() ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରି ବହୁ କଷ୍ଟରେ ନିଜର ପରିବାର ପୋଷଣ କରୁଥିବା ବେଳେ ଏବେ ଟସର ଚାଷ ଆଣିଦେଇଛି ଏମାନଙ୍କ ମୁହଁରେ ହସ । ଜିଲ୍ଲା ପ୍ରଶାସନ ଓ ଓରମାସର ମିଳିତ ସହଯୋଗରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ସାନ ଅମ୍ଳୀପାଳିରେ ୧୬ ଟି ପରିବାର ସଫଳତାର ଏହି ଟସର ଚାଷ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି..।
ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ସାନ ଅମ୍ଳୀପାଳି ଗ୍ରାମରେ ଟସର ଚାଷ ପାଲଟିଛି ଲୋକଙ୍କ ଜୀବନ ଜୀବିକାର ନୂତନ ମାଧ୍ୟମ । ଜିଲ୍ଲା ପ୍ରଶାସନ ଓ ଓରମାସର ମିଳିତ ସହଯୋଗରେ ଗ୍ରାମବାସୀଙ୍କୁ ଟସର ଚାଷ କରିବା ପାଇଁ ପ୍ରୋତ୍ସାହିତ କରିବା ସହ ଏଥିପାଇଁ ମାଗଣାରେ ପ୍ରଶିକ୍ଷଣ ଦିଆଯାଇଥିଲା । ଯାହାଫଳରେ ଗ୍ରାମବାସୀ ସଫଳତାର ସହ ଏହି ଟସର ଚାଷ କରି ବେଶ ଲାଭାନ୍ବିତ ହୋଇଛନ୍ତି । ଏହି ଚାଷ ପାଇଁ ବିଭାଗ ତରଫରୁ ଚାଷୀଙ୍କୁ ମାଗଣାରେ ଅଣ୍ଡା ଓ ଲାର୍ଭା ଦିଆଯାଉଥିବା ବେଳେ ଚାଷୀ ଏହି ଅଣ୍ଡାକୁ ଅର୍ଜୁନ ଗଛର ପତ୍ର ମାନଙ୍କରେ ରଖାଯାଏ,ଏଥିରୁ ଟସର ପୋକ ଜନ୍ମନେଇ ଅଣ୍ଡା ଆକାରରେ ଘର ତିଆରି କରିଥାନ୍ତି,ଯାହାକୁ ଖୋସା କୁହାଯାଏ ଏବଂ ଏଥିରୁହି ଟସର ସୂତା ବାହାରିଥାଏ ଯାହାର ବଜାରରେ ବେଶ ଚାହିଦା ରହିଛି ।
ତେବେ ଆଗାମୀ ଦିନରେ ଏହି ଟସର କିପରି ଅଧିକରୁ ଅଧିକ ଉତ୍ପାଦନ ହୋଇପାରିବ ଏବଂ ଅଧିକ ଚାଷୀ ଏହି ଚାଷ କରି ସ୍ୱାବଲମ୍ବୀ ହୋଇପାରିବେ ସେନେଇ ଓରମାସର ଡେପୁଟି CEO ରାଜଗୋପାଲ ଦାସଙ୍କ ଅଧ୍ୟକ୍ଷତାରେ ଗାଁରେ ଏକ ଚାଷୀ ମେଳା କରାଯାଇଥିଲା । ଏଥିରେ ଜିଲ୍ଲାପାଳ ମନୀଷା ବନାର୍ଜୀ ମୂଖ୍ୟ ଅତିଥି ଓ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ଅଧିକାରୀ ଆଦିତ୍ୟ ଗୋୟଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚାଷୀଙ୍କୁ ଉତ୍ସାହିତ କରିଥିଲେ ।
ତେବେ ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ବରଗଡରୁ ଧ୍ରୃବ କର୍ମୀଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now