୨ ବର୍ଷ ତଳେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଶଙ୍ଖ ଧରିଥିଲେ ଭି.କେ.ପାଣ୍ଡିଆନ୍। ତାରିଖ ଥିଲା ନଭେମ୍ୱର ୨୭, ୨୦୨୩। ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ବିଜେଡିରେ ବିଧିବଦ୍ଧ ଭାବେ ମିଶିଥିଲେ ପାଣ୍ଡିଆନ୍। ଆଉ ଜୁନ୍ ୯, ୨୦୨୪ରେ ସେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ। କାରଣ ୨୦୨୪ ନିର୍ବାଚନରେ ବିଜେଡି ପରାଜୟର ସ୍ୱାଦ ଚାଖିଲା। ଆଉ ୨୪ ବର୍ଷ ଧରି ନିରକୁଂଶ କ୍ଷମତା ଚୌକିରେ ବସିଥିବା ନବୀନଙ୍କୁ ଜନତା ଗାଦିଚ୍ୟୁତ କରିଥିଲେ। ବିଜେଡି ହାରିଲେ ଓ ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ନ ହେଲେ, ସେ ରାଜନୀତିରୁ ସନ୍ୟାସ ନେଇଯିବେ ବୋଲି ଘୋଷଣା କରିଥିଲେ ପାଣ୍ଡିଆନ୍। ଆଉ ଏହାରି ଭିତରେ ଅନେକ କଥା ଘଟିଯାଇଛି। ପାଣ୍ଡିଆନଙ୍କୁ କେନ୍ଦ୍ର କରି ଦଳରେ ଅନେକ ବିବାଦ, ବିଦ୍ରୋହର ବହ୍ନି ଜଳିଛି। ପରାଜୟ ଲାଗି ତାଙ୍କ ମୁଣ୍ଡରେ ଅଠା ବୋଳିବାକୁ ଚେଷ୍ଟା ହୋଇଛି ସତ। କିନ୍ତୁ ନବୀନ ସବୁବେଳେ ପାଣ୍ଡିଆନଙ୍କ ସୁରକ୍ଷାକବଚ ହୋଇ ଛିଡ଼ା ହୋଇଛନ୍ତି। ପାଣ୍ଡିଆନଙ୍କ ଭଳି ଦକ୍ଷ, କର୍ମଠ ବ୍ୟକ୍ତିକୁ ଦଳର ପରାଜୟ ଲାଗି ଦାୟୀ କରାଯାଇପାରିବନି ବୋଲି ନବୀନ ଅନେକ ଥର କହିସାରିଛନ୍ତି। ପୂର୍ବଭଳି ପାଣ୍ଡିଆନ ନବୀନଙ୍କ ଛାଇ ହୋଇ ରହିଛନ୍ତି। ନବୀନଙ୍କ ପ୍ରଛଦପଟ୍ଟରେ ରହି ଦଳୀୟ ନୀତି ଓ ରଣନୀତିକୁ ସେ ହିଁ ମ୍ୟାନେଜ୍ କରୁଥିବାର ଅନେକ ଆରୋପ ଲଦିଛନ୍ତି ଦଳର ନେତାଏ। ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା ବି ନବୀନ ନିବାସରେ ପ୍ରଥମ ଥର ଶୁଭିଥିଲା। ତା ସତ୍ତ୍ୱେ ପାଣ୍ଡିଆନଙ୍କ କାଟତି ନା ନବୀନଙ୍କ ପାଖରେ କମିଛି ନା ନିର୍ବାଚନ ହାରିବା ସତ୍ତ୍ୱେ ଶାସକ ବିଜେପି ପାଣ୍ଡିଆନଙ୍କ ଦେହରେ ହାତ ମାରିପାରୁଛି। ନିର୍ବାଚନ କ୍ୟାମ୍ପେନ ଅବସରରେ ଓଡ଼ିଆ ଅସ୍ମିତାର କଥା କହି ରେଜଲ୍ଟ ପରେ ନବୀନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ନିର୍ଦେଶ, ପାଣ୍ଡିଆନଙ୍କ ଦୁର୍ନୀତିର ଚିଠା ଖୋଲି ଜେଲରେ ପୁରାଇଦେବାର ଅନେକ ଧମକ ଓ ଶବ୍ଦବାଣରେ କମ୍ପାଇଥିଲା ବିଜେପି। ହେଲେ ଆଜି ଯାଏଁ ସେମିତି କିଛି ହେଲାନି। ବରଂ ବିଜେପି ସହ ଦିଲ୍ଲୀରେ ଡିଲ୍ କରି ବିଜେପିକୁ ସବୁ କ୍ଷେତ୍ରରେ ସୁହାଇଲା ଭଳି କୁଆଡ଼େ କାମ କରୁଛନ୍ତି ପାଣ୍ଡିଆନ୍ ବୋଲି ଚର୍ଚ୍ଚା ହେଉଛି। ନବୀନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ରାଜା ସ୍ୱାଇଁଙ୍କୁ ଆଇ ଆମ୍ ଆଉଟ୍, ବଟ୍ ନଟ୍ ଡାଉନ୍ ବୋଲି ପାଣ୍ଡିଆନଙ୍କ ମନ୍ତବ୍ୟକୁ ନେଇ ଅନେକ ଘମାସାନ ହୋଇଥିଲା ଦଳ ଭିତରେ ଓ ବାହାରେ। ପାଣ୍ଡିଆନଙ୍କୁ ଘନ ଘନ ସୋସିଆଲ ମିିଡିଆରେ ଆକ୍ରଣ କରି ଦଳରୁ ସସପେଣ୍ଡ୍ ହୋଇଥିବା ନେତ୍ରୀ ଶ୍ରୀମୟୀ ମିଶ୍ର ତ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ଖୁବ୍ ଶୀଘ୍ର ବିଜେଡିରେ ମିଶି କମାଣ୍ଡ ଧରିବେ ବୋଲି କହିଲେଣି। ଶ୍ରୀମୟୀଙ୍କ ବୁଡ଼ିଲା ଟାଇଟନିକ ଜାହାଜର ଉପାଖ୍ୟାନ ଏମିତି କିଛି ଇଙ୍ଗିତ କରିଛି। ବିଜେଡି ଭିତରେ ବିଭାଜନ ଥିଓରୀରୁ ଅବତାରଣା କରିଛନ୍ତି ଶ୍ରୀମୟୀ। ସୁଜାତାଙ୍କ ନାଁ ସିନା ନେଇନାହାନ୍ତି, କିନ୍ତୁ ସୁଜାତାଙ୍କ ରାଜନୈତିକ ଆକାଙ୍କ୍ଷାର ଅବତାରଣା କରି ବିଜେଡିରେ ଖୁବ ଶୀଘ୍ର ଏଣ୍ଟ୍ରି କରିବାର କଥା ଦର୍ଶାଇଛନ୍ତି ଶ୍ରୀମୟୀ। ଏହି ପାଓ୍ୱାରଫୁଲ ଦମ୍ପତ୍ତି ବିଜେଡି ନେତୃତ୍ୱର ବିକଳ୍ପ ସାଜିବାକୁ ଫନ୍ଦି କରୁଥିବାର ଆରୋପ ଲଦିଛନ୍ତି ଶ୍ରୀମୟୀ।

Naxatra News is now on Whatsapp
Join and get latest news update delivered to you via whatsapp
Join Now