ଓଡ଼ିଶା

ଗୁଇନ୍ଦାକୁ ଲଗାଇ ତୃତୀୟ ମହଲାକୁ ରିପୋର୍ଟ କରୁଛି କିଏ?

ଭୁବନେଶ୍ବର:  ବିଧାନସଭାରେ ପଦ୍ମପୁର ତାତି। ପଦ୍ମପୁର ପ୍ରଚାର ମୈଦାନ କମ୍ପୁଥିଲା ବେଳେ ଏପଟେ କିନ୍ତୁ ପଦ୍ମପୁର ହିଂସାକୁ ନେଇ ଗୃହରେ ଝଡ଼ ବୋହିଛି। ଆଉ ସିଇଓ ଅଫିସକୁ ନିୟମିତ ବ୍ୟବଧାନରେ ପରସ୍ପର ବିରୁଦ୍ଧରେ ଅଭିଯୋଗର ଦସ୍ତାବିଜ୍ ନେଇ ଫେରାଦ୍ ହେବା ଉପକ୍ରମ ଜାରି ରଖିଛନ୍ତି ଉଭୟ ବିଜେଡି ଓ ବିଜେପି।

 ପଦ୍ମପୁରରେ ହିଂସା। ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ବିଜେପି କାର୍ଯ୍ୟକର୍ତ୍ତା ଦିଲ୍ଲୀପ ସେନାପତିଙ୍କୁ ଅପହରଣ ସହ ଆକ୍ରମଣ କରିଛନ୍ତି। ଡିଜିଙ୍କ ଆଗରେ ଫେରାଦ୍ ହୋଇଛୁ। କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ ସମୟରେ ତାଙ୍କ ପଛରେ ଗୁଇନ୍ଦାକୁ ଲଗାଇ ତୃତୀୟ ମହଲାକୁ ରିପୋର୍ଟ କରୁଛି କିଏ। କିଛି ଏମିତି ଢଙ୍ଗରେ ବିଧାନସଭା ଭିତରେ ପଦ୍ମପୁର ହିଂସାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ବର୍ଷିଥିଲା ବେଳେ ବିଜେପି ସିଇଓ ଅଫିସ ଯାଇ ଫେରାଦ୍ ହୋଇଛି। ଏତଲା ଦେଲା ପରେ ବି ପୁଲିସର ନିଷ୍କ୍ରିୟତାକୁ ନେଇ ଗର୍ଜିଛି।

ସେପଟେ ଗୃହରେ ଅନୁପସ୍ଥିତ ସଭ୍ୟଙ୍କ ନାଁରେ ଏଭଳି ଅଭିଯୋଗ ସ୍ପୃହଣୀୟ ନୁହେଁ ବୋଲି ଶାସକ ଦଳ କହିଛି। ଅଭିଯୋଗ ଆସିଲେ ତଦନ୍ତ ହୁଏ। କିନ୍ତୁ ଜଣେ ବିଧାୟକଙ୍କ ନାଁରେ ଏଭଳି ଅଭିଯୋଗ ପୁଣି ତାଙ୍କ ଅନୁପସ୍ଥିତିରେ ବିଜେପି ଗୃହରେ ଉଠାଇଥିବାରୁ ଏହାକୁ ରେକର୍ଡରୁ ବାଦ୍ ଦେବାକୁ ଦାବି କରିଥିଲା ବିଜେଡି। ଆଉ ଶାସକ ଦଳର ଏକ ପ୍ରତିନିଧି ଦଳ ବି ସିଇଓଙ୍କୁ ଫେରାଦ୍ ହୋଇଛି। ଛତିଶଗଡ଼ରୁ ଭଡ଼ାରେ ଗୁଣ୍ଡା ଆଣି ବିଜେପି ପଦ୍ମପୁରରେ ଆତଙ୍କ ଖେଳାଉଛି। ସିଇଓଙ୍କୁ ଏ ସମ୍ପର୍କିତ ପ୍ରମାଣ ଦେଇ ଆକ୍ସନ ଲାଗି ଦାବି କରିଛି।

ତେବେ ପଦ୍ମପୁରରେ ଭୟଙ୍କର ସ୍ଥିତି ଉପୁଜିଲାଣି। ଭୋଟ୍ ପାଇଁ ରାଜନୈତିକ ପ୍ରତିହଂସାପରାୟଣ ସାଜିଛନ୍ତି ଉଭୟ ବିଜେଡି ଓ ବିଜେପି ବୋଲି ଗୃହ ଭିତରେ ଉଦବେଗ ଝାଡ଼ିଛି କଂଗ୍ରେସ। କିଏ କାହାକୁ ତଡ଼ିପାର୍ କର ବୋଲି କହିଲାଣି ତ କିଏ ବାନ୍ଧିବାକୁ କହିଲାଣି। ଆଇଟି-ଜିଏସଟି ରେଡ୍ ନେଇ ଛକାପଞ୍ଝା ଚାଲିଛି। ବାଚସ୍ପତି ରୁଲିଂ ଦିଅନ୍ତୁ। ପଦ୍ମପୁର ଛାଡ଼ନ୍ତୁ ମନ୍ତ୍ରୀ। ବିଧାନସଭା ଆସି ଉତ୍ତର ଦିଅନ୍ତୁ।

ପଦ୍ମପୁର ପ୍ରଚାରକୁ ତାଳ ଦେଇ ରାଜନୈତିକ ହିଂସା, ଚଢ଼ାଉ ବି ବଢ଼ିଛି। ଏଭଳି ସ୍ଥିତିରେ ବିଧାନସଭା ଭିତରେ ଓ ବାହାରେ ଏହାକୁ ନେଇ ଉଠିଥିବା ଆରୋପ ପ୍ରତ୍ୟାରୋପ ଆଗକୁ କି ମୋଡ଼ ନେଉଛି, ଦେଖିବାର କଥା।

ସିମ୍ପୁଲ ନାୟକ, ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button