ଅଫିସରଙ୍କ ସ୍ୱାର୍ଥ ପାଇଁ ଆଉଟସୋର୍ସିଂ ଏଜେନ୍ସି ଉପରେ ଆକ୍ରୋଶ- ସଂସ୍କାର ନା ସୁରକ୍ଷା!

ଅଫିସର ଭୁଲ୍ କରିବେ। କିନ୍ତୁ ଶାସ୍ତି ପାଇବେ ଆଉଟସୋର୍ସିଂ ଏଜେନ୍ସିର ଡାଟା ଏଣ୍ଟ୍ରି ଅପରେଟର। ସବ-ରେଜିଷ୍ଟ୍ରାରଙ୍କ କେଳେଙ୍କାରୀକୁ କଭରଅପ୍ କରିବାକୁ ଆଇଜିଆର ସୁବ୍ରତ ଶତପଥୀଙ୍କ ନୂଆ ଫନ୍ଦି। ସମସ୍ତ ସବ-ରେଜିଷ୍ଟ୍ରାର ଅଫିସରେ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବଦଳି ଲାଗି ଗଲା ୨୬ ଅଗଷ୍ଟରେ ରାଜସ୍ୱ ବିଭାଗJ ଅନୁସଚିବ ସୁଚିତା ଦାସ ଆଇଜିଆରଙ୍କୁ ଚିଠି ଲେଖିଥିଲେ। କାରଣ ଏଭଳି ଡାଟା ଏଣ୍ଚ୍ରି ଅପରେଟର ବା କୌଣସି ଅଫିସର ସମାନ ଜିଲ୍ଲାରେ କ୍ରମାଗତ ୩ ବର୍ଷ ଧରି ନିୟୋଜିତ ରହିଲେ, କାର୍ଯ୍ୟକ୍ଷେତ୍ର କଳୁଷିତ ହେବାର ଆଶଙ୍କା ରହିଛି। ପ୍ରଶାସନିକ ସ୍ଥାଣୁତା ସୃଷ୍ଟି ସାଙ୍ଗକୁ ଜନତାଙ୍କୁ ସେବା ଯୋଗାଇବାରେ ପାତରଅନ୍ତର ନୀତି ଆସୁଥିବାର ଅନେକ ଦୃଷ୍ଟାନ୍ତ ରହିଛି। ପ୍ରଶାସନିକ ଦକ୍ଷତା, ସ୍ୱଛତା ବଜାୟ ସହ ସେବା ଯୋଗାଣକୁ ଉନ୍ନତମାନର କରିବାକୁ ରାଜସ୍ୱ ବିଭାଗ ଏଭଳି ଚିନ୍ତା କରିଛି ବୋଲି ବିଭାଗ ଦର୍ଶାଇଛି। ସେଥିଲାଗି ସମୟକ୍ରମେ ବଦଳିର ଆବଶ୍ୟକତା ଅଛି। ଆଉ ସେପ୍ଟେମ୍ୱର ପହିଲାରେ ଏହାକୁ ଅକ୍ଷରେ ଅକ୍ଷରେ ଅନୁପାଳନ ଲାଗି ଆଇଜିଆର ବି ଅଣ୍ଟା ଭିଡ଼ିଲେ। ଏହା ସ୍ୱାଗତଯୋଗ୍ୟ କଥା। ତୁରନ୍ତ ଟେକ୍ନୋଲୋଜି ପାର୍ଟନର ଟେରାସିସି ଟେକ୍ନୋଲୋଜିକୁ ଚିଠି ଲେଖି ଆବଶ୍ୟକୀୟ ଆକ୍ସନ ନେବାକୁ ଚିଠି କରିଦେଲେ ଆଇଜିଆର। ସାତ ଦିନ ଭିତରେ ଜିଲ୍ଲା ପାର୍ ବଦଳିକୁ କାର୍ଯ୍ୟକାରୀ କରିବାକୁ କହିଛନ୍ତି। ବଡ଼ କଥା ହେଲା। ଯାବତୀୟ କେଳେଙ୍କାରୀକୁ ନେଇ ଅନେକ ସବ-ରେଜିଷ୍ଟ୍ରାର ଅଫିସ ଦୁର୍ନାମ ମୁଣ୍ଡାଇଲେଣି। ଭାତ ହାଣ୍ଡିରୁ ଗୋଟିଏ ଚିପୁଡ଼ିଲା ଭଳି ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଅର୍ଚ୍ଚନା ଗୌଡ଼ କେତେବେଳେ ମନ୍ଦିର ଜମି ତ କେତେବେଳେ ଗୋଚର ଜମି କେଳେଙ୍କାରୀରେ ଛନ୍ଦି ହୋଇସାରିଲେଣି। ଏଭଳି ଅଫିସର ପୁଣି ଏଠାରେ ନୂଆ। ନୂଆ ହୋଇ ଆସୁ ଆସୁ ଯାବତୀୟ ଭୁଲ୍ କରିସାରିଥିବା ସତ୍ତ୍ୱେ ତାଙ୍କ ଉପରେ ଆଇଜିଆରଙ୍କର କାହିଁକି ଏତେ ଅନୁକମ୍ପା। ଜଣେ ଭୁଲ୍ ଉପରେ ଭୁଲ୍ କରୁଥିବ। ଆଉ ଶାସ୍ତି ବଦଳରେ ତାଙ୍କ ଚୌକି ସୁରକ୍ଷିତ ରହିବ, ଏ କି କଥା। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ ସିଂ ତ ଏ ଫର୍ମାଟକୁ ବିଲକୁଲ ସମର୍ଥନ କରନ୍ତିନି। ତା ହେଲେ ଆଇଜିଆରଙ୍କୁ ଏ କ୍ଷମତା ଦେଲା କିଏ। ସେପଟେ ଆଉ ଦୁଇଟି ଉଦାହରଣ ନେବା। ଜଣେ ହେଲେ ଖୋର୍ଦ୍ଧା ଡିଏସଆର୍ ସାଫଲ୍ୟ ମଣ୍ଡିତ ପ୍ରଧାନ ତ ଆଉ ଜଣେ ହେଲେ କଟକ ଡିଏସଆର ଗୋପବନ୍ଧୁ ପରିଡ଼ା। ଗୋପବନ୍ଧୁ କଟକ ଡିଏସଆର ଭାବେ ୬ ବର୍ଷ ହେଲା ପଦରେ ବସିଲେଣି। ତାଙ୍କ କାମ କେତେ ସନ୍ତୋଷଜନକ। ଏହାର ସମୀକ୍ଷା କରିଛନ୍ତି କି ଆଇଜିଆର।  ଖୋର୍ଦ୍ଧା ଡିଏସଆର ସାଫଲ୍ୟ ମଣ୍ଡିତ ପ୍ରଧାନ କେବଳ ଚୌକିକୁ ଜାବୁଡ଼ି ଧରିଛନ୍ତି ସିନା। ତାଙ୍କ ଅଧୀନରେ କୌଣସି ସବ-ରେଜିଷ୍ଟ୍ରାର ତାଙ୍କୁ କିଛି କ୍ଲାରିଫିକେସନ ମାଗିଲେ ବାବୁ ଜଣକ ସବୁବେଳେ ନୋ ରିସ୍କ ଜୋନରେ ରହି ନିଜ ପଦକୁ ସୁରକ୍ଷା ଦେବାକୁ କସରତରେ ମାତିଥାଆନ୍ତି। ନା ସବ-ରେଜିଷ୍ଟ୍ରାର ଉତ୍ତର ପାଆନ୍ତି ନା ଜନତାଙ୍କ ଦ୍ୱନ୍ଦ୍ୱ ଦୂର କରନ୍ତି। ତା ହେଲେ ପ୍ରଧାନଙ୍କ ଭଳି ଅଫିସର ଅପାରଗ ନା ଦକ୍ଷ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ କଥା। ରେଜିଷ୍ଟ୍ରେସନରେ ସ୍ୱଛତା, ପାରଦର୍ଶିତା ଆଣିବାକୁ ଯେତେ ସଂସ୍କାରମୂଳକ ପଦକ୍ଷେପ ନେବେ ସରକାର ତାହା ନିହାତି ସ୍ୱାଗତଯୋଗ୍ୟ। କିନ୍ତୁ ଅଫିସରଙ୍କୁ ରକ୍ଷା କରିବାକୁ ଆଉଟସୋର୍ସିଂ ଏଜେନ୍ସି ଉପରେ ଦାଉ ସାଧିଲେ ସ୍ୱଛତା ଆସିଯିବ କି ବୋଲି ପ୍ରଶ୍ନ ଉଠୁଛି। କାରଣ ଅଫିସର ଜନତାଙ୍କ ଆଗରେ ଉତ୍ତରଦାୟୀ। ରାଜସ୍ୱ ମନ୍ତ୍ରୀ କହିଥିଲେ, ଅନେକ ଜିଲ୍ଲା ଓ ସବ-ରେଜିଷ୍ଟ୍ରାର ସୁଧୁରିଗଲେଣି। ସେମାନେ ଚମତ୍କାର କାମ ବି କରୁଛନ୍ତି। ସୁଧୁରିବାକୁ ସରକାର ଅନେକ ମଉକା ଦେଲେଣି। କିନ୍ତୁ କେତେକ ସୁଧୁରିବାର ନାଁ ଧରୁନାହାନ୍ତି। ସେମାନଙ୍କୁ ସୁଧାରିବାକୁ ସରକାରଙ୍କ ପାଖରେ ହୋମିଓପାଥି, ଏଲୋପାଥି ଓ ନଚେତ ଶେଷରେ ଅପରେସନ ଥିଏଟରରେ ଭର୍ତ୍ତି କରିବାକୁ ପଡ଼ିବ କହି ଚେତାବନୀ ଦେଇଛନ୍ତି। ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ ସିଂ ବି ସବ-ରେଜିଷ୍ଟ୍ରାର ସମ୍ମିଳନୀରେ ଚେତାଇ ଦେଇଥିଲେ ଯେ, ଅନେକ ଅଫିସର ବହୁତ ଭଲ କାମ କରନ୍ତି ବୋଲି ଦାବି କରନ୍ତି। କିନ୍ତୁ ସେମାନଙ୍କ କାମରେ ଜନତାଙ୍କ ଫିଡବ୍ୟାକ୍ ପୁରା ନେଗେଟିଭ୍। ତା ହେଲେ ସେମାନେ କି ଅଫିସର ଯେଉଁଠି ଲୋକେ ସେବା ନ ପାଇ ଅସନ୍ତୋଷ ହୋଇ ଫେରୁଛନ୍ତି। ଏ ସବୁ କଥାକୁ ଦେଖିଲେ ବୁଝିହୁଏ, ଅପାରଗ, ଦୁର୍ନୀତିଗ୍ରସ୍ତ ଓ ଜନତାଙ୍କୁ ସେବା ନ ଦେଇ ନାନା ଆଳରେ ହନ୍ତସନ୍ତ କରୁଥିବା ଅଫିସରଙ୍କ ଜାଗା କେଉଁଠି ବି ନାହିଁ। ସରକାର ଏହାକୁ କୌଣସିମତେ ବରଦାସ୍ତ କରିବେନି। କିନ୍ତୁ ଗ୍ରାଉଣ୍ଡରେ ଏହାକୁ କେତେଦୂର କାର୍ଯ୍ୟକାରୀ ହେଉଛି, ତାହା ହିଁ ବଡ଼ କଥା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *