ଯୋଜନାବଦ୍ଧ ସହରର ପରିକଳ୍ପନାକୁ ସାକାର କରିବାକୁ ଆଉ ପାଦେ ଆଗେଇଲା ନଗର ଉନ୍ନୟନ ବିଭାଗ। ରାସ୍ତା, ଡ୍ରେନ୍, ସ୍ୱେରେଜ, ବିଜୁଳି ଆଦି ସମସ୍ତ ଭିତ୍ତିଭୂମି ଦେଇ ଭୁବନେଶ୍ୱରରେ ହେଉଥିବା ଟାଉନ ପ୍ଲାନିଂ ସ୍କିମ୍ ଫଳପ୍ରଦ ପରେ ଏଣିକି ଏହାକୁ ସବୁଠି ଲାଗୁ କରିବାକୁ ଚିନ୍ତା କରିଛି ବିଭାଗ। ଟିପି ସ୍କିମରେ ନା ଅଛି ଜମି ଅଧିଗ୍ରହଣ ସମସ୍ୟା ନା ଅଛି କ୍ଷତିପୂରଣ ଝାମେଲା। ଟାଉନ ପ୍ଲାନିଂ ସ୍କିମ୍ ବା ଟିପି ସ୍କିମ ପ୍ରତି ଲୋକଙ୍କ ଚାହିଦା ବଢ଼ୁଥିବା ଦେଖି ଏଣିକି ଏହା କଟକ, ବ୍ରହ୍ମପୁର, ରାଉରକେଲାରେ ବି ଖୁବ ଶୀଘ୍ର ଆରମ୍ଭ ହେବ। ଲୋକଙ୍କ ଜମିର ୪୦ ପ୍ରତିଶତ ନେଇ ଲୋକଙ୍କୁ ସମସ୍ତ ଭିତ୍ତିଭୂମି ଦେଇ ୬୦ ପ୍ରତିଶତର ଏକ ସାଇଜ୍ ପ୍ଲଟ ଦେଉଛି ବିଡିଏ। ସବୁ ପ୍ଲଟକୁ ରାସ୍ତା, ଡ୍ରେନ୍, ସ୍ୱେରେଜ ଓ ବିଜୁଳି। ରିଂ ରୋଡ୍ ଲାଗି ଜମି ଅଧିଗ୍ରହଣ ଅଡ଼ୁଆରେ ନ ପଶିବା, ସହର ଉପକଣ୍ଠ ଜମିର ସହର ଭଳି ବିକାଶ କରିବା ଆଦି ଏହାର ମୁଖ୍ୟ। ବିନା ପ୍ଲାନରେ ହେଉଥିବା ନିର୍ମାଣରୁ ସହର ଜଳବନ୍ଦୀ ସମସ୍ୟାରେ ଘାରି ହେଉଥିଲା। ହେଲେ ଟିପି ସ୍କିମ ଆସିବା ପରେ ଉପକଣ୍ଠରେ ନା ଅଛି ରାସ୍ତା ଜବରଦଖଲର ସମସ୍ୟା ନା ଜଳବନ୍ଦୀ ସମସ୍ୟା।
ଟିପି ସ୍କିମର ସଫଳତାକୁ ଦେଖି ଏଣିକି ଭୁବନେଶ୍ୱର-କଟକ ଟ୍ୱିନ୍ ସିଟି ବିକାଶରେ ଆଉ ନିଜକୁ ସୀମିତ ରଖିବାକୁ ଚାହୁଁନି ନଗର ଉନ୍ନୟନ ବିଭାଗ। କଟକ, ଭୁବନେଶ୍ୱର ଓ ପୁରୀକୁ ନେଇ ଟ୍ରାଇ ସିଟି ଗଠନ କରିବାକୁ ଯାଉଛନ୍ତି ସରକାର। ସହର ବଢ଼ୁଛି। ସେହି ଅନୁପାତରେ ଜନସଂଖ୍ୟାକୁ ତାଳ ଦେଇ ଏଠାରେ ସମସ୍ତ ଅତ୍ୟାଧୁନିକ ସେବା ସୁବିଧା ଯୋଗାଇବେ ସରକାର। ଟ୍ରାଫିକ୍ ସମସ୍ୟାକୁ ଟାଳିବାକୁ ରିଂ ରୋଡ୍ ଉପରେ ଅଧିକ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ଟିପିରୁ ଟ୍ରାଇ-ସିଟି। ଭୁବନେଶ୍ୱର ଉପକଣ୍ଠ ୪୫ଖଣ୍ଡ ମୌଜାକୁ ନେଇ ଟିପି ହେଉଛି। ସମସ୍ତ ଟିପିକୁ ଯୋଡ଼ୁଛି ଗୋଟିଏ ରିଂ-ରୋଡ୍। ଆଉ ଏହାର ସଫଳତା, ଲୋକଙ୍କ ସହମତିରେ ହେଉଥିବା ସ୍କିମ ପ୍ରତି ଚାହିଦାକୁ ଦେଖି ଟ୍ୱିନ-ସିଟିରୁ ଟ୍ରାଇ-ସିଟି ଯୋଜନା ଆଡ଼କୁ ଆଉ ପାଦେ ଆଗେଇବାକୁ ଆସିଲେଣି ସରକାର।

Naxatra News is now on Whatsapp
Join and get latest news update delivered to you via whatsapp
Join Now