ରାଜନୀତି

ଦିଲ୍ଲୀ ମଦ ବିବାଦ: ବିଜେପି- ଆପ ମୁହାଁମୁହିଁ

ଦିଲ୍ଲୀର ଅବକାରୀ ନୀତିକୁ ନେଇ ସିବିଆଇ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆଙ୍କ ସମେତ ବିଭିନ୍ନ ଅଧିକାରୀଙ୍କ ୩୧ଟି ଠିକଣାରେ ଚଢ଼ାଉକୁ ନେଇ ରାଜନୀତି ତେଜିଲାଣି। ସିବିଆଇ ପୁଣି ୫ ଜଣ ଅଭିଯୁକ୍ତଙ୍କୁ ପଚରାଉଚୁରା ଲାଗି ସମନ କରିଛି। ସେପଟେ ମଦ ବ୍ୟବସାୟୀଙ୍କ ପ୍ରୀତିରେ ଉବୁଟୁବୁ କେଜରିଓ୍ୱାଲ୍ ସରକାର। ୨୪ ଘଣ୍ଟା ଭିତରେ ଦେଶବାସୀଙ୍କୁ ଜବାବ ଦେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ସେପଟେ ଇଡି କି ସିବିଆଇ ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରିପାରେ। ହେଲେ ଏଭଳି ଚଢାଉ କରି ଆମ୍ ଆଦମୀକୁ ଭାଙ୍ଗିପାରିବନି ବୋଲି କାଉଣ୍ଟର କରିଛନ୍ତି ସିସୋଦିଆ।

ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ବିଭିନ୍ନ ଅଧିକାରୀଙ୍କ ୩୧ଟି ଠିକଣାରେ ଚଢ଼ାଉ କରିଥିଲା ସିବିଆଇ। ସିସୋଦିଆଙ୍କ ଘରେ ୧୫ ଘଣ୍ଟା ଧରି ସିବିଆଇ ରେଡ୍ କରିଥିଲା। ଏହାକୁ ନେଇ ଆପ୍- ବିଜେପି ମୁହାଁମୁହିଁ ହୋଇଛନ୍ତି। ସିସୋଦିଆ କହିଛନ୍ତି କି, ସେ କୌଣସି ଦୁର୍ନୀତି କରିନାହାନ୍ତି। ବାସ୍ତବରେ ମଦ କି ଅବକାରୀ ଦୁର୍ନୀତି ସେମାନଙ୍କର ମୁଖ୍ୟ ପ୍ରସଙ୍ଗ ନୁହେଁ। ସେମାନଙ୍କ ମୁଖ୍ୟ ଟାର୍ଗେଟ ଅରବିନ୍ଦ କେଜରିଓ୍ୱାଲ୍। ଯେତେବେଳେ କି ତାଙ୍କ ବିରୁଦ୍ଧରେ ପ୍ରୋସିଡିଂ ହେଉଛି, ରେଡ୍ ଘରେ ଅଫିସରେ ହୋଇଛି। ଏହା କରି କେଜରିଓ୍ୱାଲକୁ ଅଟକାଇପାରିବେନି ବୋଲି ଚ୍ୟାଲେଞ୍ଜ କରିଛନ୍ତି ସିସୋଦିଆ। କେବଳ ଏତିକି ନୁହେଁ, ବୋଧହୁଏ ୩ରୁ ୪ ଦିନ ଭିତରେ ସେ ଗିରଫ ହୋଇପାରନ୍ତି। କିନ୍ତୁ ଭୟଭୀତ ନୁହଁନ୍ତି।  ଆମ୍ ଆଦମୀ ଦଳକୁ ସେମାନେ ଭାଙ୍ଗିପାରିବେନି କହି ବିଜେପିକୁ କଟାକ୍ଷ କରିଛନ୍ତି ସିସୋଦିଆ। ଦିଲ୍ଲୀର ଅବକାରୀ ନୀତି ଦେଶର ସର୍ବୋତ୍କୃଷ୍ଟ ନୀତି।

ସେପଟେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହାର କାଉଣ୍ଟର କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ସିସୋଦିଆ କିନ୍ତୁ କିଙ୍ଗପିନ୍ ହେଉଛନ୍ତି ଅରବିନ୍ଦ କେଜରିଓ୍ୱାଲ୍। ଦୁର୍ନୀତି କରିବା ପରେ କେମିତି ମୁହଁର ରଙ୍ଗ ଉଡ଼ିଯାଇଛି, ସିସୋଦିଆଙ୍କ ପ୍ରେସମିଟରୁ ସ୍ପଷ୍ଟ ହୋଇସାରିଛି। ଯଦି ଅବକାରୀ ନୀତି ଠିକ୍ ଥିଲା। ତେବେ କାହିଁକି ଏହାକୁ ଦିଲ୍ଲୀ ସରକାର ଫେରାଇ ନେଲେ। କାହିଁକି ମଦ ବେପାରୀଙ୍କ ପ୍ରତି କୋହଳ ମନୋଭାବ ବୋଲି ପଚାରିଛନ୍ତି ଠାକୁର। ୨୪ ଘଣ୍ଟା ଭିତରେ ଦେଶବାସୀଙ୍କ ଆଗକୁ ଆସି ଏହା ଉପରେ ସ୍ପଷ୍ଟୀକରଣ ଦେବାକୁ କେଜରିଓ୍ୱାଲଙ୍କୁ ଆହ୍ୱାନ ଦେଇଛନ୍ତି ଅନୁରାଗ।

ଆପ୍ କହୁଛି, କେଜରିଓ୍ୱାଲଙ୍କ ପଛରେ କେନ୍ଦ୍ର ସରକାର ସିବିଆଇ ଲଗାଇଛି। ବିଜେପି କହୁଛି, ଦୁର୍ନୀତିଗ୍ରସ୍ତ ନିଜକୁ ନିରୀହ ଦର୍ଶାଇ ଖସିଯିବାକୁ ଚାହୁଁଛି। ଅବକାରୀ ଦୁର୍ନୀତିକୁ ନେଇ ମୁହାଁମୁହିଁ ହୋଇଥିବା ଆପ୍-ବିଜେପି ଲଢେଇ ଆଗକୁ କି ମୋଡ଼ ନେଉଛି, ଦେଖିବାକୁ ବାକି ରହିଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button