କେବେ ହେବ ବନ୍ୟା କ୍ଷୟକ୍ଷତି ଆକଳନ

ଭୁବନେଶ୍ବର: ବନ୍ୟାକୁ ବିତିଲାଣି ୧୫ ଦିନରୁ ଅଧିକ । ହେଲେ ଏଯାଏଁ ସରିଲାଣି କ୍ଷୟକ୍ଷତି ଆକଳନ । ଯାହାକୁ ନେଇ ସରକାରକୁ ସମାଲୋଚନା କରିଛନ୍ତି ବିରୋଧି । ଆକଳନ ପାଇଁ ଲୋକଙ୍କ ପାଖକୁ ଅଧିକାରି ଯାଉ ନଥିବାର ଅଭିଯୋଗ ଆଣିଛି ବିଜେପି । ସେହିପରି କଂଗ୍ରେସ କହିଛି ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ ନ କରି ଦିଲ୍ଲୀରେ ନିଜର ଆତ୍ମ ପ୍ରଚାର କରୁଛନ୍ତି । ସେପଟେ ଆଉ ୨ରୁ ୩ ଦିନ ଭିତରେ ରିପୋର୍ଟ ଆସିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ।
ଅଗଷ୍ଟ ୧୮ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ ଅନୁଯାୟୀ, ୭ ଦିନ ଭିତରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦିଆଯିବା ସହ ୧୫ ଦିନ ଭିତରେ ସହାୟତା ଦେବାକୁ ନିର୍ଦେଶ ହୋଇଥିଲା । ହେଲେ ୧୫ ଦିନରୁ ଅଧିକ ବିତିଯାଇଥିଲେ ମଧ୍ୟ କ୍ଷୟକ୍ଷତିର ଆକଳନ ସରିନାହିଁ । ବନ୍ୟାରେ କାହାର ଘର ଭୁଷୁଡ଼ି ପଡିଥିବା ବେଳେ ଚାଷୀର ଫସଲ ଧୋଇ ନେଇଛି । ଯାହାକୁ ନେଇ ସରକାରକୁ ଟାର୍ଗେଟ କରିଛନ୍ତି ବିରୋଧି ।
ହେଲିକେପ୍ଟରରେ ଆକାଶମାର୍ଗରୁ ବୁଲିଲେ ଲୋକଙ୍କ ଦୁର୍ଦଶା ଦୂର ହେବ ନାହିଁ । ଲୋକଙ୍କୁ ସହାୟତା ଆବଶ୍ୟକ ବୋଲି ବିଜେପି କହିଛି । ଏହାସହ କ୍ଷୟକ୍ଷତି ପାଇଁ ଅଧିକାରୀମାନେ ଲୋକଙ୍କ ପାଖକୁ ଯାଉନଥିବା ଅଭିଯୋଗ କରୁଛି ଦଳ । ବନ୍ୟା ମନୁଷ୍ୟକୃତ ବୋଲି ବନ୍ୟାଞ୍ଚଳକୁ ଯାଇଥିବା ବିଜେପି ଅନୁସନ୍ଧାନକାରୀ ଟିମ୍ ଗୁରୁବାର ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ଫର୍ଦ୍ଦ ବି ଦାଖଲ କରିଛି। ଏପଟେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଖକୁ ନଯାଇ ଦିଲ୍ଲୀରେ ନିଜର ଆତ୍ମ ପ୍ରଚାର କରୁଛନ୍ତି ବୋଲି ଅଭିଯାଗ ଆଣିଛି କଂଗ୍ରେସ।
ସେପଟେ ୨୪ ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ସେଥିମଧ୍ୟରୁ ୧୦ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେଣୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜିଲ୍ଲାରୁ ରିପୋର୍ଟ ଆସିବାରେ ଡେରି ହେଉଛି । ବିଶେଷ କରି ଆଉ ୨ରୁ ୩ ଜିଲ୍ଲାରୁ ରିପୋର୍ଟ ଆସିବ । ସେହି ଜିଲ୍ଲାଗୁଡ଼ିକରୁ ରିପୋର୍ଟ ଆସିଲା ପରେ କ୍ଷୟକ୍ଷତିର ସଂପୁର୍ଣ୍ଣ ତାଲିକା ଜଣା ପଡ଼ିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି । ଏହାସହ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ସ୍ଥାନରେ ମରାମତି ଚାଲିଥିବା ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ।
ତେବେ ଅନେକ ସମୟରେ ଏଯାଏଁ ଫନି ସହାୟତା ମିଳି ନଥିବା ଅଭିଯୋଗ ହେଉଥିବା ବେଳେ କ୍ଷୟକ୍ଷତି ରିପୋର୍ଟ କେବେ ଆସିବ ଓ ସହାୟତା କେବେ ମିଳିବ ତାକୁ ନେଇ ଚିନ୍ତାରେ ଲୋକେ ….
ସିମ୍ପୁଲ ନାୟକଙ୍କ ସହ ନବ କିଶୋର ସାହୁଙ୍କ ରିପୋର୍ଟ