ଚୈତ୍ର ମଙ୍ଗଲବାର ଅବସରରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ଶୀତଳ ଯାତ୍ରା ପର୍ବ ଅନୁଷ୍ଠିତ ହୋଇଯାଇଛି । ଶୀତଳ ଯାତ୍ରା ଅବସରରେ ମା’’ ଙ୍କ ସ୍ୱରୂପ ଲିମ୍ବ ଡାଳକୁ ସହର ପରିକ୍ରମା କରାଯାଇଥିବା ବେଳେ ଘର ସମ୍ମୁଖରେ ଭକ୍ତ ତଥା ମହିଳା ମାନେ ଅପେକ୍ଷା କରି ମା’ ଙ୍କ ସ୍ୱରୂପ ଲିମ୍ବଡାଳକୁ ପୂଜାର୍ଚ୍ଚାନ କରିବା ସହ ନିଜ ତଥା ସମଗ୍ର ଜୀବଜଗତର ମଙ୍ଗଳ କାମନା କରିଛନ୍ତି । ପ୍ରତିବର୍ଷ ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଲବାର ମା’ ଙ୍କ ଏହି ଶୀତଳ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଗ୍ରୀଷ୍ମ ପ୍ରବାହର ଉତ୍ତାପରୁ ପୃଥିବୀ ପୃଷ୍ଠକୁ ଶୀତଳ କରିବା ପାଇଁ ମା’ ସମଲେଇ ଦେବୀଙ୍କ ଅନୁଷ୍ଠିତ ହୋଇଥାଏ ଶୀତଳ ଯାତ୍ରା । ଆଜି ଚୈତ୍ର ମଙ୍ଗଲବାର ଅବସରରେ ବରଗଡ଼ର ସମଲେଇ ମନ୍ଦିରରେ ସ୍ୱତନ୍ତ୍ର ପୂଜା ପରେ ମା’ଙ୍କର ଶୀତଳ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଅଧିଷ୍ଠାତ୍ରୀ ମା’ ସମଲେଶ୍ୱରୀ ଦେବୀଙ୍କ ସ୍ୱରୂପ ନିମ୍ବ ଗଛ ଡାଳରେ ପୂଜକ ଦ୍ୱାରା ପୂଜା କରାଯାଇଥାଏ । ପରେ ଏହି ନିମ୍ବ ଡାଳକୁ ଘଣ୍ଟ ଶଙ୍ଖ ବାଦ୍ୟର ତାଳେ ତାଳେ ନଗର ପରିକ୍ରମାରେ ନିଆଯାଇଥିଲା । ଏହି ସମୟରେ ଭକ୍ତମାନେ ନିଜ ଘର ସମ୍ମୁଖରେ ଗରିଆ, ବାଲଟିରେ କ୍ଷୀର , ପଣା, ଫୁଳ ଆଦି ରଖି ଅପେକ୍ଷା କରିଥିବା ସହ ଘଣ୍ଟ ବାଦ୍ୟର ତାଳେ ତାଳେ ଶୀତଳ ଯାତ୍ରା ଘର ସମ୍ମୁଖରେ ପରେ ଭକ୍ତମାନେ ଫୁଳ ,ସିନ୍ଦୁର, ଭୋଗ ଅର୍ପଣ କରି ପୂଜା କରିଥିଲେ । ଏହା ସହ ଘର ସମ୍ମୁଖରେ ରଖାଯାଇଥିବା ପାଣି , କ୍ଷୀର ତଥା ପଣା ଦେବୀଙ୍କ ସ୍ୱରୂପ ନିମ୍ବ ଡାଳରେ ଢ଼ାଳିବା ସହ ଏ ଅବସରରେ ନିମ୍ବ ଡାଳକୁ ଛୁଇଁ ଏବଂ ଢ଼ଳାଯାଇଥିବା ପାଣିକୁ ମୁଣ୍ଡରେ ଦେଇ ଭକ୍ତମାନେ ମା’ଙ୍କ ଆର୍ଶୀବାଦ ଭିକ୍ଷା କରିଥାନ୍ତି । ପ୍ରତିବର୍ଷ ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଲବାର ଅପରାହ୍ନରୁ ବିଲମ୍ବିତ ରାତ୍ର ପର୍ଯ୍ୟନ୍ତ ମା’ଙ୍କ ଏହି ଶୀତଳ ଯାତ୍ରା ଚାଲୁଥିବା ବେଳେ ଭକ୍ତମାନେ ବହୁ ଶ୍ରଦ୍ଧାରେ ମା’ଙ୍କ ଏହି ଶୀତଳ ଯାତ୍ରାକୁ ଅପେକ୍ଷା କରିଥାନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now