ଓଡ଼ିଶା

ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ପୁରୀ : ରଥ ଯାତ୍ରାର ପଞ୍ଚମ ଦିବସରେ ଆଜି ମଧ୍ୟ ଯଜ୍ଞବେଦିରେ ଭକ୍ତଙ୍କୁ ଆଡ଼ପ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତି । ମହାବାହୁଙ୍କ ଆଡ଼ପ ଦର୍ଶନ ସାଙ୍ଗକୁ ଆଡ଼ପ ଅବଢ଼ା ପାଇ ତୃପ୍ତ ହେଉଛନ୍ତି ଶ୍ରଦ୍ଧାଳୁ । ଆଜି ଭୋର୍ ୫ଟାରେ ଶ୍ରୀଗୁଣ୍ଡିଚା ମନ୍ଦିରର ଦ୍ଵାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ପରେ ପରେ ଭିତର ଶୋଧ କରାଯାଇ ସକାଳ ୬ଟାରେ ମଙ୍ଗଳଆଳତୀ ନୀତି ଆରମ୍ଭ ହୋଇଥିଲା । ସକାଳ ୭ଟା ୩୦ ରୁ ୮ଟା ୩୦ ସାହାଣମେଲା ଦର୍ଶନ ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନ ସାଢ଼େ ୧୦ଟାରୁ ଦିନ ୧୨ଟା ମଧ୍ୟରେ ସକାଳ ଧୂପ ଓ ୧୨ଟା ୩୦ ରୁ ୧ଟା ୩୦ ଭୋଗ ମଣ୍ଡପ ଉଠିବା ପାଇଁ ନୀତି ନିର୍ଘଂଟ ସମ୍ପର୍କରେ ସୂଚନା ଦିଆଯାଇଛି ।

ଭକ୍ତ ମାନେ ଶୃଙ୍ଖଳିତ ଭାବେ ବ୍ୟାରିକେଡ୍ ଭିତରେ ଧାଡିରେ ଯାଇ ସିଂହଦ୍ଵାରରେ ପ୍ରବେଶ ପୂର୍ବକ ଶ୍ରୀଜୀଉଙ୍କୁ ଜନ୍ମବେଦିରେ ଦର୍ଶନ କରି ମନ୍ଦିର ପରିକ୍ରମା ଓ ଆନନ୍ଦବଜାରରେ ଆଡ଼ପ ଅଭଡ଼ା ସେବନ କରି ନାକଚଣା ଦ୍ଵାର ଦେଇ ପ୍ରସ୍ଥାନ କରୁଛନ୍ତି । ଶ୍ରଦ୍ଧାଳୁ ମାନେ କିପରି ସୁରକ୍ଷିତ ଓ ସୁବିଧାରେ ଦର୍ଶନ କରିପାରିବେ ସେଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଭକ୍ତ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ କରି ଆଡ଼ପ ଦର୍ଶନ ଓ ଆଡ଼ପ ଅବଢ଼ା ସେବନ, ବ୍ରାହ୍ମଣଙ୍କୁ ଭୋଜନ ଓ ଦକ୍ଷିଣା ଦେଲେ ଅଧିକ ଧର୍ମ ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି ।

Leave a Reply

Your email address will not be published.

Back to top button