ବିବାଦକୁ ଡାକିଆଣିଲା ବିଡିଏ। ଟିପି ସ୍କିମରେ ନା ଜମି ଅଧିଗ୍ରହଣ ନା କ୍ଷତିପୂରଣର ବ୍ୟବସ୍ଥା ଅଛି। ଲୋକଙ୍କ ସହମତିରେ ଲୋକଙ୍କ ଜମିର ବିକାଶ କରି ସମସ୍ତ ଆନୁସଙ୍ଗିକ ଭିତ୍ତିଭୂମି ଦେଇ ଏକ ସାଇଜବୁଲ ପ୍ଲଟ ଦେଉଛି ବିଡିଏ। ହେଲେ ଟିପି ସ୍କିମ୍-୮ ଅନ୍ଧାରୁଆ ଦାସପୁର ମୌଜାରେ ବିଚିତ୍ର ସ୍ଥିତି ଉପୁଜିଛି। ଲୋକଙ୍କ ସ୍ୱାର୍ଥ ଦେଖିବ କଅଣ। ପାଲଟା ନିଜର ସ୍ୱାର୍ଥ ଓ କିଛି ବଡ଼ବଡ଼ିଆଙ୍କ ସ୍ୱାର୍ଥ ସକାଶେ ଲୋକଙ୍କ ସ୍ୱାର୍ଥକୁ ବଳି ପକାଇଦେଇଛି। ଡ୍ରାଫ୍ଚ ପ୍ଲାନରେ କିମ୍ଭୁତାକାର ନକ୍ସା କରାଯାଇଛି। କମର୍ସିଆଲ ଜାଗା ସଂରକ୍ଷିତ ରଖିବା ଆଳରେ ଯେଉଁ ଜମି ମାଲିକଙ୍କ ଜାଗା ରିଂରୋଡ ବା ଶହେ ଫୁଟିଆ ବା ୨ଶହ ଫୁଟିଆ ସଂଲଗ୍ନରେ ପଡ଼ିବା କଥା। ସେମାନଙ୍କୁ ନ ଦେଇ ଅଧିକାଂଶଙ୍କୁ ୨ଶହ ଫୁଟିଆ ସଂଲଗ୍ନ ୩୦ ଓ ୪୦ ଫୁଟିଆରେ ଦେଇଛି ବିଡିଏ। ଆଉ ୨ଶହ ଫୁଟିଆକୁ ଲାଗି ଜମି ମାଲିକଙ୍କୁ ଜାଗା ଦେବା ବଦଳରେ ତାକୁ ନୀଳ ରଙ୍ଗରେ ଚିହ୍ନିତ କରି ବିଡିଏ ନିଜ ଲାଗି ଆଗତକ ଜାଗାକୁ ରିଜର୍ଭ କରିଦେଇଛି। ସେଲ୍ ଫର ଲ୍ୟାଣ୍ଡ କାହା ଲାଗି ରଖିଛ। ବିଡିଏ କଅଣ କିଣାବିକା ଲାଗି ନିଜ ବେପାର ଲାଗି ଲୋକଙ୍କ ଜମି ନେଇଛି କି। କଥା ଉଠୁଛି। ଜମି କାହାର। ଅଧିକାର ଦେଖାଇ ଏହାକୁ ଭୋଗ କରିବାକୁ ଅନାଇ ବସିଛି କିଏ। ବିଡିଏ ଭୁଲିଯିବା ଉଚିତ ନୁହେଁ ଯେ, ସଂସ୍ଥା କେବଳ ଜମି ମାଲିକଙ୍କ ଜମିର ବିକାଶ କରିବାର ଦାୟିତ୍ୱ ନେଇଛି। କାହାର ନ୍ୟାଯ୍ୟ ଅଧିକାରକୁ ଛଡ଼ାଇବାକୁ ନୁହେଁ।