ସପ୍ତାହକ ଭିତରେ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମଙ୍ଗୁଆଳ!

ପିସିସି ପରିବର୍ତ୍ତନ ପାଇଁ ଏବେ ଚାଲିଛି ଧାଁ ଦୌଡ଼। ପିସିସି ସଭାପତି ଅଦଳବଦଳ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ପ୍ରଭାରୀ ଚେଲ୍ଲା କୁମାର ଦଳର ବିଧାୟକ ଓ ବରିଷ୍ଠ ନେତା ସହ ଆଲୋଚନା କରି ଫେରିବା ପରେ ଏହି ଚର୍ଚ୍ଚା ଏବେ ଆହୁରି ତୀବ୍ର ହୋଇଛି। ଏପରିକି ରାଜ୍ୟ କଂଗ୍ରେସର ବହୁ ନେତା ଏବେ ଦିଲ୍ଲୀରେ ଡେରା ପକାଇଛନ୍ତି। ଏ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନଙ୍କ କହିବା କଥା କଂଗ୍ରେସ ନେତା ଦିଲ୍ଲୀରେ ହାଇକମାଣ୍ଡକୁ ଦେଖା କରିବା ଦରକାର। ନହେଲେ କାହାକୁ ଦେଖା କରି ଆତ୍ମସନ୍ତୋଷ ଲାଭ କରିବେ ବୋଲି କଟାକ୍ଷ ଫିଙ୍ଗିଛନ୍ତି। ତାଙ୍କୁ ବଦଳା ଯାଉଥିବା କଥା ଶୁଣି ସେ ଆନନ୍ଦିତ ବୋଲି କହିବା ସହ ପଦରୁ ଗଲା ଆଗରୁ ପୁଣି ସେଇ ପୁରୁଣା ଶୃଙ୍ଖଳା ଓ ସମନ୍ୱୟର କଥାକୁ ଦୋହରାଇଛନ୍ତି। ଆଉ କିଏ ବଦଳୁଛି କି ଇସ୍ତଫା ଦେଇଛି, ସେ ବାବଦରେ ସେ ଜାଣନ୍ତିନି। ସେପଟେ ପିସିସି ସଭାପତି ପଦ ପାଇଁ ଦାବିଦାରଙ୍କ ଭିତରୁ ଅନେକଙ୍କ ସମର୍ଥକ ଦିଲ୍ଲୀରେ ଲବିକୁ ଜୋରଦାର କରିବାରେ ଲାଗିଛନ୍ତି। ଏବେ ତ ଏହି ପଦ ଲାଗି ଦାବିଦାର ହେଲେଣି ୧୩ ଜଣ। ସେଥିଲାଗି ଦିଲ୍ଲୀ ଦୌଡ଼ ବି ଜୋର ଧରିଥିବା କଥା କହିଛନ୍ତି ସୁର। ତେବେ ସପ୍ତାହକ ଭିତରେ ରାଜ୍ୟ କଂଗ୍ରେସକୁ ନୂଆ ମଙ୍ଗୁଆଳ ମିଳିବ ବୋଲି ଚର୍ଚ୍ଚା ହେଉଛି।