ଜାତୀୟରାଜନୀତି

ମହାରାଷ୍ଟ୍ର ରାଜନୈତିକ ସଂକଟର କାରଣ ହୋଇଥିବା ଏକନାଥ ସିନ୍ଧେ କିଏ ?

ମୁମ୍ୱାଇ: ମହାରାଷ୍ଟ୍ର ସରକାରର ସତ୍ତା ଲେଉଟେଇବା ପରି ସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାଙ୍କ ମହା ବିକାଶ ଅଖାଡିର ନିଦ ହଜାଇ ଦେଇଛନ୍ତି ଶିବସେନା ନେତା ଏକନାଥ ସିନ୍ଧେ। ଶିବସେନାର ବାଗି ନେତାକୁ ଏକତ୍ରୀତ କରି ସରକାର ଭାଙ୍ଗିବାକୁ ଗୋଟି ଚଳାଇବାରେ ଲାଗିଛନ୍ତି ଏକନାଥ ।
କିଏ ଏହି ଏକନାଥ?
କଣ ତାଙ୍କ ପରିଚୟ?
ଏକନାଥ ସିନ୍ଧେ! ମହାରାଷ୍ଟ୍ରରେ ଏହି ନାମ ଘରେ ଘରେ ପରିଚିତ। ଉଦ୍ଧବ ଯେତିକି ପରିଚିତ ନୁହଁନ୍ତି, ତା ଠାରୁ ଅଧିକ ପରିଚିତ ଏକନାଥ। ସେ ବାଳା ଠାକରେଙ୍କ ଠାରୁ ଆରମ୍ଭ କରି ଉଦ୍ଧବ ଠାକରେ ଓ ଆଦିତ୍ୟଙ୍କ ସହ କାର୍ଯ୍ୟ କରିଛନ୍ତି। ରାଜ୍ୟ ରାଜନୀତିରେ ରହିଛି ଏକନାଥଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା। ବର୍ତ୍ତମାନ ସରକାର ଭାଙ୍ଗିବାର ଦକ୍ଷତା ରଖିଛନ୍ତି ଏହି ୫୮ ବର୍ଷୀୟ ଶିବସେନା ନେତା

ତେବେ ଆଜି ଯେଉଁ ସ୍ଥାନରେ ସେ ପହଞ୍ଚିଛନ୍ତି, ତାହା ସହଜ ନ ଥିଲା ଏକନାଥଙ୍କ ପାଇଁ। ତାଙ୍କ ଶୈଶବ ଓ କୈଶୋର କଟିଥିଲା ଦାରିଦ୍ର୍ୟର ତାଡନା ମଧ୍ୟରେ। ମହାରାଷ୍ଟ୍ରର ସତାରା ଜିଲ୍ଲାରେ ଜନ୍ମିତ ଏକନାଥଙ୍କ ପରିବାର ଥିଲା ଅତି ହିଁ ଗରିବ। ସ୍ଥିତି ଏମିତି ହୋଇଥିଲା କି, ମାତ୍ର ୧୬ ବର୍ଷ ବୟସରୁ ପାଠପଢାରେ ଡୋରି ବାନ୍ଧି ପରିବାରର ଭରଣପୋଷଣ ଭାର ନିଜ କାନ୍ଧକୁ ନେଇଥିଲେ ଏକନାଥ। ଅଟୋ ରିକ୍ସା ଚଳାଇ ପରିବାର ମୁହଁରେ ଦେଉଥିଲେ ଦାନା। ଏହା ପରେ ଅଧିକ ଅର୍ଥ ଉପାର୍ଜନ ପାଇଁ ଏକ ମଦ କାରଖାନାରେ କାମ କରିଥିଲେ ବହୁ ବର୍ଷ ଧରି।
୮୦ ଦଶକରେ ଏକନାଥ ବାଲ ଠାକରେଙ୍କ ନେତୃତ୍ବରେ ବହୁ ଭାବେ ପ୍ରଭାବିତ ହୋଇଥିଲେ। ସେହି ସମୟରେ ଶିବସେନା ଏକମାତ୍ର ଦଳ ଥିଲା, ଯାହା ହିନ୍ଦୁତ୍ବ ମୁଦ୍ଦାକୁ ନେଇ ରାଜ୍ୟବାସୀଙ୍କ ଦ୍ବାରା ଆଦୃତ ହୋଇଥିଲା।

