର୍ବାଙ୍ଗ ହେବା ପରେ ଅପରାହ୍ନ ୫ଟାରୁ ୬ଟା ୩୦ ମଧ୍ୟରେ ଶ୍ରୀବିଗ୍ରହ ମାନଙ୍କୁ ସୁନାବେଶରେ ସଜ୍ଜିତ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଶ୍ରୀମନ୍ଦିର ଭିତରେ ଶ୍ରୀଜିଉ ମାନେ ବର୍ଷକୁ ଚାରିଥର ସୁନାବେଶ ହେଉଥିବା ବେଳେ ରଥ ଉପରେ ଆଷାଢ ଶୁକ୍ଲ ଏକାଦଶୀରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ରତ୍ନସିଂହାସନରେ ଦଶହରା, କାର୍ତିକ ପୂର୍ଣ୍ଣମୀ, ପୌଷ ପୂର୍ଣ୍ଣମୀ ଓ ଦୋଳ ପୂର୍ଣ୍ଣମୀରେ ସୁନାବେଶ ହୋଇଥାଏ । ଏହି ବେଶ ଦର୍ଶନ କଲେ ଅନନ୍ତ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ଲାଗି ଆଜି ଶ୍ରୀମନ୍ଦିର ଭଣ୍ଡାର ଘରୁ ରଥ ଉପରକୁ ନିଆଯିବ ମହଣ ମହଣ ସୁନା ଓ ରୂପା ଅଳଙ୍କାର । ଭଣ୍ଡାର ଘରୁ ପାଳିଆ ମେକାପ, ଖୁଂଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ ଫୋର୍ସ, ମନ୍ଦିର ଅଧିକାରୀ, ଗାରଦ କର୍ମଚାରୀଙ୍କ ସହାୟତାରେ ଶ୍ରୀମନ୍ଦିର ଭଣ୍ଡାର ଘରୁ ରଥ ଉପରକୁ ସ୍ଵର୍ଣ୍ଣ ଅଳଙ୍କାର ଅଣାଯାଇ ଶ୍ରୀଜୀଉମାନଙ୍କୁ ବେଶ କରାଯିବ । ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ଆଦି ସେବକମାନେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶ କରିବେ । ରଥ ଉପରେ ସମସ୍ତ ଅଳଙ୍କାର ସୁବର୍ଣ୍ଣ ହୋଇଥିବା ବେଳେ କେବଳ ଆୟୁଧ ଶଙ୍ଖ ରୂପାରେ ନିର୍ମିତ । ଏହାସହ ଫୁଲରେ ନିର୍ମିତ ହୋଇଥାଏ ଅଧରମାଳ, ନାକୁଆସି ଓ ଝୁମ୍ପା ।
ଶ୍ରୀବଳଭଦ୍ରଙ୍କୁ ଲାଗି ହେବାକୁ ଥିବା ସ୍ଵର୍ଣ୍ଣ ଅଳଙ୍କାର-
ଶ୍ରୀବଳଭଦ୍ର ଠାକୁରଙ୍କୁ ସ୍ଵର୍ଣ୍ଣର ଶ୍ରୀପୟର, ଶ୍ରୀଭୂଜ, କିରୀଟ, ଓଡିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡ଼ାମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳତା, ଝୋବାକଣ୍ଠି, ହଳ ଓ ମୂଷଳ, ବାହାଡ଼ା ମାଳି, ବାଘନଖ ମାଳି, ସେବତୀମାଳି ଓ ତ୍ରିଖଣ୍ଡିକା କମରପଟି ଲାଗି ହେବ ।
ମା ସୁଭଦ୍ରାଙ୍କୁ ଲାଗି ହେବାକୁ ଥିବା ସ୍ଵର୍ଣ୍ଣ ଅଳଙ୍କାର-
ମା ସୁଭଦ୍ରାଙ୍କୁ ଲାଗି ହେବାକୁ ଥିବା ସ୍ଵର୍ଣ୍ଣ ଅଳଙ୍କାର ମଧ୍ୟରେ ରହିଛି କିରିଟ, ଓଡିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ାମାଳି, କଦମ୍ବ ମାଳି, ତଗଡୀ ଓ ସେବତୀ ମାଳି ।
ଶ୍ରୀଜଗନ୍ନାଥଙ୍କୁ ଲାଗି ହେବାକୁ ଥିବା ସ୍ଵର୍ଣ୍ଣ ଅଳଙ୍କାର-
ଶ୍ରୀଭୂଜ, ଶ୍ରୀପୟର, କିରିଟ, ଓଡିଆଣି, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ଵର୍ଣ୍ଣଚକ୍ର, ରୌପ୍ୟଶଙ୍ଖ, ହରିଡାମାଳି, କଦମ୍ବମାଳି, ବାହାଡା ମାଳି, ତାବିଜ ମାଳି, ସେବତୀ ମାଳି ଓ ତ୍ରିଖଣ୍ଡିକା କମରପଟି ସ୍ଵର୍ଣ୍ଣ ଅଳଙ୍କାର ଲାଗି ହେବ ।
ସୁନାବେଶ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିସି କ୍ୟାମେରା ନଜରରେ ରଥ ଚାରିପଟ ଓ ବଡ଼ଦାଣ୍ଡ ରହିଛି । ଭକ୍ତମାନେ ମାର୍କେଟ ଛକ ଠାରୁ ବ୍ୟାରିକେଟ ଦେଇ ସିଂହଦ୍ୱାରରେ ପହଞ୍ଚିବା ପରେ ତିନି ରଥରେ ପ୍ରଭୁଙ୍କ ଦର୍ଶନ କରି ଫେରିବେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now