ପାରାଦ୍ୱୀପ ପାଇଁ ଶଙ୍ଖରେ ଫାଟ, ପଦାରେ ପଡିଲା ବିଜେଡିର ଗୋଷ୍ଠୀ କନ୍ଦଳ

ପରାଦୀପ ପଲିଟିକ୍ସରେ ହଲଚଲ। ଆଗକୁ କିଏ ହେବ ପାରାଦୀପ ନେତା ସମ୍ୱିତ ନା ଦେବାଶିଷ । ଜଣେ ଅଛନ୍ତି ଆଉ ଜଣେ ସେଠି ପ୍ରବେଶ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ଯାହାକୁ ନେଇ ବିଜେଡ଼ି ବନାମ ବିଜେଡ଼ିର ଲଢେଇ ଖୋଲା ଖୋଲି ହୋଇଛି । ଖୋଲା ମଞ୍ଚରେ ଦେବାଶିଷ ସମ୍ୱିତଙ୍କ ପାରିବାପଣିଆ ଉପରେ ପ୍ରଶ୍ନ କରିଛନ୍ତି । ଆଉ ସୁଯୋଗ ମିଳିଲେ କାହା ଆଖିରେ ଲୁହ ରହିବନି ବୋଲି ଦମ୍ଭ ଦେଇଛନ୍ତି । ଯାହାକୁ କଡ଼ା କାଉଣ୍ଟର କରିଛନ୍ତି ସମ୍ୱିତ । ଦିବାସ୍ୱପ୍ନ ଭୟଙ୍କର ବୋଲି ଚେତେଇ ଦେଇଛନ୍ତି ।
ପାରାଦ୍ୱୀପ, ପଲିଟିକ୍ସ, ଫ୍ରାକସନ। ବିଜେଡି ବନାମ ବିଜେଡି। ବରିଷ୍ଠ ବନାମ କନିଷ୍ଠ। ଦେବାଶିଷ ସାମନ୍ତରାୟ ବନାମ ସମ୍ୱିତ ରାଉତରାୟ। ପାରାଦ୍ୱୀପ ପାଇଁ ଶଙ୍ଖରେ ଫାଟ। ପଦାରେ ପଡିଲା ବିଜେଡିର ଗୋଷ୍ଠୀ କନ୍ଦଳ। କଟକ ବିଜେଡି ରାଜନୀତିର ଏକଦା ଚେହେରା ଥିବା ଦେବାଶିଷ ଏବେ ପାରାଦୀପକୁ ଆଖେଇଛନ୍ତି । ଏ ଆସନ ଉପରେ ଦୃଷ୍ଟି ଏବେର ନୁହେଁ ବରଂ ବେଶ କିଛି ଦିନର । ସେଥିପାଇଁ ଅନେକ ଥର ଦାମ-ଦେବାଶିଷ ମୁହାଁମୁହିଁ ପ୍ରସଙ୍ଗ ଚର୍ଚ୍ଚାରେ ରହିଛି। ଆଉ ଏବେ ଦାମଙ୍କ ପୁଅ ତଥା ପାରାଦ୍ବୀପ ବିଧାୟକ ସମ୍ବିତଙ୍କ ସହ ସମାନ ଫର୍ମୁଲା ପକାଇଛନ୍ତି। ଶ୍ରମିକ ଦିବସରେ ସଭାରେ ଭାଷଣ ଦେଇ ଦେବାଶିଷ ପାରାଦ୍ୱୀପରୁ ନିର୍ବାଚନ ଲଢିବା ନେଇ ନିଜ ଇଚ୍ଛା ଖୋଲା ଖୋଲି ଜାହିର କରିଛନ୍ତି । ଯାହାକୁ ନେଇ ଏବେ ପାରାଦ୍ୱୀପ ପଲିଟିକ୍ସ ସରଗରମ। କେବଳ ପାରାଦ୍ୱୀପ ନୁହେଁ। ଦଳୀୟ ରାଜନୀତିରେ ମଧ୍ୟ ହଟଚମଟ ସୃଷ୍ଟି କରିଛି ଦୁଇ ନେତାଙ୍କ ତୁ ତୁ ମେ ମେ।
ସେପଟେ ସମ୍ୱିତ, ବାପା ଦାମ ରାଉତଙ୍କ ଷ୍ଟାଇଲରେ ଦେବାଶିଷଙ୍କୁ କାଉଣ୍ଟର କରିଛନ୍ତି। ପୂର୍ବରୁ ଦେବାଶିଷ ଏବଂ ଦାମ ପରସ୍ପର ଗୋହି ଖୋଳାଖୋଳି ହେବାର ନଜିର ରହିଛି। ଆଉ ଆଜି ଯେତେବେଳେ ପୁଣିଥରେ ଦେବାଶିଷ ପାରାଦ୍ୱୀପ ପଲିଟିକ୍ସ ପାଇଁ ଇଚ୍ଛା ଜାହିର କରିଛନ୍ତି। ତାକୁ ନେଇ ସମ୍ୱିତ ଭିନ୍ନ ଢଙ୍ଗରେ ଉତ୍ତର ରଖିଛନ୍ତି। ସ୍ବପ୍ନ ଦେଖିବା ମନା ନାହିଁ। କିନ୍ତୁ ଦିବା ସ୍ୱପ୍ନ ଦେଖିବା ଭାରି ଭୟଙ୍କର ବୋଲି କହି ସମ୍ୱିତ ସତର୍କ କରାଇଛନ୍ତି ଦେବାଶିଷଙ୍କୁ। ପାରାଦ୍ୱୀପ ଉପରେ ଆଖି ନ ପକାଇବା ପାଇଁ ସତର୍କ କରାଇଛନ୍ତି। ପାରାଦ୍ୱୀପପଲିଟିକ୍ସରେ ଦାମଙ୍କ ପରିବାର ପତିଆରା ଦୀର୍ଘ ଦିନର। ଯାହାକୁ ଭେଦ କରି ଦେବାଶିଷ ପରବର୍ତ୍ତୀ ରାଜନୀତି ପାଇଁ ରାସ୍ତା ଖୋଜୁଛନ୍ତି । ଯାହା ସହଜ ହେବନି ବୋଲି କୁହାଯାଉଥିଲେ ମଧ୍ୟ ଦଳକୁ କ୍ଷତି ପହଞ୍ଚାଇବ ଏହା ନିଶ୍ଚିତ । ଯାହାକୁ ନେଇ ବିଜେଡି ରାଜନୀତି ସରଗରମ।