ଉପରାଷ୍ଟ୍ରପତି ନିର୍ବାଚନ- ବିଜେଡି ଦେବ ଅଗ୍ନିପରୀକ୍ଷା

ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନକଡ଼ଙ୍କ ଇସ୍ତଫା ପରେ ଖାଲି ପଡିଥିବା ଏହି ପଦବୀ ପୂରଣ ଲାଗି ଆରମ୍ଭ ହେଲା ପ୍ରକ୍ରିୟା। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ସେପ୍ଟେମ୍ୱର ୯ରେ ହେବ ନିର୍ବାଚନ। ଭୋଟିଂ ହୋଇ ସେହି ଦିନ ଫଳାଫଳ ଘୋଷଣା ହେବ। ଭୋଟିଂ ସମୟ ସକାଳ ୧୦ରୁ ସଂଧ୍ୟା ୫ଟା ଯାଏ ହେବ। ନାମାଙ୍କନ ଦାଖଲର ଅନ୍ତିମ ତାରିଖ ଅଗଷ୍ଟ ୨୧। ଅଗଷ୍ଟ ୭ରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ। ଜୁଲାଇ ୨୧ରେ ଧନକଡ଼ ସ୍ୱାସ୍ଥ୍ୟଗତ ସମସ୍ୟାର ଆଳ ଦେଖାଇ ନିଜ ପଦରୁ ଇସ୍ତଫା ଦେଇଥିଲେ। ସାଧାରଣତଃ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସମାପ୍ତିର ସର୍ବାଧିକ ୬୦ ଦିନ ଭିତରେ ନିର୍ବାଚନ ହୁଏ। ୭୮୮ ସାଂସଦଙ୍କୁ ନେଇ ଗଠିତ ଇଲେକଟ୍ରୋରାଲ କଲେଜ ଦ୍ୱାରା ଉପରାଷ୍ଟ୍ରପତି ନିର୍ବାଚିତ ହେବେ। ଏଥିରେ ୫୪୩ ଲୋକସଭା ଓ ୨୪୫ ରାଜ୍ୟସଭା ସାଂସଦ ଅଛନ୍ତି। ସେପଟେ ଉପରାଷ୍ଟ୍ରପତି ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ ବିଜେଡି ଲାଗି ଯେମିତି ଅଗ୍ନପରୀକ୍ଷାର ବେଳ ଉପନୀତ ହୋଇଛି। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୂମିକା କଅଣ ରହିବ, ତାକୁ ନେଇ ସସପେନ୍ସ ଜାରି ରହିଛି। ଲୋକସଭାରେ ସାଂସଦ ଶୂନ୍ୟ ବିଜେଡିର ରାଜ୍ୟସଭାରେ ୭ ସାଂସଦ ଅଛନ୍ତି। ଜାତୀୟ ରାଜନୀତିରେ ସବୁବେଳେ ବିଜେଡି ସୁପ୍ରିମୋ ସମଦୂରତ୍ୱର ଫଣ୍ଡା ଧରି ଚାଲୁଥିବାରୁ ଏହି ୭ ସାଂସଦ ନା ଏନଡିଏ ନା ଇଣ୍ଡିଆ ମେଣ୍ଟରେ କେଉଁଠି ବି ନାହାନ୍ତି। ରାଜନୀତି ଗଣିତରେ ହୁଏତ ବିଜେଡିର ୭ ଖଣ୍ଡ ଭୋଟ୍ ନିର୍ଣ୍ଣାୟକ ବି ହୋଇପାରେ। ଓ୍ୱାକଫ ବିଲ୍ ବେଳେ ସମଦୂରତ୍ୱର ପରିଚୟ ଦେଉଥିବା ବିଜେଡିର ବିଜେପି ସହ ଭିତିରିଆ ସମ୍ପର୍କ ପଦାରେ ପଡ଼ିଥିଲା। ଆଗ ଓ୍ୱାକଫ ବିଲକୁ ବିରୋଧ କରାଯିବା ବୋଲି ଘୋଷଣା କରିଥିବା ବିଜେଡି ମତଦାନ ପୂର୍ବରୁ ବିବେକାନୁମୋଦିତ ଭୋଟ ଆଳରେ ଓ୍ୱାକଫ ସମର୍ଥନରେ ଭୋଟ ଦେବାକୁ ସାଂସଦମାନଙ୍କୁ କୁହାଯାଇଥିଲା। ତା ସତ୍ତ୍ୱେ ଦଳର ଦୁଇ ସାଂସଦ ଦଳର ନିଷ୍ପତ୍ତିକୁ ମାନିନଥିଲେ। ଦେବାଶିଷ ସାମନ୍ତରାୟ ଭୋଟଦାନରୁ ବିରତ ରହିଥିଲା ବେଳେ ମୁନ୍ନା ଖାଁ ବିଲ୍ ବିପକ୍ଷରେ ଭୋଟ ଦେଇଥିଲେ। ଅନ୍ୟ ୫ ସାଂସଦ ସପକ୍ଷରେ ଭୋଟ ଦେଲେ। ଏହାକୁ ନେଇ ଦଳ ଭିତରେ ପ୍ରବଳ ବିଦ୍ରୋହର ନିଆଁ ଦେଖାଯାଇଥିଲା। ରାଜ୍ୟସଭାରେ ଦଳକୁ ଲିଡ୍ କରୁଥିବା ସସ୍ମିତଙ୍କ ଆଡ଼କୁ ଅଙ୍ଗୁଳି ଉଠିବା ସହ ପାଣ୍ଡିଆନଙ୍କ ଚକ୍ରାନ୍ତକୁ ନେଇ ଦଳରେ ବିବାଦ ଓ ବିଦ୍ରୋହର ଝଡ଼ ସୃଷ୍ଟି ହୋଇଥିଲା। ଏବେ ବିଜେଡିର ଚିରାଚରିତ ଡାଇଲଗ, ସୁପ୍ରିମୋ ନିଷ୍ପତ୍ତି ନେବେ। ପୂର୍ବରୁ କେବଳ ଏନଡିଏକୁ ନୁହେଁ, ବରଂ ଉପାକୁ ବି ସମର୍ଥନ ଦେଇଛି ବିଜେଡି। ସବୁବେଳେ ଓଡ଼ିଶାର ସ୍ୱାର୍ଥକୁ ଦେଖି ନିଷ୍ପତ୍ତି ନେଇଥାଏ ବିଜେଡି। ଖୁବଶୀଘ୍ର ସଂସଦୀୟ କମିଟି ବୈଠକ ଡାକି ଆଲୋଚନା ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଓ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। କଂଗ୍ରେସ କହିଛି, ଦଳ କାହାକୁ ସମର୍ଥନ କରିବ ହାଇକମାଣ୍ଡ ନିଷ୍ପତ୍ତି ନେବେ। ନିର୍ବାଚନରେ ବିଜେଡିର ଆଭିମୁଖ୍ୟ କଅଣ ହେବ, ଦେଖିବାର କଥା। ବିଜେଡି ଯାହା କହେ, ଠିକ୍ ତାହାର ଓଲଟା କାମ କରିଆସିଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଅଶୋକ ଦାସ। ବିଜେପି କହିଛି, ବିଜେଡିକୁ ସମର୍ଥନ ନ ମାଗି ବି ଉପରେ ପଡ଼ି ଅନେକ ପ୍ରସଙ୍ଗରେ ସମର୍ଥନ କରିଛି। ଆଗକୁ ବି କରିପାରେ। ଉପରାଷ୍ଟ୍ରପତି କିଏ ହେବେ, କାହାକୁ ପ୍ରାର୍ଥୀ କରାଯିବ, ସେ ନିଷ୍ପତ୍ତି ସଂସଦୀୟ ବୋର୍ଡର ବୋଲି କହିଛନ୍ତି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ।ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଅଂକକଷା ଆରମ୍ଭ ହୋଇଥିବା ବେଳେ ବିଜେଡି କୁଆଡ଼କୁ ଢଳିବ, ତାକୁ ନେଇ ସମସ୍ତଙ୍କ ଉତ୍କଣ୍ଠା ଲାଗି ରହିଛି। ରାଜ୍ୟରେ ନାରୀ ନିର୍ଯାତନା, ବାଲେଶ୍ୱରରୁ ବଳଙ୍ଗା ପୀଡ଼ିତା ପ୍ରସଙ୍ଗ, ଚାଷୀ ଦୁର୍ଦ୍ଦଶା, ଆଇନଶୃଙ୍ଖଳା, ଜାତିଭିତ୍ତିକ ଜନଗଣନା, ରଥଯାତ୍ରା ବିଭ୍ରାଟ ଆଦି ପ୍ରସଙ୍ଗରେ କଂଗ୍ରେସ ଭଳି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛି। ସରକାରକୁ ଘେରିବାକୁ କଂଗ୍ରେସ ଓ ବିଜେଡି ଭିତରେ ପ୍ରତିଯୋଗିତା ଚାଲିଛି ବୋଲି କଟାକ୍ଷ କରିଥିଲା ବିଜେପି। ବିଧାନସଭାରେ ତ ଅନାସ୍ଥା ଆଣିବାକୁ ନବୀନଙ୍କୁ ଅପିଲ କରିସାରିଛନ୍ତି ଭକ୍ତ। ହେଲେ ଉପରାଷ୍ଟ୍ରପତି ନିର୍ବାଚନରେ ନବୀନଙ୍କ ଆଭିମୁଖ୍ୟ କଅଣ ରହିବ। ତା ଉପରେ ସମସ୍ତଙ୍କ ନଜର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *