ସିଏମଙ୍କ ଦିଲ୍ଲୀ ଗସ୍ତ, ରାଜନୈତିକ ମହଲରେ ଟୁପୁରୁ ଟାପୁରୁ

ମାସକ ପରେ ପୁଣି ନବୀନଙ୍କ ଦିଲ୍ଲୀଗସ୍ତ। ପାଞ୍ଚ ଦିନଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟଙ୍କ ମୁଖ୍ୟବିଚାରପତି ମାନଙ୍କ ବୈଠକରେ ସାମିଲ ହେବେ ନବୀନ। କିଛି ସରକାରୀ କାର୍ଯ୍ୟକ୍ରମ ବି ରହିଛି। ହେଲେ ଆଗକୁ ରାଷ୍ଟ୍ରପତି ଓ ରାଜ୍ୟସଭା ନିର୍ବାଚନ ଥିବାରୁ ନବୀନଙ୍କ ଦିଲ୍ଲୀଗସ୍ତକୁ ନେଇ ଜୋର ଧରିଛି ଚର୍ଚ୍ଚା। ଶନିବାର ଦିଲ୍ଲୀର ବିଜ୍ଞାନ ଭବନରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ମାନଙ୍କ ବୈଠକରେ ଯୋଗ ଦେବେ ନବୀନ। ଏହାସହ କେନ୍ଦ୍ର ସରକାରଙ୍କ ସହ ଓଡ଼ିଶା ସମ୍ପର୍କୀତ କିଛି ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହି ସମୟରେ କିଛି କେନ୍ଦ୍ରମନ୍ତ୍ରୀମାନଙ୍କ ସହ ନବୀନଙ୍କ ସାକ୍ଷାତ ହୋଇପାରେ। ଗସ୍ତ ସରକାରୀ ଥିଲେ ବି ରାଜନୀତିର ଆଲୋଚନା କିନ୍ତୁ ଥମୁ ନାହିଁ। ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ନବୀନଙ୍କ ଦିଲ୍ଲୀ ଆଲୋଚନା ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ସେହିପରି ଆଗକୁ ରାଜ୍ୟସଭା ନିର୍ବାଚନ ବି ରହିଛି। ଏଣୁ ରାଜ୍ୟସଭା ପ୍ରସଙ୍ଗ ଉଠିବା ନେଇ ବି ଆଲୋଚନା ହେଉଛି। ଗତଥର ନବୀନ ବିଜେପି ସମର୍ଥୀତ ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲେ। ମାସକ ତଳେ ଦିଲ୍ଲୀଗସ୍ତରେ ଯାଇ ନବୀନ ବି ରାଷ୍ଟ୍ରପତି ନିର୍ବାଚନ ନେଇ ନିଜର ଷ୍ଟାଣ୍ଡ ରଖିଥିଲେ। ଏଭଳି ସ୍ଥିତିରେ ଆଜି ଆରମ୍ଭ ହୋଇଥିବା ଦିଲ୍ଲୀ ଗସ୍ତରେ ରାଜନୀତିର ପ୍ରସଙ୍ଗ ଯେ ସ୍ଥାନ ପାଇବ ନାହିଁ ତାହା କହିବା ମୁସ୍କିଲ। ନବୀନଙ୍କ ଦିଲ୍ଲୀଗସ୍ତ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିନାର୍ହି। ହେଲେ ବିରୋଧୀ ଦଳର ନେତା ମାନେ ସିଏମ୍ଙ୍କ ଦିଲ୍ଲୀ ଗସ୍ତ ନେଇ ରାଜନୈତିକ ବୟାନ ଦେଇଛନ୍ତି। ସେପଟେ ବିଜେପି ଓ କଂଗ୍ରେସ ଉଠାଇଥିବା ଏୗତିହ୍ୟ କରିଡର ପ୍ରସଙ୍ଗ, ମମିତା ମେହେର ଓ ସୀମା ବିବାଦକୁ ନେଇ ଅଡୁଆରେ ପଡ଼ିଛନ୍ତି ରାଜ୍ୟସରକାର। ଏଣୁ ଏହି ପାଞ୍ଚ ଦିନିଆ ଦିଲ୍ଲୀଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି।