ଉଗ୍ରତାରାଙ୍କ ଗୁପ୍ତପୂଜା ଆରମ୍ଭ

ଖୋର୍ଦ୍ଧା: ଭାରତୀୟ ସଂସ୍କୃତିରେ ଶକ୍ତି ଉପାସନା ଅତି ପ୍ରାଚୀନ । ଓଡିଶା ତନ୍ତ୍ର ପୀଠରେ ପରିପୂର୍ଣ୍ଣ । କେଉଁଠି ଦୁଇଭୁଜା ତ କେଉଁଠି ଚତୁର୍ଭୁଜା, କେଉଁଠି ଷଡ, ଅଷ୍ଟ ଓ ଦଶଭୁଜରେ ରହିଛନ୍ତି ମା । ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ମୁଲିଝର ଗଡରେ ଥିବା ମା ଉଗ୍ରତାରା ହେଉଛନ୍ତି ଚତୁର୍ଭୁଜା । ଏହି ପୀଠ ଏକ ଅନ୍ୟତମ ଶକ୍ତି ପୀଠ ଭାବେ ପରିଚିତ।
ଖୋର୍ଦ୍ଧା ଜିଲ୍ଲା ମୁଲିଝର ଗଡ଼ର ଅଧିଷ୍ଠାତ୍ରୀ ଦେଵୀ ହେଉଛନ୍ତି ମା ଉଗ୍ରତାରା । ଇତିହାସର ପୃଷ୍ଠା ଲେଉଟାଇଲେ ଏହାର ଛବି ଦେଖିବାକୁ ମିଳିଥାଏ । ତତ୍କାଳୀନ ଭୋଇ ରାଜବଂଶର ଛାପ ଦେଖିବାକୁ ମିଳିଥାଏ ଏହି ଉପାସନା ପୀଠରେ । ଗଜପତି କପିଳେନ୍ଦ୍ର ଦେବ ପ୍ରତିଷ୍ଠା କରିଥିବା ଦୁର୍ଗ ମାନଙ୍କ ମଧ୍ୟରୁ ଏହି ମୁଲିଝର ଗଡ଼ ଅନ୍ୟତମ । ଏହି ପୀଠରେ ଅଶ୍ୱିନ ମାସରେ ଶୁକ୍ଲପକ୍ଷରେ ମୂଳାଷ୍ଟମୀ ଠାରୁ ସହସ୍ର କୁମ୍ଭ ବରଣ କରାଯାଇ ଷୋଳପୂଜା ଆରମ୍ଭ ହୋଇଥାଏ ।ମୁଖ୍ୟତଃ ନବରାତ୍ର ପୂଜା ଷଷ୍ଠୀ ଠାରୁ ଆରମ୍ଭ ହୋଇ ଦଶହରା ରେ ସମାପ୍ତ ହୋଇଥାଏ।ଏହି ସମୟରେ ମାଙ୍କ ଅନେକ ବେଶ ମଧ୍ୟ ହୋଇଥାଏ । ସପ୍ତମୀରେ ମାତଙ୍ଗି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ମା ଉଗ୍ରତାରା । ଏଠାରେ ମୁଖ୍ୟ ଭୋଗ ମାଛ ପୋଡାବଳୀ । ଏତଦ ବ୍ୟତୀତ ମହାସପ୍ତମୀ, ଅଷ୍ଟମୀ, ନବମୀ ରେ ଏଠାରେ ଗୁପ୍ତ ପୂଜା ହେଉଥିବା ପୂଜକ କହିଛନ୍ତି ।
ପ୍ରସିଦ୍ଧ ତନ୍ତ୍ର ପୀଠ ଉଗ୍ରତାରା ପୀଠର ଅନେକ ଐତିହାସିକ ତଥ୍ୟ ଥିବା ଗବେଷକ କହିଛନ୍ତି । ଦଶମହାବିଦ୍ୟା ମଧ୍ୟରୁ ଉଗ୍ରତାରା ହେଉଛନ୍ତି ଦ୍ୱିତୀୟ ମହାବିଦ୍ୟା । ଉଗ୍ରତାରାଙ୍କ ପ୍ରତିଷ୍ଠା ଓ ପୂଜା ମହାଜନ ପନ୍ଥୀ ବୌଦ୍ଧ ମାନଙ୍କ ଦ୍ଵାରା ପ୍ରଚଳିତ ହୋଇଥିଲା । ଅକ୍ଷାଭ ନାମକ ମହର୍ଷି ତାରା ମନ୍ତ୍ର ଉପରେ ଉଗ୍ରତାରା ପ୍ରତିମା ସ୍ଥାପନ ପୂର୍ବକ ତନ୍ତ୍ର ଅନୁଯାୟୀ ପୂଜା କରୁଥିଲେ । ଏହା ମଧ୍ୟ ପ୍ରସିଦ୍ଧ ତନ୍ତ୍ର ପୀଠ ଭାବରେ ପରିଚିତ ।
କିମ୍ୱଦନ୍ତୀ ଭରା ଏହି ଉଗ୍ରତାରାଙ୍କ ମନ୍ଦିରକୁ କେବଳ ଦୁର୍ଗାପୂଜାରେ ବରଂ ସାଧାରଣ ଦିନ ଗୁଡିକରେ ମଧ୍ୟ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥାଏ ।
ସଂଗ୍ରାମ କେଶରୀ ପଟନାୟକଙ୍କ ରିପୋର୍ଟ