ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ତେଜିଛି ଚାଷ ରାଜନୀତି । କିଏ ଠକୁଛି ଆଉ କିଏ ଚାଷୀକୁଳର ହିତରେ ଅଛି ତାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଘମାସାନ ହୋଇଛି କଳି । ଚାଷୀଙ୍କ ପ୍ରତି କାହା ଦରଦ କେତେ ତାର ପ୍ରତିଯୋଗୀତା ଚାଲିଛି। କୃଷିମନ୍ତ୍ରୀ ଫସଲ ବୀମା ମିଳିବାରେ ବିଳମ୍ୱ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରି ଚିଠି ଲେଖିଥିବା ବେଳେ ଚିଠି ଅର୍ଦ୍ଧ ସତ୍ୟ ବୋଲି କହିଛି ବିଜେଡ଼ି । ଏପଟେ ଆସନ୍ତାକାଲିଠାରୁ ବିଧାନସଭା ସମ୍ମୁଖରେ ଚାଷୀ ସମସ୍ୟାକୁ ନେଇ ବିଜେପି ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବ ବୋଲି ଘୋଷଣା କରିଚି । ଉଭୟ ଦଳର ମୁହାଁମୁହିଁକୁ ଡ୍ରାମା କହି କଟାକ୍ଷ କରିଛି କଂଗ୍ରେସ ।
ଫସଲ ବୀମାକୁ ନେଇ ମୁହାଁ ମୁହିଁ କେନ୍ଦ୍ର ଓ ରାଜ୍ୟ । ଚିଠି ଲେଖି ରାଜ୍ୟର ଦାୟୀତ୍ୱକୁ ମନେ ପକାଇଲେ କେନ୍ଦ୍ର କୃଷିମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀଙ୍କ ଚିଠି ଅର୍ଦ୍ଧ ସତ୍ୟ କହି ଟାର୍ଗେଟ କଲା ବିଜେଡ଼ି। ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଫସଲ ବୀମାକୁ ନେଇ ସରଗରମ ରାଜ୍ୟ ରାଜନୀତି । ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃଷି ମନ୍ତ୍ରୀଙ୍କୁ ଭେଟି ଫସଲ ବୀମା ବାବଦରେ ଆଲୋଚନା କରିଥିଲେ । ଏନେଇ ଗୁରୁବାର କୃଷିମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଫସଲ ବୀମା କାର୍ଯ୍ୟକାରୀ କରିବାର ଦାୟୀତ୍ୱ ରାଜ୍ୟ ସରକାରଙ୍କର ବୋଲି ମନେ ପକାଇ କି ଟେଣ୍ଡର ଜାରି କରିବା, ବୀମା କମ୍ପାନୀକୁ କ୍ଲଷ୍ଟର ଅଫ ଡ଼ିଷ୍ଟ୍ରିକ୍ଟ ପ୍ରଦାନ କରିବା ଓ ପ୍ରିମିୟମ ରେଟର ଚୁକ୍ତି କରିବା ଦାୟୀତ୍ୱ ରାଜ୍ୟ ସରକାରଙ୍କର ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଦେଇଛନ୍ତି । ଏମିତି । ଏପଟେ ରାଜ୍ୟରେ ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଶୁକ୍ରବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ସମ୍ମୁଖରେ ଧାରଣା ଦେବ ବିଜେପି ବୋଲି ଘୋଷଣା କରିଛି।
ସେପଟେ କେନ୍ଦ୍ର କୃଷୀମନ୍ତ୍ରୀଙ୍କ ଚିଠି ଅର୍ଦ୍ଧ ସତ୍ୟ ବୋଲି କହିଛି ବିଜେଡ଼ି । ଏଚଡ଼ିଏଫସି ବୀମା କମ୍ପାନୀକୁ କିଏ ଅନୁବନ୍ଧିତ କରିଥିଲା ତାହାର ଉତ୍ତର ଚିଠିରେ କାହିଁକି କୃଷୀ ମନ୍ତ୍ରୀ ରଖିଲେ ନାହିଁ ବୋଲି ଦଳ ପ୍ରଶ୍ନ କରିଛି । ଏହାସହ ଧର୍ମେନ୍ଦ୍ରଙ୍କ ଚିଠିରୁ ଜଣା ପଡୁଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନିୟମିତତା ରହିଛି । ଏପଟେ ବିଧାନସଭା ସାମ୍ନାରେ ଧାରଣା ନଦେଇ ସଂସଦ ସମ୍ମୁଖରେ ଧାରଣା ଦେଲେ ରାଜ୍ୟର କୃଷକ ତାର ହକ ପାଇ ପାରିବ ବୋଲି ବିଜେପିକୁ କଟାକ୍ଷ କରିଛି ବିଜେଡ଼ି । ସେପଟେ ଚାଷୀଙ୍କୁ ଉଭୟ ବିଜେଡ଼ି ବିଜେପି ଠକୁଛନ୍ତି ଏବଂ ପଦ୍ମପୁର ଉପନିର୍ବାଚନକୁ ନେଇ ଉଭୟ ନାଟକ କରୁଥିବା କଂଗ୍ରେସ ସମାଲୋଚନା କରିଛି ।
ଚାଷୀ ସଂଗଠନ ରାଜନୈତିକ ଦଳଙ୍କୁ ଅଡୁଆରେ ପକାଇଛନ୍ତି । ତେଣୁ ଚାଷୀଙ୍କୁ ଅସନ୍ତୁଷ୍ଟ କରି ପଦ୍ମପୁର ଉପନିର୍ବାଚନ ଜିତିବା ସହଜ ହେବନି । ତେଣୁ ଉଭୟ ବିଜେଡ଼ି ଓ ବିଜେପି ଚାଷୀଙ୍କ ସହ ଅଛନ୍ତି ବୋଲି କହୁଛନ୍ତି। ହେଲେ ଦେଖିବା ବାକି ରହିଲା କୃଷକ ପ୍ରସଙ୍ଗରୁ କେଉଁ ଦଳ କେତେ ଫାଇଦା ପାଉଛି । ଚାଷୀ କାହାକୁ ଭରଷୁଛି ।
ନବ କିଶୋର ସାହୁଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now