Sundargarhଓଡ଼ିଶା

ପାଣି ପାଇଁ ହନ୍ତସନ୍ତ ଗାଁ ଲୋକେ

ସୁନ୍ଦରଗଡ: ପାଣି ଟୋପେ ପାଇଁ ଲୋକଙ୍କୁ ଚଢିବାକୁ ପଡୁଛି ପାହାଡ । ବର୍ଷ ବର୍ଷ ଧରି ପାଣି ପାଇଁ ସଂଘର୍ଷ କରୁଛନ୍ତି ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ବ୍ଲକ ଅନ୍ତର୍ଗତ ଗୁଡିସାହିର ଲୋକେ । ଯେଉଁ ଜିଲ୍ଲାରେ ହକି ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ଏତେ କୋଟି ଟଙ୍କା ଖର୍ଚ୍ଚ ହକି ଷ୍ଟାଡିୟମକୁ ବିଶ୍ୱ ସ୍ଥରୀୟ କରିଥିଲେ ଏବେ ସେଠାରୁ ଆସିଛି ଏପରି ଦୁର୍ବିପାକର ଚିତ୍ର । ଦୀପ ତଳ ଅନ୍ଧାର ପରି ରୁଗୁଡିସାହି ଲୋକେ ରହିଛନ୍ତି ପ୍ରଶାସନ ସେବା ଠାରୁ ଢେର ଦୂରରେ ।  

ରାତି ପାହିଲା ମାତ୍ରେ ହଣ୍ଡା, ମାଠିଆ ଧରି ପାଣି ଟୋପେ ପାଇଁ ବହୁଦୂର ଚାଲୁଛନ୍ତି ରୁଗୁଡି ସାହି ଲୋକେ ତାହାପୁଣି ଦୂଷିତ ନାଳର ଜଳ । ଯାହାକୁ ପିଇବା ପାଇଁ ବାଧ୍ୟ ହେଉଛନ୍ତି ଗାଁ ଲୋକେ । ପ୍ରଶାସନ ସବୁକଥା ଜାଣିବା ପରେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଚୁପ ବସିଛି।  ଯାହାକୁ ନେଇ ଲୋକେ ନାନା ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ ଆଣିଛନ୍ତି ଗୁରୁଡିସାହି ବାସିନ୍ଦା । 

ଘଞ୍ଚ ପାହାଡ ଇଲାକା ର ପାଦ ଦେଶରେ ରହିଛି ଏହି ସାହିଟି । ଏହି ସାହିରେ ବସବାସ ହାରାହାରି 100 ଲୋକେ  । ମାତ୍ର ସେମାନଙ୍କ ମୌଳିକ ଅବଶ୍ୟକତା ପୂରଣ ପାଇଁ ରହିଛି ଗୋଟିଏ ନଳକୂପ ଯେଉଁଠାରୁ ଆବଶ୍ୟକୀୟ ପାଣି ବାହାରୁନି, ଆଉ ଯାହା ବାହାରୁଛି ତାହା ଦେଖିବାକୁ ହଳଦିଆ । ଏହି ପାଣିରେ ସେମାନେ କେବଳ ରୋଷେଇ କରିପାରନ୍ତି । ତେଣୁ ପିଇବା ପାଣି ପାଇଁ ରାତି ପାହିଲେ ପୁରୁଷ ଓ ମହିଳାମାନେ ମୁଣ୍ଡରେ ଗରା, ମାଠିଆ ମୁଣ୍ଡାଇ ଚାଲି ଚାଲି ଯାଉଛନ୍ତି ଅନେକଦୂର । ଉକ୍ତ ନାଳର ପାଣି ଦୂଷିତ ହେଲେ ମଧ୍ୟ ସେମାନେ ଏହି ପାଣିକୁ ବର୍ଷ ବର୍ଷ ଧରି ପିଇ ଆସୁଛନ୍ତି ଗାଁଲୋକେ । ଏହି ପାଣି ସେବନ କରି ଅନେକ ରୋଗଗ୍ରସ୍ତ ବି ହେଲେଣି ବୋଲି ଅଭିଯୋଗ ହେଉଛି । 

ଏନେଇ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ଆଣିଛନ୍ତି ସାହି ବାସିନ୍ଦା । ଉକ୍ତ ବିଷୟକୁ ନେଇ ଉପଜିଲ୍ଲାପାଳକୁ ମଧ୍ୟ ଲିଖିତ ଭାବେ ଅଭିଯୋଗ କରାଯାଇଥିଲା ଯେଉଁଥିରେ କିଛି ଲୋକ ଆସିଥିଲେ ନଳକୂପ ସଜାଡି ଯାଇଥିଲେ ଏବଂ ସଜାଡିବା ବାବଦକୁ 100 ଟଙ୍କା ମଧ୍ୟ ନେଇଥିଲେ । ହେଲେ କିଛିଦିନ ପରେ ପୁଣି ସେଇ ପୁରୁଣା ଅବସ୍ଥା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

ତେଣୁ ସରକାର ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଲୋକମାନେ ଅଭିଯୋଗ କରିଛନ୍ତି ।  ତେବେ ଏନେଇ ପ୍ରଶାସନିକ ଅଧିକାରୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି ।

Leave a Reply

Your email address will not be published.

Back to top button