କାହା ସ୍ୱାର୍ଥରେ ଏମିତି ସଂରକ୍ଷଣ ରଖାଗଲା। ମନା ନାହିଁ। ବିଡିଏ ନିଜର ଆୟ ଲାଗି ଜାଗା ସଂରକ୍ଷଣ ରଖିବା ବି କଥା। କିନ୍ତୁ ଆଗ ଲୋକଙ୍କ ସ୍ୱାର୍ଥ ନା ନିଜ ସ୍ୱାର୍ଥ ବୋଲି ପ୍ରଶ୍ନ ପଡ଼ିଛି। ବିଡ଼ମ୍ୱନା ନକ୍ସାକୁ ନିରିଖେଇ ଦେଖିଲେ ଯେଉଁ ଜାଗା ନୀଳ ଚିହ୍ନିତ କରି ନିଜ ଲାଗି ସଂରକ୍ଷିତ ରଖିଛି। ନା ସେ କୌଣସି ବଡ଼ କମର୍ସିଆଲ ବ୍ୟବହାର ହୋଇପାରିବ ନା କାମରେ ଲାଗିବ। ବିଡିଏ କଅଣ ଏହାକୁ ରଖିଛି ଭବିଷ୍ୟତରେ ବେପାର କରିବାକୁ କି। ଜାନୁଆରୀ ୨୧ରେ ଅନ୍ଧାରୁଆରେ ଡାକିଥିବା ଜମି ମାଲିକଙ୍କୁ ପ୍ରଥମ ନକ୍ସା ଜାରି କରି ନିଜର ସ୍ପଷ୍ଟତା ରଖିଥିଲା ବିଡିଏ। ବଡ଼ କଥା ହେଲା କି, ବିଡିଏ ଯେଭଳି ସୁନ୍ଦର ଓ ସମସ୍ତଙ୍କୁ ସୁହାଇଲା ଭଳି ନକ୍ସା କରିଥିଲା। ତାକୁ ନେଇ ହାତଗଣତି କେଇଜଣଙ୍କୁ ଛାଡ଼ିଦେଲେ ଅଧିକାଂଶ ଆପତ୍ତି ଅଭିଯୋଗ କରିନଥିଲେ। କେବଳ କାହାର ପ୍ଲଟ ସାଇଜ୍ ଠିକ୍ ନଥିଲା ତ ସମ୍ପର୍କୀୟଙ୍କ ଜାଗାକୁ ଏକାଠି କରି ପକାଇବାକୁ କିଏ ନିବେଦନ କରିଥିଲେ। ଏମିତି ଛୋଟ ମୋଟ ଆପତ୍ତି ଅଭିଯୋଗକୁ ଛାଡ଼ିଦେଲେ ନକ୍ସାକୁ ନେଇ ଏମିତି ବଡ଼ ଆପତ୍ତି ନଥିଲା। ବିଡିଏ ବି କଥା ଦେଇଥିଲା। ଅଭିଯୋଗ କରିନଥିବା ଜମି ମାଲିକଙ୍କ ଅଗୋଚରରେ କାହାର ଜାଗାକୁ ଏପଟ ସେପଟ କରାଯିବନି। ଆଉ ଶହେ ଟଙ୍କା ଦାଖଲ କରି ବିଡିଏରୁ ଟିପି ପ୍ଲଟର ନକ୍ସା ଆଣିବାକୁ କହିବାରୁ ଲୋକେ ବି ଟଙ୍କା ଗଣି ନକ୍ସା ଆଣିଲେ। ହେଲେ ଡ୍ରାଫ୍ଟ ପ୍ଲାନ ବେଳକୁ ପୁରା ଗଡ଼ବଡ଼ି କରିଦେଇଛି। ଯେହେତୁ ଟିପି ସ୍କିମ୍ ୮ ନ୍ୟୁ-ସିଟିର ଏଣ୍ଟ୍ରାନ୍ସ ପଏଣ୍ଟ। ସେଥିଲାଗି ଏହି ସ୍କିମକୁ ସଅଳ ଆରମ୍ଭ କରିବାକୁ ବିଡିଏକୁ ନିର୍ଦେଶ ଦେଇଥିଲେ ନଗର ଉନ୍ନୟନ ମନ୍ତ୍ରୀ। ଆଉ ବିଡିଏ ଟିପି ସ୍କିମର ଡେପୁଟି କମିଶନର ଭବତାରଣ ସାହୁ ଓ ଟିପି ସ୍କିମର୍ ଆସିଷ୍ଟାଣ୍ଟ ପ୍ଲାନର ମାନସୀ ମହାନ୍ତିଙ୍କ ଟିମ୍ ଉପରେ ପଡ଼ିଥିଲା ଗୁରୁଭାର। ଏମିତି ନକ୍ସା ହେବ। ଯେମିତି ଲୋକଙ୍କ ଅସନ୍ତୋଷ ନଥିବ। ଏହା ଭାବି ପ୍ରଥମ ନକ୍ସା ଯେଭଳି କଲେ, ତାହା ଟିପି ୧ରୁ ୪ ପର୍ଯ୍ୟନ୍ତ ହୋଇଥିବା ନକ୍ସାରୁ ବେଶ୍ ଉନ୍ନତ ଥିଲା। କାରଣ ପୂର୍ବ ଟିପି ସ୍କିମରେ ଲୋକଙ୍କ ଜାଗା ନାଳ କଡ଼ରେ ପଡ଼ିଥିଲା। ଯାହାକୁ ନେଇ ଲୋକେ ଅସନ୍ତୋଷ ଓଗାଳିଥିଲେ ସୁଦ୍ଧା ଆଉ ସଂଶୋଧନ ଲାଗି କିଛି ବାଟ ନଥିଲା। କାନମୁଣ୍ଡା ଆଉଁସି ଲୋକେ ଜାଗା ଦଖଲ ନେଇଥିଲେ। ଅବଶ୍ୟ ସୁରାଟର ଏକ ଟିମ୍ ଏହି ନକ୍ସା କରିଥିଲା। କିନ୍ତୁ ଏବେ ବିଡିଏର ନିଜସ୍ୱ ଟିମ୍ ୮ ନମ୍ୱର ସ୍କିମରେ ନାଳର ଦୁଇ ପାର୍ଶ୍ୱରେ ୩୦ ଫୁଟିଆ ରାସ୍ତା ଦେଇଛି। ସେଥିଲାଗି କାହାର ଆପତ୍ତି କି ଅସନ୍ତୋଷ ରହିଲାନି। ହେଲେ ଆପତ୍ତି ଅଭିଯୋଗ ଶୁଣାଣୀ କରି ଡ୍ରାଫ୍ଟ ପ୍ଲାନକୁ ଅନୁମତି ଦେବାକୁ ସରକାରଙ୍କୁ ପଠାଇଲା ବେଳକୁ ବହୁ ଗଡ଼ବଡ଼ି କରିସାରିଥିଲା ବିଡିଏ। କଥା ଉଠୁଛି, ଯେଉଁ ଟିମ୍ ଟିପି ନକ୍ସା କରିବାର ଦାୟିତ୍ୱ ନେଇଛି। ସେମାନଙ୍କ ଜାଣତରେ ଏମିତି ଗଡ଼ବଡ଼ି ହୋଇଛି କି। ଅଫିସରଙ୍କ ଅଜାଣତରେ ଅଫିସରେ ଥିବା କର୍ମଚାରୀ ନକ୍ସାକୁ ଏପଟସେପଟ କରିବାରେ ଖେଳ କରିଛନ୍ତି କି। ଏମିତିରେ ମଳିପଡ଼ାରେ ଅତୀତରେ କେମିତି ଅପଦସ୍ଥ ହୋଇ ଫେରିଥିଲା ବିଡିଏ, ତାହା କାହାରିକୁ ଅଛପା ନାହିଁ। କାରଣ ଟିପି ସ୍କିମ୍ ୧ରେ ଲୋକଙ୍କ ନ୍ୟାଯ୍ୟ ଆପତ୍ତି ଅଭିଯୋଗକୁ ଶୁଣି ସମାଧାନ ବଦଳରେ ସେମାନଙ୍କୁ ଅଣଦେଖା ସହ ସମାଧାନ ହୋଇଯିବ କହି ମିଛ କଥା କହିଥିଲେ। ଆଉ ଏହି ରୋଷର ପ୍ରତିଫଳନ ପଡ଼ିଥିଲା ମଳିପଡ଼ାରେ। ୭ ବର୍ଷରେ ଗୋଟିଏ ବି ସ୍କିମ ସାରିପାରିନଥିବା ବିଡିଏ କେଉଁ ମୁହଁରେ ମଳିପଡ଼ାରେ ଟିପି ମିଟିଂ କରୁଛ କହି ପ୍ରଶ୍ନବାଣରେ ଅଫିସରଙ୍କୁ ଘାଇଲା କରିଦେଇଥିଲେ ଲୋକେ। ଲୋକ ନକ୍ସା ଚିରିବା ସହ ଅଧିକାରୀଙ୍କୁ ତଡ଼ି ଦେଇଥିଲେ। ଏବେ ଟିପି ସ୍କିମ ୫,୬ ଓ ୭ ମଳିପଡ଼ା ଦାସପୁର ମୌଜାର କାମକୁ ଆଗେଇନେବାକୁ ଅଣ୍ଟା ଭିଡ଼ିଛି ବିଡିଏ। ଏପଟେ ଅନ୍ଧାରୁଆ ଦାସପୁର ଲୋକେ ଯେଉଁ ସହଯୋଗର ହାତ ବଢାଇଥିଲେ ଏହି ସ୍କିମକୁ ସଫଳ କରିବାକୁ। ଏବେ ବିଡିଏ ଉପରେ ଆସ୍ଥା ତୁଟିବାକୁ ବସିଲାଣି। ବେଳ ଥାଉଁ ଥାଉଁ ବିଡିଏ ନ ସୁଧାରିଲେ ହୁଏତ ଏହି ସ୍କିମକୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ ବେଳେ ପ୍ରତିରୋଧର ଶୀକାରର ଆଶଙ୍କା ରହିଛି। ଆଇନଗତ ବିବାଦକୁ ଠେଲିଦେବାକୁ ଅନେକ ମସୁଧା କଲେଣି। ଟିପି ସ୍କିମ୍ ଠପ୍ ହୋଇଗଲେ ବିଡିଏର ପରିଶ୍ରମ ବୃଥା ଯିବ। ଆଉ ଲୋକଙ୍କ ସ୍ୱାର୍ଥକୁ ଅଣଦେଖା କରି ଭିତିରିଆ ନକ୍ସାରେ ବ୍ୟାପକ ପରିବର୍ତ୍ତନ କରିଥିବା ଷଡ଼ଯନ୍ତ୍ରକାରୀଙ୍କୁ ନ ଧରିଲେ, ବୃହତ୍ତର ସ୍ୱାର୍ଥ ବାଧାପ୍ରାପ୍ତ ହେବା ବି ଥୟ। କାହା ଚାପରେ କାହା କଥାରେ ଏମିତି ବିଚିତ୍ର ନକ୍ସା କରାଗଲା। ମନ୍ତ୍ରୀଙ୍କ ନିର୍ଦେଶରେ ନା କୌଣସି ଅଫିସରଙ୍କ କଥାରେ। କର୍ମଚାରୀଙ୍କ ଇସାରାରେ ନା କୌଣସି ବଡ଼ବଡ଼ିଆଙ୍କ ସ୍ୱାର୍ଥରେ। ଏ ତମାମ ପ୍ରଶ୍ନର ଉତ୍ତର ଜମି ମାଲିକ ଜାଣିବା ଜରୁରୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now