ରାଜନୀତି

ରାଜସ୍ଥାନ ଉପରେ ବିଜେପିର ଛଞ୍ଚାଣ ଆଖି

ଜୟପୁର: ରାଜସ୍ଥାନ କଂଗ୍ରେସରେ ବିବାଦ ଓ ବିଦ୍ରୋହର ପୁରୁଣା ଫର୍ମାଟ୍ ଫେରିଥିବାରୁ ଏହା ଯେତିକି ଅଶ୍ୱସ୍ତିକର କଲାଣି ହାଇକମାଣ୍ଡଙ୍କୁ, ସେତିକି ଆଶ୍ୱସ୍ତ କରୁଛି ପଦ୍ମ କ୍ୟାମ୍ପକୁ। ୨୦୨୦ରେ ଚିତ୍ର ଅଲଗା ଥିଲା। ଏବେ ଚିତ୍ର ଯଦିଓ କିଛି ମାତ୍ରାରେ ସମାନ। ହେଲେ ଗେହଲଟଙ୍କ ଅନୁଗତ ବିଧାୟକଙ୍କ ସଂଖ୍ୟା କେବଳ ବିଦ୍ରୋହ କରିବାକୁ ଯଥେଷ୍ଟ ନୁହେଁ। ବରଂ ଦଳକୁ କ୍ଷମତାଚ୍ୟୁତ କରାଇବାକୁ ବି ଢେର୍। ଆଉ ଏତିକିବେଳେ ସୋସିଆଲ ମିଡ଼ିଆରେ କେହି ଜଣେ ସ୍କୁଟରରେ ବସି ରାଜସ୍ଥାନକୁ ମୁହାଁଇଲାଣି ପୋଷ୍ଟର କଂଗ୍ରେସ ହାତରୁ ରାଜସ୍ଥାନ ଚାଲିଯିବ ବୋଲି ସଙ୍କଟ ଉଠିଲାଣି।

ମୋ ହାତରେ କିଛି ନାହିଁ। ନିଜ ଅନୁଗତ ବିଧାୟକଙ୍କ ସମୂହ ଇସ୍ତଫାକୁ ନେଇ କିଛି ଏଭଳି ଢଙ୍ଗରେ କହି ଏକରକମ ହାତ ଟେକିଦେଇଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ହେଲେ ଏଭଳି ମନ୍ତବ୍ୟ ଓ ଅନୁଗତ ବିଧାୟକଙ୍କ ଆଚରଣ ଏବେ ଗେହଲଟଙ୍କ କ୍ଷମତା ଚୌକି ପ୍ରତି ବିପଦ ଡାକିଆଣିଲାଣି। ସେପଟେ ସୋସିଆଲ ମିଡ଼ିଆରେ ସଚିନ ପାଇଲଟଙ୍କ ପୁରୁଣା ମନ୍ତବ୍ୟ ବେଶ୍ ଭାଇରାଲ କରି ଏହାକୁ କାଉଣ୍ଟର କରିବାରେ ଲାଗିଛନ୍ତି ସଚିନଙ୍କ ସମର୍ଥକ। ଯାହା ଭାଗ୍ୟରେ ଯାହା ଅଛି, ସେ ତାହା ପାଇବ। ଏହାକୁ ଚାହିଁଲେ ବି କେହି ଛଡ଼ାଇ ନେଇପାରିବେନି।

ଯଦିଓ ହାତ ଗଣତି ବିଧାୟକ ଦଳରୁ ଇସ୍ତଫା ଦେବାକୁ ମନା କରିଛନ୍ତି। ଆଉ ହାଇକମାଣ୍ଡଙ୍କ ନିଷ୍ପତ୍ତି ସର୍ବମାନ୍ୟ ବୋଲି କହୁଛନ୍ତି। କିନ୍ତୁ ଏମାନେ ସମସ୍ତେ ପାଇଲଟଙ୍କ ଅନୁଗତ। ପାଇଲଟ ବି କହିଛନ୍ତି, ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ, ତାକୁ ଅପେକ୍ଷା। ରବିବାର ରାତିରେ ଯାହା ଅପ୍ରୀତିକର ସ୍ଥିତି ଥିଲା, ସେ ଉପରେ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାରରେ ସୋନିଆଙ୍କ ନିଷ୍ପତ୍ତି ଆସିବା ଯାଏ ଅସମ୍ଭବ ନୀରବତା ଅବଲମ୍ୱନ କରିବାକୁ ଉଚିତ ମଣିଛନ୍ତି ପାଇଲଟ୍।

