ଅପରାଧଓଡ଼ିଶାରାଜନୀତି

କଅଣ ପାଇଲା କ୍ରାଇମବ୍ରାଞ୍ଚ

() ନବ ଦାସ ହତ୍ୟା ମାମଲାର ତଦନ୍ତ ନିଷ୍କର୍ସ ଯେତିକି ବିଳମ୍ୱ ହେଉଛି। ତାକୁ ତାଳ ଦେଇ ସେତିକି ବଢ଼ୁଛି ରାଜନୀତି। ଯଦିଓ କ୍ରାଇମବ୍ରାଞ୍ଚ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଲାଗି ଆବେଦନ କରିଛି। ଆଉ ସବୁ କଥା ମହାପ୍ରଭୂ ଜଗନ୍ନାଥଙ୍କୁ ଜଣା ବୋଲି ଦେଇଥିବା ଡିଜିଙ୍କ ମନ୍ତବ୍ୟ ସାଙ୍ଗକୁ ପିଏସଓଙ୍କୁ ନେଇ ସୌମ୍ୟଙ୍କ ସନ୍ଦେହବାଣ ସରକାରଙ୍କୁ ଅକଳରେ ପକାଇଦେଇଛି। ସ୍ୱାଧୀନ ସଂସ୍ଥା ତଦନ୍ତ କରୁ ବୋଲି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆସି ଓଡ଼ିଶାରେ କହିଲେଣି।

ନବ ଦାସ ହତ୍ୟା ମାମଲାର ତଦନ୍ତ କେଉଁ ଯାଏ ପହଞ୍ଚିଲା। କଅଣ ପାଇଲା କ୍ରାଇମବ୍ରାଞ୍ଚ। ଏ ଯାଏ ରହସ୍ୟଭେଦ ସହ ଗୁମର ଖୋଲିପାରୁନି କି କ୍ରାଇମବ୍ରାଞ୍ଚ। ଏମିତି ତମାମ ପ୍ରଶ୍ନ ଓ ସନ୍ଦେହୀ ଆଖିରେ ସରକାରଙ୍କୁ ଦେଖିବାକୁ ବାଧ୍ୟ ହେଲେଣି ବିରୋଧୀ ଦଳ। କାରଣ ପାଇଖାନା ଟାଙ୍କିରୁ ଗୋପାଳଙ୍କ ହାତଲେଖା ଚିଠି ମିଳିବା, କ୍ୱାର୍ଟରରୁ ଦସ୍ତାବିଜ୍, ଡାଏରି ଓ କାର୍ ଜବତ ଭଳି ତଦନ୍ତର ମୋଡ଼କୁ ନେଇ ସନ୍ଦେହ କରୁଛନ୍ତି ବିରୋଧୀ। କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓଡ଼ିଶା ଆସି କହିଲେଣି, ଯେଉଁଠି କ୍ୟାବିନେଟ ମନ୍ତ୍ରୀ ସୁରକ୍ଷିତ ନୁହଁନ୍ତି। ସେଠି ସାଧାରଣ ଲୋକ କିଭଳି ସୁରକ୍ଷିତ ରହିବେ। ସ୍ୱାଧୀନ ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ ହେଉ। ଆଉ ରାଜ୍ୟ ବିଜେପି କହିଛି, ଡିଜି ନାଟକ କରୁଛନ୍ତି। ଜଗନ୍ନାଥଙ୍କ ନାଁରେ ନିଜର ଅପାରଗତାକୁ ଘୋଡ଼ାନ୍ତୁନି ଡିଜି। ଅରୁଣ ବୋଥ୍ରା ଆଉ ଗପ କହି ଡ୍ରାମା କରନ୍ତୁନି।

ସେପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନିଜର ପିଏସଓକୁ ଫେରାଇ ଦେବା ପରେ ସରକାର ଆଉ ଆଇ ମାଆ କାହାଣୀ ନ ଶୁଣାଇ ତୁରନ୍ତ ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ ବୋଲି ଦାବି କରିଛନ୍ତି। ବିଧାନସଭାରେ ଏ ପ୍ରସଙ୍ଗ ଉଠିବ। ସେପଟେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ତେରେଛା ବାଣ ସରକାରଙ୍କୁ ଅକଳରେ ପକାଇଲାଣି। ନିଜ ପିଏସଓ କେତେବେଳେ ଗୋପାଳ ହୋଇଯିବନି ତ ବୋଲି ସନ୍ଦେହ କରିଛନ୍ତି। ତଦନ୍ତ ଶୀଘ୍ର ସରିଲେ ସବୁ ଚର୍ଚ୍ଚା, ଗୁଜବ ଓ ଗପର ଅବସାନ ହୁଅନ୍ତା। ଆଉ ଡିଜିପିଙ୍କ ଅସହାୟତାକୁ ନେଇ ବି କଟାକ୍ଷ କରିଛନ୍ତି ସୌମ୍ୟ। ଦାସିଆ ବାଉରୀ ସାଜି ଜଗନ୍ନାଥଙ୍କୁ ଡାକନ୍ତୁ ଡିଜି। ସେ ସ୍ୱପ୍ନରେ ହତ୍ୟାକାଣ୍ଡର କାରଣ କହିଦିଅନ୍ତେ। କଂଗ୍ରେସ କହିଛି, ଅରୁଣ ବୋଥ୍ରାଙ୍କ ଗପ ସରକାରଙ୍କୁ ସୁହାଇବ। କିନ୍ତୁ ଜନତାଙ୍କୁ ଅନ୍ଧ ଭାବନ୍ତୁନି ସରକାର। ଆଉ ତଦନ୍ତ ସରିବା ଯାଏ ଅପେକ୍ଷା କରିବା, ସବୁ ପୁଲିସ ଉପରେ ସନ୍ଦେହ କରିବା ସମୀଚିନ ନୁହେଁ କହି ଧାଡିକିଆ ଉତ୍ତରରେ ବିରୋଧୀ ଦଳକୁ କାଉଣ୍ଟର କରିଛି ଶାସକ ଦଳ।

ନବ ଦାସ ହତ୍ୟାକାଣ୍ଡ ମାମଲାର ତଦନ୍ତର ଦିଗ ଦିନକୁ ଦିନ ଜଟିଳ ସହ ରୋଚକ ମୋଡ଼ ନେବାରେ ଲାଗିଲାଣି। ଏଭଳି ସ୍ଥିତିରେ ପୁଲିସର ଅସହାୟତା ନା ପୁଲିସ ଜାଣିଶୁଣି ଦିଗହରା କରୁଛି ତଦନ୍ତକୁ, ତାକୁ ନେଇ ଅନେକ ପ୍ରଶ୍ନ ଆନ୍ଦୋଳିତ କରୁଛି।

ଭୁବନେଶ୍ୱରରୁ ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button