ରାଜ୍ୟରେ କୁଆଡେ ଗଲା ଶିଳ୍ପ: ବିରୋଧୀ

() ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା ନେଇ ବିରୋଧୀ ରାଜ୍ୟ ସରକାରକୁ ଘେରିବାକୁ ଚେଷ୍ଟା କରିଥିବା ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡିଥିଲେ ରାଜ୍ୟକୁ ମେକ ଇନ ଓଡିଶାରେ ବାହାର ନିବେଶକଙ୍କ ଆଗମନ ହେଉନଥିଲା। ଆଉ ଏହାକୁ ନେଇ ଆଜି ବିରୋଧୀ ବିଧାନସଭାରେ ଘେରିଛନ୍ତି ସରକାରକୁ।
ମେକ୍ ଇନ ଓଡ଼ିଶା ହେଉଛି ତ ଶିଳ୍ପ କୁଆଡ଼େ ଯାଉଛି? ଶିଳ୍ପପତି କେତେ ଆସିଲେ? ନୂଆ ଶିଳ୍ପନୀତି କେତେ ପ୍ରଭାବଶାଳୀ? ଓଡ଼ିଆଙ୍କୁ ତ ନିଯୁକ୍ତି ମିଳୁନି। ତା ହେଲେ ଏଭଳି କାର୍ଯ୍ୟକ୍ରମ ଜରିଆରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରିବାର ଅର୍ଥ କଅଣ। ଦଳମତ ନିର୍ବିଶେଷରେ କିଛି ଏମିତି ଢଙ୍ଗରେ ବିଧାନସଭାର ପ୍ରଶ୍ନୋତ୍ତର କାଳରେ ଉଦବେଗ ପ୍ରକାଶ ପାଇଥିଲା। ଆଉ ଶିଳ୍ପମନ୍ତ୍ରୀ କହିଛନ୍ତି, ଯଥେଷ୍ଟ ପୁଞ୍ଜିନିବେଶ ସହ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ତିଆରି ହୋଇଛି। ୨୦ ପ୍ରତିଶତ ଓଡ଼ିଆଙ୍କୁ ଶିଳ୍ପ ସଂସ୍ଥାରେ ନିଯୁକ୍ତି ଦେବାର ପ୍ରାବଧାନ ରଖାଯାଇଛି।
ମେକ୍ ଇନ ଓଡ଼ିଶା ହେଲା। ଭୁବନେଶ୍ୱର ସମେତ ବାଙ୍ଗାଲୋର, ହାଇଦ୍ରାବାଦ, ଦିଲ୍ଲୀରେ କନକ୍ଲେଭ କଲ। କେତେ ଶିଳ୍ପପତି ଓଡ଼ିଶାରେ ନିବେଶ କରିବାକୁ ଆଗ୍ରହ ଦେଖାଇଲେ। ଓଡ଼ିଶାରେ କେତେ ନିଯୁକ୍ତି ସୃଷ୍ଟିର ସମ୍ଭାବନା ତିଆରି ହେଲାଣି। ଯେଉଁଠି ବି ଦେଖିଲେ ଅଣଓଡ଼ିଆ। ଓଡ଼ିଆଙ୍କ ନିଯୁକ୍ତି କେବଳ ସିକ୍ୟୁରିଟି ଚାକିରୀରେ ସୀମିତ। ଓଡ଼ିଶାକୁ ଆସୁଥିବା ଶିଳ୍ପପତିଙ୍କ ସ୍ୱାର୍ଥରେ ମାତିଛନ୍ତି ଅଣଓଡ଼ିଆ ଅଫିସର। କୋଟି କୋଟି ଟଙ୍କା ଖାଇଗଲେଣି। କିନ୍ତୁ ନିଯୁକ୍ତି