ଅନ୍ତଃରାଜ୍ୟ ପ୍ରଶ୍ନପତ୍ର ରାକେଟ୍ ଧରା ହେବା ପରେ ବିଜେପି ବିଚଳିତ କାହିଁକି: ବିଜେଡି

Spread the love

ଭୁବନେଶ୍ୱର : ଓଏସଏସସି ପ୍ରଶ୍ନପତ୍ର ଲିକ୍ ରାକେଟ୍ ଧରା ପଡ଼ିବା ଘଟଣାକୁ ନେଇ ଓଡ଼ିଶା ବିଜେପି ନେତାମାନେ ଚିରାଚରିତ ଭାବେ ହୀନ ରାଜନୀତି କରିବା ଆରମ୍ଭ କରି ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଶୁକ୍ରବାର କହିଛନ୍ତି ଯେ ନିକଟରେ ଓଡ଼ିଶା ପୁଲିସ ଏକ ଅନ୍ତଃରାଜ୍ୟ ପ୍ରଶ୍ନପତ୍ର ରାକେଟର ପର୍ଦ୍ଦାଫାସ୍ କରିବାରେ ସମର୍ଥ ହୋଇଛି । ପୁଲିସ ହାତରେ ଧରା ପଡ଼ିଥିବା ଏହି ରାକେଟର ମାଷ୍ଟର ମାଇଣ୍ଡ ହେଉଛି କେନ୍ଦ୍ର ସରକାରଙ୍କ ଗୋଟିଏ ବିଭାଗ ଅଧୀନରେ କାର୍ଯ୍ୟରତ ଜଣେ କର୍ମଚାରୀ । ଏହି ରାକେଟ୍ କେବଳ ଓଡ଼ିଶା ନୁହେଁ, ବିହାର, ମଧ୍ୟପ୍ରଦେଶ ଏବଂ ସେଂଟ୍ରାଲ ଷ୍ଟାଫ୍ ସିଲେକସନ୍ କମିଶନର ପ୍ରଶ୍ନପତ୍ର ଲିକ୍ ମାମଲାରେ ମଧ୍ୟ ସଂପୃକ୍ତ ଅଛି । ଏହାଛଡ଼ା ଏହି ରାକେଟ୍ ଉତ୍ତରପ୍ରଦେଶ ଓ ଗୁଜରାଟର ଷ୍ଟାଫ୍ ସିଲେକସନ୍ କମିଶନ ପ୍ରଶ୍ନପତ୍ର ଲିକ୍ ରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି । ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି । ଖୁବଶୀଘ୍ର ତଦନ୍ତରୁ ସବୁ କଥା ସ୍ପଷ୍ଟ ହେବ ।

ଶ୍ରୀ ଦାସ ଆହୁରି କହିଲେ ଯେ ଏହି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗତ ୧୦ ଦିନ ମଧ୍ୟରେ ମାଷ୍ଟରମାଇଣ୍ଡ ସମେତ ୧୭ ଜଣଙ୍କୁ ଗରିଫ କରି ସାରିଲାଣି । ସବୁ କଥାରେ ହୀନ ରାଜନୀତି କରିବା ରାଜ୍ୟ ବିଜେପି ନେତାମାନଙ୍କର ପୁରୁଣା ଅଭ୍ୟାସ ରହିଛି । ତେଣୁ ସେମାନେ ସୁଧୁରିବେ କେମିତି? ପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ । ଏପରି ସ୍ପର୍ଶକାତର ଘଟଣାରେ ରାଜନୀତି କରିବାରୁ ବିଜେପି ନେତାମାନେ ବିରତ ରହନ୍ତୁ ।

Leave a Reply

Your email address will not be published. Required fields are marked *