ଏପରି କି, ବିଜେପି ମଧ୍ୟ ଶିବସେନା ଠାରୁ ଏହି ମୁଦ୍ଦାରେ ପଛରେ ପଡିଯାଇଥିଲା। ତେବେ ଏକନାଥ ଯେତିକି ବାଲ ଠାକରେଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ମଧ୍ୟ ତାଙ୍କୁ ଦଳକୁ ଆଣିଥିଲେ ଦଳର ପ୍ରଭାବଶାଳୀ ନେତା ଆନନ୍ଦ ଦିଘେ। ଦିଘେଙ୍କ ମାର୍ଗ ଦର୍ଶନରେ ସେ ଦଳରେ ସାମିଲ ହେବା ସହ ତୁଲାଇଥିଲେ ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା। ଧୀରେ ଧୀରେ ସେ ଶିବସେନା ଶାଖା ପ୍ରମୁଖ ଓ ପରେ ଠାଣେ ମୁନିସିପାଲ କର୍ପୋରେଟର ନିର୍ବାଚିତ ହୋଇଥିଲେ। ୨୦୦୪ରେ ଏକନାଥ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ। ବାଲ ଠାକରେଙ୍କ ପରେ ଏକନାଥଙ୍କର ଦଳରେ ଗୁରୁତ୍ବ ରହିଥିଲା ଓ ଯେତେବେଳେ ଠାକରେଙ୍କ ମୃତ୍ୟୁ ହୋଇଥିଲା, ସେ ପାଲଟି ଯାଇଥିଲେ ଦଳର ସର୍ବମୟ କର୍ତ୍ତା।
ତେବେ ଏକନାଥଙ୍କ ପିଲା ଦିନ ପରି ତାଙ୍କ ଜୀବନ ମଧ୍ୟ ରହିଛି ସଂଗ୍ରାମପୂର୍ଣ୍ଣ। ତାଙ୍କ ଜୀବନ ଯାତ୍ରା ସ୍ବାଭାବିକ ହେବାକୁ ଆରମ୍ଭ କରିବା ପରେ ହଠାତ ଜୀବନ ଆକାଶରେ ମାଡି ଆସିଥିଲା ଝଡ ତୋଫାନ।

ଉଡାଇ ନେଲା ତାଙ୍କ ସବୁ ସୁଖ ଶାନ୍ତି। ଜୀବନ ଉପରୁ ଭରସା ଉଠିଗଲା ଏକନାଥଙ୍କର ଓ ସେ ରାଜନୀତିରୁ ସୈନ୍ୟାସ ନେବାକୁ ଦୃଢ ନିଷ୍ପତ୍ତି ନେଇଥିଲେ। ୨୦୦୦ ମସିହା ଜୁନ ୨ ତାରିଖ। ଏକନାଥ ନିଜ ପିଲାଙ୍କ ସହ ସତାରା ଯାଇଥିଲେ। ସେଠାରେ ବୋଟିଂ କରୁଥିବା ବେଳେ ହଠାତ୍ ବୋଟ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଓ ଏକନାଥଙ୍କ ଆଗରେ ତାଙ୍କ ୧୧ ବର୍ଷର ପୁଅ ଓ ୭ ବର୍ଷର ଝିଅ ପାଣିରେ ବୁଡି ପ୍ରାଣ ହରାଇଥିଲେ। ଏହି ଦୃଶ୍ୟ ଏକନାଥଙ୍କୁ ଏଭଳି କବଳିତ କରିଥିଲା କି, ସେ ରାଜନୀତି ଛାଡିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେତେବେଳେ ଏକନାଥଙ୍କୁ ସାହାରା ଦେଇଥିଲେ ଆନନ୍ଦ ଦିଘେ। ଦିଘେ ତାଙ୍କୁ ଧୈର୍ଯ୍ୟ ଧରିବାକୁ ଗୁରୁମନ୍ତ୍ର ଦେବା ସହ ରାଜ୍ୟବାସୀଙ୍କ ପ୍ରତି ତାଙ୍କ ଦାୟିତ୍ୱବୋଧ ସ୍ମରଣ କରାଇଥିଲେ। ଶେଷରେ ଏକନାଥ ତାଙ୍କର ଏକମାତ୍ର ଜୀବିତ ୧୪ ବର୍ଷର ପୁତ୍ରକୁ ନେଇ ଜୀବନ ଜୀଇଁବା ଆରମ୍ଭ କରିଥିଲେ ଓ ରାଜ୍ୟବାସୀଙ୍କ ସେବାରେ ନିଜ ଜୀବନ ଉତ୍ସର୍ଗ କରିଦେଇଥିଲେ।

