ଅପରାଧଜାତୀୟ

ପ୍ୟାନକାର୍ଡ ସ୍କାମରେ ଫସଲେ ଅଭିନେତ୍ରୀ

ମୁମ୍ବାଇ : ଆଜିର ଡିଜିଟାଲ ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜକୁ ଅପଡେଟ ରଖିବାକୁ ପସନ୍ଦ କରିଥାନ୍ତି । ନିଜ ସହ ନିଜ ଜରୁରୀ ଓ ସଦ୍ୟତମ ତଥ୍ୟକୁ ମଧ୍ୟ ଅପଡେଟ ରଖନ୍ତି କିନ୍ତୁ ବେଳେବଳେ ସାମାନ୍ୟ ଅସାବଧାନତା କାରଣରୁ ସେମାନଙ୍କୁ ଅନେକ କିଛି ହରାଇବାକୁ ପଡିଥାଏ । ବର୍ତ୍ତମାନ ସମୟରେ ପ୍ୟାନକାର୍ଡ ଆଧାରକାର୍ଡ ନାଁରେ ଅନେକ ଠକେଇ ଘଟଣା ସାମ୍ନାକୁ ଆସୁଛି। ଭାଇରାଲ ଏସ ଏମ ଏସ  ସମ୍ପର୍କରେ ମୁମ୍ବାଇ ପୋଲିସ ପାଖରେ 70ରୁ ଅଧିକ କେସ ପଞ୍ଜିକୃତ ହୋଇଛି ଯେଉଁଥିରେ ପାଇଥିବା ଏସ ଏମ ଏସରେ କ୍ଲିକ କରିବା ମାତ୍ରେ ଲୋକଙ୍କର ଆକଉଣ୍ଟରୁ ଟଙ୍କା କଟିଯାଉଛି ।

ଏହି ଏସ ଏମ ଏସରେ ଲୋକଙ୍କୁ ପ୍ୟାନକାର୍ଡ, ଆଧାରକାର୍ଡ ଅପଡେଟ କରିବାକୁ ନୋଟିସ ଆସୁଛି ଯଦି ନ କରାଯାଏ ତେବେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଅବରୋଧ ହେବ ବୋଲି ଏସଏମଏସରେ ଉଲ୍ଲେଖ ରହୁଛି । ଅନେକ ଏଭଳି ମେସଜରୁ ଦୂରେଇ ରହୁଛନ୍ତି । ଅଳ୍ପ କିଛି ଏବେ ବି ଏଥିରେ ଫସୁଛନ୍ତି । ନିକଟରେ କିଛି ଲୋକ ଏହି ଠକେଇରେ ଶିକାର ହୋଇ ଓ ଲକ୍ଷ ଲକ୍ଷ ଟଙ୍କା ହରାଇଥିଲେ । ଏଥିରେ ବଲିଉଡ ଅଭିନେତ୍ରୀ ନାଗମା ମୋରାର୍ଜୀ ବି ଫସିଛନ୍ତି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନାଗମା ମୋରାର୍ଜୀଙ୍କୁ 28 ଫେବୃଆରୀରେ ଏକ ମେସଜ ପାଇଥିଲେ । ଯେଉଁଥିରେ ଲେଖାଥିଲା ଯଦି ସନ୍ଧ୍ୟା ସୁଧା ପ୍ୟାନକାର୍ଡ ଅପଡେଟ ନକରାଯାଏ ତେବେ ତାଙ୍କର ନେଟ ବ୍ୟାଙ୍କିଙ୍ଗ ବନ୍ଦ ହୋଇଯିବ । ଅଭିନେତ୍ରୀ ଜଣକ ମେସଜରେ କ୍ଲିକ କରିବା ମାତ୍ରେ ତାଙ୍କ ମୋବାଇଲରେ ଅନ୍ୟ ଏକ ପେଜ ଖୋଲିଗଲା ଯେଉଁଠାରେ ପଠାଯାଇଥିବା ଓଟିପି କୁ ଦେବାକୁ କୁହାଯାଇଥିଲା । ସେ ଓଟିପି ସେୟାର କରିବା ସଙ୍ଗେ ସଙ୍ଗେ ତାଙ୍କ ଆକାଉଣ୍ଟରୁ 99,998 ଟଙ୍କା କଟିଯାଇଥିଲା ।  

ଅଭିନେତ୍ରୀ ଥାନାରେ ଏସମ୍ବନ୍ଧରେ ଅଭିଯୋଗ କରିବାପରେ ଭାରତୀୟ ଦଣ୍ଡ ସଂହିତା ଆଇନ 419,420 ଏବଂ ଆଇଟି ଆକ୍ଟ ଧାରା 66 ସି ଏବଂ 66 ଡି ଅନୁସାରେ ଏକ ମାମଲା ରୁଜ୍ଜୁ ହୋଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏହିପରି ମେସେଜ ଫିସିଂରୁ ବର୍ତ୍ତିବା ପାଇଁ ମୁମ୍ବାଇ ପୋଲିସ ସଚେତନତା ପରାମର୍ଶ ଜାରି କରିଛନ୍ତି  ଏବଂ ଏହିପରି ଏସ ଏମ ଏସ ଠାରୁ ଆସୁଥିବା ଲିଙ୍କକୁ କ୍ଲିକ ନ କରିବା ପାଇଁ ସଜାଗ କରାଇଛନ୍ତି ।

ସୂଚନା ଅନୁଯାୟୀ ଏହି ଏସ ଏମ ଏସ ସ୍କାମ ଗ୍ୟାଙ୍ଗ ଦ୍ୱାରା ପରିଚାଳିତ ହେଉଛି । ଏଥିରେ 5000 ସିମକାର୍ଡ ବ୍ୟବହାର ହେଉଛି । ଯେଉଁଥିରେ ପ୍ରାୟ 3000 ସିମକୁ ପୋଲିସି ଚିହ୍ନଟ କରିଛି । ପୋଲିସ ଏହି ଗ୍ୟାଙ୍ଗକୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ଏଭଳି ସ୍କାମରୁ ବର୍ତ୍ତିବା ପାଇଁ ପରାମର୍ଶ ଦିଆଯାଇଛି। ଏବଂ ମୋବାଇଲକୁ ଆସୁଥିବା ଓଟିପି କାହାକୁ ସେୟାର ନକରିବା ପାଇଁ କୁହାଯାଇଛି। ଏପରିକି ବ୍ୟାଙ୍କଗୁଡିକ ମଧ୍ୟ ଲୋକଙ୍କୁ ସୂଚିତ କରିଛନ୍ତି ଯେ ସେମାନେ ଯେ କୌଣସି କେ ୱାଇ ସି, ପ୍ୟାନ  ସମ୍ବନ୍ଧୀୟ ଏସ ଏମ ଏସ କେବେ ବ୍ୟାଙ୍କ ତରଫରୁ  ପଠାଯାଏ ନାହିଁ  କିମ୍ବା ଗ୍ରାହକଙ୍କଠାରୁ କେବେ କିଛି ଓଟିପି ମଗାଯାଇ ନ ଥାଏ ।  

Related Articles

Leave a Reply

Your email address will not be published.

Back to top button