କଂଗ୍ରେସ ଅଧ୍ୟକ୍ଷ ରେସ…

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦରେ କିଏ ବସିବେ। ଗାନ୍ଧୀ ପରିବାରରୁ ଅନ୍ତତଃ ଏଥର ନୁହେଁ। ଆପାତତଃ ଏଭଳି ସ୍ପଷ୍ଟ ସଙ୍କେତ ମିଳିସାରିଛି। ରାହୁଲ ଗାନ୍ଧୀ ନିଜ ଆଡ଼ୁ ମନା କରିବା ଓ ଗେହଲଟଙ୍କ ମୁହଁରେ ବି ଏଭଳି ସ୍ୱୀକାରୋକ୍ତି ସ୍ପଷ୍ଟ କରିଦେଇଛି କି, ଗେହଲଟ ହିଁ ନିର୍ବାଚନ ଲଢ଼ିବା ଥୟ। ତେବେ ଗେହଲଟଙ୍କ ସମେତ ଅଧ୍ୟକ୍ଷ ପଦ ଲାଗି ଆଶାୟୀଙ୍କ ସଂଖ୍ୟା ବଢ଼ୁଥିଲା ବେଳେ ଏଥର ସହମତିରେ ନା ନିର୍ବାଚନ ହେବ, ତାକୁ ନେଇ କଳ୍ପନାଜଳ୍ପନା ବି ଲାଗିରହିଛି।
ନିର୍ବାଚନ ଲଢିବେନି ବୋଲି ସ୍ପଷ୍ଟ କରିଦେଇଛନ୍ତି ରାହୁଲ ଗାନ୍ଧୀ। କିନ୍ତୁ ତା ସହ ଅଧ୍ୟକ୍ଷ ନିର୍ବାଚନ ଲାଗି ପ୍ରମୁଖ ଦାବିଦାରଙ୍କୁ ବି ଓ୍ୱାନ ମ୍ୟାନ୍ ଓ୍ୱାନ୍ ପୋଷ୍ଟ ନିଷ୍ପତ୍ତିର କଥାକୁ ସ୍ମରଣ କରାଇଦେଇଛନ୍ତି। ଭାରତ ଯୋଡ଼ ଯାତ୍ରା ଅବସରରେ କେରଳରୁ ଅଧ୍ୟକ୍ଷ ପଦ ଲାଗି ଆଶାୟୀଙ୍କ ଉଦେଶ୍ୟରେ ଅନେକ ପରାମର୍ଶ ବି ଦେଇଛନ୍ତି ଖବରଦାତା ସମ୍ମିଳନୀରେ। କଂଗ୍ରେସ ଅଧ୍ୟକ୍ଷ କେବଳ ଏକ ସାଂଗଠନିକ ପଦ ନୁହେଁ। ଏହା ବିଚାରଗତ ପଦ। ରାଜସ୍ଥାନର ଉଦୟପୁର ଚିନ୍ତନ ଶିବିରରେ ନିଆଯାଇଥିବା ନିଷ୍ପତ୍ତି ଆଧାରରେ ହିଁ ଏହି ପ୍ରତିଶୃତି ଓ ପ୍ରତିବଦ୍ଧତା ବଜାୟ ରଖିବାକୁ କହିଥିଲେ ରାହୁଲ। ଯିଏ ବି ଅଧ୍ୟକ୍ଷ ହୁଅନ୍ତୁ ନା କାହିଁକି, ଏହି ପଦ ଅନେକ ବିଚାରଧାରା, ଆସ୍ଥାର ବ୍ୟବସ୍ଥା ଓ ଦେଶ ପାଇଁ ଦୂରଦୃଷ୍ଟିର ପ୍ରତିନିଧିତ୍ୱ କରିଥାଏ।
ତେବେ ଏଭଳି ଖାସ୍ ପରାମର୍ଶ ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉଦେଶ୍ୟରେ ଥିଲା, ତାହା କାହାରିକୁ ବୁଝିବା ବାକି ନଥିଲା। କାରଣ ଅଧ୍ୟକ୍ଷ ପଦ ଲାଗି ସବା ଆଗରେ ଥିବା ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ଯୋଜନା କରିଥିଲେ। କୌଣସିମତେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି