କମ୍ପାନୀମାନଙ୍କ ଗୁଣ୍ଡାରାଜ ଯୋଗୁଁ ଧନ୍ଦାମୂଳକ ଶିକ୍ଷା ବାଟବଣା

Spread the love

ଭୁବନେଶ୍ୱର : ଆଜି ଲୋୟର ପି.ଏମ୍‌.ଜି. ଧାରଣା ସ୍ଥଳରେ ଅଲ୍ ଓଡ଼ିଶା ଧନ୍ଦାମୂଳକ ପ୍ରଶିକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ସମାବେଶ ହୋଇଥିଲା । ଦୀର୍ଘ ୫୩ଦିନ ଧରି ଚାଲିଆସୁଥିବା ଧନ୍ଦାମୂଳକ ପ୍ରଶିକ୍ଷକମାନଙ୍କର ଆନ୍ଦୋଳନ ସତ୍ୱେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ନଥିବା ଯୋଗୁଁ ଆଗାମୀ ପଦକ୍ଷେପ ସମ୍ପର୍କରେ ବିଚାର ଆଲୋଚନା ପାଇଁ ବିଭିନ୍ନ ଜିଲ୍ଲାରୁ ଧନ୍ଦାମୂଳକ ପ୍ରଶିକ୍ଷକମାନେ ଆସି ଆଲୋଚନାରେ ଭାଗ ନେଇଥିଲେ । ଧନ୍ଦାମୂଳକ ପ୍ରଶିକ୍ଷକ ସଂଘର ରାଜ୍ୟସଭାପତି ସୁନୀଲ୍ ଦେବତାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆଲୋଚନା କାର୍ଯ୍ୟକ୍ରମରେ ସରକାର ଧନ୍ଦାମୂଳକ ଶିକ୍ଷାପ୍ରତି ଉଦାସୀନ ରହିବା, ଧନ୍ଦାମୂଳକ ପ୍ରଶିକ୍ଷକମାନଙ୍କ ସମସ୍ୟା ପ୍ରତି ଅଣଦେଖା କରିବାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟରେ ୫-ଟି’ ସ୍କୁଲ୍‌ମାନଙ୍କରେ ଚାଲିଥିବା ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ନଦେବା ବଡ଼ ଚିନ୍ତା ଓ ଦୁଃଖର ବିଷୟ ବୋଲି ଆଲୋଚନାରେ ମତବ୍ୟକ୍ତ କରାଯାଇଥିଲା । ରାଜ୍ୟ ସରକାର ଧନ୍ଦାମୂଳକ ଶିକ୍ଷା ପାଇଁ ସିଧାସଳଖ ଶିକ୍ଷକ ନିଯୁକ୍ତି ନ ଦେଇ ବାହାର ରାଜ୍ୟର ଅଣଓଡ଼ିଆ କମ୍ପାନୀମାନଙ୍କ ମାଧ୍ୟମରେ ଧନ୍ଦାମୂଳକ ପ୍ରଶିକ୍ଷକ ନିଯୁକ୍ତି ଦେଉଥିବାରୁ ସମସ୍ତ ପ୍ରକାର ବିଶୃଙ୍ଖଳା ଦେଖାଦେଇଛି ବୋଲି ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା । ଯେଉଁ କମ୍ପାନୀମାନଙ୍କର ଶିକ୍ଷା ସହିତ ଜମାରୁ କୌଣସି ସମ୍ପର୍କ ନାହିଁ ସେମାନେ ପ୍ରଶିକ୍ଷକମାନଙ୍କୁ ମନଇଚ୍ଛା ଅଗଣତାନ୍ତ୍ରିକ ଭାବେ ନିଯୁକ୍ତି ଦେଉଛନ୍ତି ଓ ଛଟେଇ କରୁଛନ୍ତି । ବାହାର ରାଜ୍ୟର କମ୍ପାନୀମାନେ ସେମାନଙ୍କର କୌଣସି ଅଫିସ୍ ଓଡ଼ିଶାରେ କୌଣସି ଯାଗାରେ ଖୋଲି ନଥିବାରୁ କୌଣସି ତଥ୍ୟ ବିଷୟରେ ସେମାନଙ୍କ ସହିତ ଯୋଗାଯୋଗ ହୋଇପାରୁନାହିଁ । କମ୍ପାନୀମାନେ ଗୁଣ୍ଡାରାଜ ଚଳାଇ ଆସୁଛନ୍ତି । ପ୍ରଶିକ୍ଷକମାନଙ୍କ ନିଯୁକ୍ତି ପାଇଁ ଲାଞ୍ଚ ମାଗୁଛନ୍ତି । ପ୍ରତି କଥାରେ ଜୋର୍ ଜବରଦସ୍ତ ପଇସା ଆଦାୟ କରୁଥିବାରୁ ଧନ୍ଦାମୂଳକ ପ୍ରଶିକ୍ଷକ ସଂଘ ପକ୍ଷରୁ କମ୍ପାନୀମାନଙ୍କ ନାମରେ ଥାନାରେ କେସ୍ କରାଯାଇଥିଲେ ମଧ୍ୟ ସରକାର ସବୁ ଜାଣି ଚୁପ୍ ରହୁଛନ୍ତି । ଏପରିକି ନିଯୁକ୍ତିଦାତା କମ୍ପାନୀମାନେ ଓସେପା ର ସରାକରୀ ଚିଠି ପ୍ରତି ବେଖାତିର କରିଆସୁଥିବା ବେଳେ ଭୋକେସ୍‌ନାଲ୍ ଛାତ୍ରଛାତ୍ରୀମାନଙ୍କୁ ୧୦୦ ମାର୍କର ପରୀକ୍ଷା ବାଧ୍ୟତାମୂଳକ କରି ଜୁଲମ୍ ଚଳାଇ ଆସୁଛନ୍ତି । ଏହି ପରୀକ୍ଷା ପାଇଁ ଉତର ଦାୟୀ କିଏ ବୋଲି ପ୍ରଶିକ୍ଷକ ସଂଘ ତରଫରୁ ସରକାରଙ୍କଠାରୁ ଜବାବ ଚାହୁଁଥିବା ବେଳେ ‘ସମାନ କାମକୁ ସମାନ ଦରମା ଦେବା’, ବେଆଇନ୍ ଛଟେଇ ବନ୍ଦ କରିବା, ପୁନଃ ଥଇଥାନ କରିବା, ମୋ ସରକାର ଅଧିନରେ ଥିବା ଆଉଟ୍‌ସୋର୍ସିଂ ଏଜେନ୍ସି ଗୁଡ଼ିକ ନୀତିନିୟମ ମାନୁ ନଥିବାରୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ଆସନ୍ତା ୨୪ ତାରିଖରେ ଓଡ଼ିଶାର ସମସ୍ତ ଧନ୍ଦାମୂଳକ ପ୍ରଶିକ୍ଷକମାନେ ବିଧାନସଭା ଆଗରେ ଏକ ବିଶାଳ ରାଲି ସହ ଧାରଣା ଦେବେ ବୋଲି ସଂଘ ତରଫରୁ ପ୍ରକାଶ କରାଯାଇଅଛି ।

Leave a Reply

Your email address will not be published. Required fields are marked *