କିନ୍ତୁ ୨୦୦୧ ଅଗଷ୍ଟ ୨୬ରେ ଏକନାଥ ନିଜ ରାଜନୈତିକ ଗୁରୁ ଦିଘେଙ୍କୁ ମଧ୍ୟ ହରାଇ ବସିଥିଲେ। ମୃତ୍ୟୁ ବେଳକୁ ଠାଣେର ସର୍ବମୟ କର୍ତ୍ତା ଥିଲେ ଦିଘେ। ତାଙ୍କ ମୃତ୍ୟୁ ପରେ ଠାଣେରେ ଯେତେବେଳେ ଶିବସେନା ଦୁର୍ବଳ ହେବାକୁ ଲାଗିଲା, ସେତେବେଳେ ଏକନାଥ ଗୁରୁଙ୍କ ଭାର ନିଜ କାନ୍ଧକୁ ନେଇଥିଲେ। ୨୦୦୪ ରେ ପ୍ରଥମ ଥର ପାଇଁ ବିଧାୟକ ହେବା ପରେ ଏକନାଥ କ୍ରମାଗତ ଭାବେ ୨୦୦୯, ୨୦୧୪, ୨୦୧୯ରେ ଲଗାତର ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି। ସେହିପରି ସରକାରରେ ମଧ୍ୟ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗ ତୁଲାଇଛନ୍ତି ଏକନାଥ। ୨୦୧୯ ନିର୍ବାଚନ ପରେ ଶିବସେନା କଂଗ୍ରେସ ଓ ଏନସିପି ସହ ମିଶି ମହା ବିକାଶ ଅଘାଡି ମେଣ୍ଟ ଗଠନ କରିଥିଲା। ଆଉ ଦଳ ବାଲ ଠାକରେଙ୍କ ନୀତି ଆଦର୍ଶରୁ ଦୂରେଇ ଗଲା। ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦ ହାସଲ କରିବାକୁ ହିନ୍ଦୁତ୍ବ ମୁଦ୍ଦାକୁ ପଛରେ ପକାଇଥିଲେ।

ଖାଲି ସେତିକି ନୁହେଁ, ବାଲ ଠାକରେଙ୍କ ସରକାର କାଳରେ ସେ କଦାପି ତାଙ୍କ ପରିବାର ସଦସ୍ୟଙ୍କୁ ସରକାରରେ ସାମିଲ କରି ନ ଥିଲେ। ହେଲେ ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବା ସହ ପୁଅ ଆଦିତ୍ୟଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିଲେ, ଯାହା ଦଳରେ ବିଭେଦ ସୃଷ୍ଟି କରିଥିଲା। ଦଳର ପୁରୁଣା ଓ ଏକନିଷ୍ଠ ନେତାଙ୍କୁ ଉଦ୍ଧବଙ୍କ କାର୍ଯ୍ୟଶୈଳୀ ବ୍ୟଥିତ କରିଥିଲା, ଯେଉଁଥିରୁ ସୃଷ୍ଟି ହୋଇଛି ବର୍ତ୍ତମାନର ରାଜନୈତିକ ସଂକଟ ଓ ଏହାର ସୂତ୍ରଧର ହୋଇଛନ୍ତି ଏକନାଥ ସିନ୍ଧେ।

  • ଶିଳାସ୍ମିତା ରାୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button