କାଇଁ। ବେକାରୀ ସମସ୍ୟା ଉତ୍କଟରୂପ ଧାରଣ କଲାଣି। ଲୋକେ ଜମି ଦେଇ ଶିଳ୍ପକୁ ଚାହିଁବସିଛନ୍ତି। ହେଲେ ଶିଳ୍ପ ପ୍ରତିଷ୍ଠା ହେଉନି। ଦଳମତ ନିର୍ବିଶେଷରେ ବିଧାନସଭାର ପ୍ରଶ୍ନୋତ୍ତର କାଳରେ ଶିଳ୍ପ ମନ୍ତ୍ରୀଙ୍କୁ କିଛି ଏମିତି ଢଙ୍ଗରେ ଘେରିଥିଲେ ସଭ୍ୟ।
ଏପରିକି ଶିଳ୍ପ ପାଇଁ ଆଗ୍ରହୀ ବ୍ୟକ୍ତିବିଶେଷଙ୍କୁ ରିହାତିରେ କଞ୍ଚାମାଲ ଦେବାର ବ୍ୟବସ୍ଥା କରିଲେ, ସେମାନେ ବଞ୍ଚିଯାଆନ୍ତେ। କିନ୍ତୁ ଛୋଟ ଛୁଞ୍ଚି ପାଇଁ ବି ତୃତୀୟ ମହଲାକୁ ଅଧିକାରୀ ଦେଖାଉଛନ୍ତି କହି ତୀର୍ଯ୍ୟକ ତୀର ମାରିଛନ୍ତି କିଛି ସଭ୍ୟ। ସେପଟେ ଶିଳ୍ପ ମନ୍ତ୍ରୀ କହିଛନ୍ତି, ପୁଞ୍ଜିନିବେଶରେ ଜାତୀୟହାରରୁ ଓଡ଼ିଶା ଆଗରେ ରହିଛି। ଜାତୀୟ ହାର ୨୨ ପ୍ରତିଶତ ଥିଲା ବେଳେ ଓଡ଼ିଶାରେ ୪୫ରୁ ୪୭ ପ୍ରତିଶତ ରହିଛି। ମେକ ଇନ ଓଡ଼ିଶା-୨୦୨୨ ଜରିଆରେ ୭୪୧ ଶିଳ୍ପ ପାଇଁ ଆଗ୍ରହ ପ୍ରସ୍ତାବ ଆସିଛି। ଏହା କାର୍ଯ୍ୟକ୍ଷମ ହେଲେ ୧୦ଲକ୍ଷ ୪୮ହଜାର୮୦୭ କୋଟିଟଙ୍କାର ପୁଞ୍ଜିନିବେଶ ସହ ୧୦ଲକ୍ଷ ୩୭ହଜାର ୮୦୧ ନିଯୁକ୍ତି ସୁଯୋଗ ସୃଷ୍ଟିର ଆକଳନ ହେବ। ୨୦ ପ୍ରତିଶତ ଓଡ଼ିଶାବାସୀଙ୍କୁ ଶିଳ୍ପ ସଂସ୍ଥାରେ ନିଯୁକ୍ତି ଦେବାର ପ୍ରାବଧାନ ରହିଛି। ଶିଳ୍ପ ପ୍ରତିଷ୍ଠା ଲାଗି ଅନୁକୂଳ ପରିବେଶ ସହ ବ୍ୟବସ୍ଥାକୁ ସରଳୀକରଣ କରାଯାଇଛି। ଶିଳ୍ପସଂସ୍ଥାଗୁଡ଼ିକ ଟେକ୍ନୋଲୋଜି ଉପରେ ଅଧିକ ନିବେଶ କରି ଲାଭ ଦେଖୁଥିବାରୁ ମାନବସମ୍ୱଳରେ କମ୍ ବିନିଯୋଗ ହେଉଥିବା ସ୍ୱୀକାର କରିଛନ୍ତି ମନ୍ତ୍ରୀ।
ନିବେଶ ଆସିଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ବଢ଼ିବ। ହେଲେ ଓଡ଼ିଆଙ୍କୁ ସେହି ଅନୁପାତରେ ନିଯୁକ୍ତି ମିଳୁନଥିବାରୁ ଗୃହରେ ଉଦବେଗ ବାରି ହୋଇପଡ଼ୁଥିଲା।
ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