ହେଲେ କଂଗ୍ରେସ ଭିତରେ ଓ୍ୱେଟ୍ ଆଣ୍ଡ ଓ୍ୱାଚ୍ ଥିଓରୀ ଜାରି ଥିଲା ବେଳେ ସୋସିଆଲ ମିଡ଼ିଆରେ କେହି ଜଣେ ସ୍କୁଟରରେ ବସି ରାଜସ୍ଥାନ ଆଡ଼କୁ ମାଡ଼ିଆସିଲାଣି କହି ବେଶ୍ ଏହି ଚିତ୍ର ଟ୍ରୋଲ୍ କରୁଛି। ଅମିତ ଶାହାଙ୍କ ଭଳି ଚାଣକ୍ୟ ରାଜସ୍ଥାନ ରାଜନୀତିକ ସଙ୍କଟରୁ ଫାଏଦା ନେବାକୁ ଚାହିଁ ବସିଛନ୍ତି ବୋଲି ଅନେକ ଏହି ଚିତ୍ରରେ କମେଣ୍ଟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ରାହୁଲଙ୍କ ସହ ଗେହଲଟ ଓ ପାଇଲଟଙ୍କ ଫଟୋକୁ ପୋଷ୍ଟ କରି ଅନୁରୋଧ କରିଛନ୍ତି କି, ଆଗ ଆଭ୍ୟନ୍ତରୀଣ ବିଦ୍ରୋହର ସମାଧାନ କର। ତା ପରେ ଭାରତକୁ ଯୋଡ଼ିଲେ ସାଜିବ। ସଂଖ୍ୟା ଗଣିତ ଦେଖିଲେ ଗେହଲଟଙ୍କ ଅନୁଗତ ବିଧାୟକଙ୍କ ସଂଖ୍ୟା ୯୦ ଉପରେ। ଯେଉଁମାନେ ସମୂହ ଇସ୍ତଫା ଦେଇଛନ୍ତି।

ଫଳରେ ୨ଶହ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ୧୦୮କୁ ଖସିଆସିଛି। ଏହା ସହ ସରକାର ଗଢ଼ିବାକୁ ମ୍ୟାଜିକ୍ ନମ୍ୱର ବି ୫୫କୁ ହ୍ରାସ ପାଇଛି। ଏମିତିରେ ଗୃହରେ ବିଜେପି ବିଧାୟକଙ୍କ ସଂଖ୍ୟା ୭୦। ଗେହଲଟ ସରକାର ନିଜ ଅନୁଗତ ବିଧାୟକଙ୍କ ବିଦ୍ରୋହ ଲାଗି ଭାଙ୍ଗିଗଲେ ସରକାର ଅନ୍ୟାୟସରେ ବିଜେପି କରିବାର ସମ୍ଭାବନାକୁ ବି ଏହା ଦୃଢ଼ୀଭୂତ କଲାଣି। ଆଉ ଏହି ମଉକାରୁ ଛକା ମାରିବାରେ ବିଜେପିଠୁ କିଏ ସିଦ୍ଧହସ୍ତ ବୋଲି ସୋସିଆଲ ମିଡ଼ିଆରେ ଭରପୁର ଚର୍ଚ୍ଚା।

ଯଦିଓ ବିଜେପି ବି ଓ୍ୱେଟ୍ ଆଣ୍ଡ ଓ୍ୱାଚ୍ ଥିଏରୀ ଆପଣାଇଛି। କାରଣ ବାଚସ୍ପତି ସିପି ଜୋଷୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ମନସ୍ଥ କରିଥିବା ଗେହଲଟ ଅଡ଼ୁଆରେ ପଡ଼ିଛନ୍ତି। ସଂଖ୍ୟା ଗରିଷ୍ଠ ବଳରେ ରାଜସ୍ଥାନରେ ନୂଆ ସରକାର ଗଢ଼ିବାକୁ ବିଜେପି କୌଣସି ମଉକା ଓ ମୂହୂର୍ତ୍ତ ଅପଚୟ କରିନପାରେ। ରାଜସ୍ଥାନରେ ବିଜେପି କମାଣ୍ଡ ସମ୍ଭାଳୁଥିବା ବସୁନ୍ଧରା ରାଜେଙ୍କ ପାଇଁ ଏହି ବିଦ୍ରୋହ ଆସନ୍ତା ସାଧାରଣ ନିର୍ବାଚନରେ ଭରପୁର ଫାଏଦା ଦେଇପାରେ। ଅବଶ୍ୟ ବସୁନ୍ଧରା ଏ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ଚାହିଁନାହାନ୍ତି।

ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା ପରଠୁ ଗୋଆରେ ୮ କଂଗ୍ରେସ ବିଧାୟକ ବିଜେପିରେ ମିଶିଗଲେ। ରାଜସ୍ଥାନରେ ୯୦ରୁ ଅଧିକ ବିଧାୟକ ସମୂହ ଇସ୍ତଫା ଦେଇ ଦଳକୁ ବଡ଼ ଅଡ଼ୁଆରେ ପକାଇଲେଣି। ଏଭଳି ସ୍ଥଳେ ରାଜସ୍ଥାନ ସଙ୍କଟରୁ ବିଜେପି ଶିବିର ଫାଏଦା ନେବାକୁ ଚାତକ ଭଳି ବସିଛି, ଯାହାକୁ ବିଜେପି ନେତାଏ ମୁହଁରେ କହୁନଥିଲେ ବି ସୋସିଆଲ ମିଡିଆ ଜରିଆରେ ଏହା ଦର୍ଶାଇସାରିଲେଣି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button