ଆଗେ କଂଗ୍ରେସକୁ ଯୋଡନ୍ତୁ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର: କଂଗ୍ରେସର ଭାରତ ଜୋଡ ଯାତ୍ରା । ଓଡିଶାରେ ଏହି ଯାତ୍ରା ପାଇଁ କେନ୍ଦ୍ରରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଏବଂ ଜୟରାମ ରମେଶଙ୍କ ଆଗମନକୁ ନେଇ ବିଜେପିର ଟାର୍ଗେଟ। ପ୍ରଥମେ କଂଗ୍ରେସକୁ ଯୋଡିବାର ପ୍ରକ୍ରିୟା ଆରମ୍ଭ କରନ୍ତୁ ବୋଲି କହିଲା ବିଜେପି ।
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ ଯାତ୍ରା ଚାଲିଛି। ଏହି ଯାତ୍ରାକୁ ୧୨ ଦିନ ହେଲାଣି। ତେବେ ଓଡିଶାରେ ଏହି ଯାତ୍ରା କରିବାକୁ ଦିଗବିଜୟ ସିଂ ଏବଂ ଜୟରାମ ରମେଶ ଦୁଇ ବରିଷ୍ଠ ନେତା ଭୁବନେଶ୍ବରରେ ପହଞ୍ଚିଛନ୍ତି। ରାଜ୍ୟ କଂଗ୍ରେସ ପକ୍ଷରୁ ଏହି ଯାତ୍ରାକୁ ସଫଳ କରିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି। ସେପଟେ, କଂଗ୍ରେସକୁ କେମିତି ଯୋଡି ରଖିବେ ଏହି ଦୁଇ ନେତା? ଫେବିକଲ ଅଠା କୋଉଠି ମିଳିବ ସେଥିପାଇଁ ଉଦ୍ୟମ ଆରମ୍ଭ କରନ୍ତୁ ବୋଲି ବିଜେପି କରିଛି ପ୍ରଶ୍ନ।
କଂଗ୍ରେସକୁ ବହୁ ବରିଷ୍ଠ ନେତା ବାଏବାଏ କରି ଯାଉଛନ୍ତି। ଏପରି ସମୟରେ ରାହୁଲଙ୍କ ଭାରତ ଯୋଡକୁ ବିଜେପି କଟାକ୍ଷ କରିଛି। ଭାରତ ଯୋଡ଼ିବା କାମ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୁଛନ୍ତି । ତାକୁ କଂଗ୍ରେସର କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ସେପଟେ ବିଜେଡି ବି ଚୁପ ବସିନି ଭାରତ ଯୋଡକୁ ନେଇ। ଓଡ଼ିଆରେ ଗୋଟେ କଥା ଅଛି କହି ଦେଉଥାଏ ପରକୁ ବୁଦ୍ଧି ନ ଦିଶଇ ଘରକୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେଳିନ ମହାନ୍ତି । କିଛି ଦିନ ପୂର୍ବେ ଗୁଲମ ନବୀ ଆଜାଦ କହିଥିଲେ ଭାରତ ଯୋଡ ଛାଡି କଂଗ୍ରେସ ଦଳ ଯୋଡ଼ିବାର ଆବଶ୍ୟକତା ରହିଛି। କଂଗ୍ରେସର କେନ୍ଦ୍ରୀୟ ନେତା କଣ କହୁଛି ତାହା ପ୍ରଥମେ ବୁଝାନ୍ତୁ। ସଂଘୀୟ ବ୍ୟବସ୍ଥା ଅନୁଶାରେ ବିଜେଡି କାମ କରୁଛି। ରାଜ୍ୟର ଉନ୍ନତି ପାଇଁ ସମନ୍ଵୟ ଆବଶ୍ୟକତା ରହିଛି । ବିରୋଧୀଙ୍କ ଅଭିଯୋଗର କୌଣସି ମାଇନା ନାହିଁ। ଏମିତିକି ରାଜ୍ୟରେ ହେବାକୁ ଥିବା ଭାରତ ଯୋଡ ଯାତ୍ରାରେ ରାହୁଲ ଗାନ୍ଧୀ ମଧ୍ୟ ଆସୁନାହାନ୍ତି। ଜୟରାମ ରମେଶ ଯେଉଁ ଷ୍ଟେଟମେଂଟ ଦେଉଛନ୍ତି ସେ ନିଜେ ମଧ୍ୟ ବୁଝି ନାହାନ୍ତି। କଂଗ୍ରେସ ପ୍ରଥମେ ତାର 2 ପ୍ରତିଶତ ଭୋଟକୁ ରଖୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେଳିନ ମହାନ୍ତି ।