ଗେହଲଟ। ଆଉ ରାହୁଲଙ୍କ ଏହି ଇସାରା ପରେ ଏବେ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବେ ବୋଲି ଯଦିଓ ସ୍ପଷ୍ଟ କରିଛନ୍ତି ଗେହଲଟ। ଆଉ କହିଛନ୍ତି ଯେ, ବାରମ୍ୱାର ରାହୁଲଙ୍କୁ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ଅନୁରୋଧ ସତ୍ତ୍ୱେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିବାରୁ ସେ ଅଧ୍ୟକ୍ଷ ନିର୍ବାଚନ ଲାଗି ନାମାଙ୍କନ ଭରିବେ। ଏବେ ଦେଶର ଯାହା ପରିସ୍ଥିତି, ସୁଦୃଢ଼ ବିରୋଧୀ ଦଳର ଆବଶ୍ୟକତା ଅଛି।
ହେଲେ ଗେହଲଟଙ୍କ ସହ ଅନ୍ୟତମ ଦାବିଦାର ଅଛନ୍ତି ଶଶୀ ଥରୁର୍। ଶଶୀ ଥରୁର ପ୍ରଥମ ବ୍ୟକ୍ତି ଯିଏ ନିଜ ଆଡ଼ୁ ଅଧ୍ୟକ୍ଷ ପଦ ଲାଗି ଲଢ଼ିବେ ବୋଲି ମନସ୍ଥ କରିଛନ୍ତି। ଏହା ପରେ ପରେ ମନୀଷ ତିଓ୍ୱାରୀ, ଦିଗବିଜୟ ସିଂ, ମଲ୍ଲିକାର୍ଜୁନ ଖଡଗେଙ୍କ ନାଁ ବି ଆଶାୟୀଙ୍କ ତାଲିକାରେ ଯୋଡ଼ି ହୋଇସାରିଲାଣି। ଯଦିଓ ଗେହଲଟ ଓ ଥରୁରଙ୍କ ଭିତରେ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ରାହୁଲଙ୍କ ଅନାଗ୍ରହ ପରେ ଯେଉଁମାନଙ୍କ ନାଁ ରେସ୍ରେ ରହିଛି, ସେମାନେ ବି ନିର୍ବାଚନ ଲଢିପାରନ୍ତି। ଏମିତିରେ ଦଳର ବରିଷ୍ଠ ନେତା କେ.ସି.ବେନୁଗୋପାଳ ସୋନିଆଙ୍କ ଜରୁରୀକାଳୀନ ଡାକରା ପାଇ ଦିଲ୍ଲୀରେ ଭେଟିସାରିବା ପରେ କହିଥିଲେ କି, ଯିଏ ଚାହିଁବ ଅଧ୍ୟକ୍ଷ ନିର୍ବାଚନ ଲଢ଼ିପାରିବ। ଏଥିରେ କୌଣସି ପ୍ରତିବନ୍ଧକ ନାହିଁ। ପୁରା ସ୍ୱଛତାର ସହ ନିର୍ବାଚନ ହେବ। ଅନ୍ୟତମ ନେତା ଜୟରାମ ରମେଶ ବି ସମାନ କଥା କହିଥିଲେ।
ଅଧ୍ୟକ୍ଷ ନିର୍ବାଚନ ଲାଗି ବିଜ୍ଞପ୍ତି ଜାରି ସରିଛି। ଗେହଲଟ ଲଢ଼ିବା ସ୍ପଷ୍ଟ ହୋଇସାରିଛି। ସେପେଟ ଥରୁରଙ୍କ ସମେତ ଆଉ ଯେଉଁ ନେତାଙ୍କ ନାଁ ଚର୍ଚ୍ଚାରେ ଅଛି, ସେମାନେ ନାମାଙ୍କନ ଦାଖଲ କରୁଛନ୍ତି ନା ନାହିଁ, ସମୟ କହିବ। ସେ ଯାହା ବି ହେଉ ପ୍ରଥମ ଥର ଗାନ୍ଧୀମୁକ୍ତ କଂଗ୍ରେସର ନେତୃତ୍ୱ ଫର୍ମାଟ୍କେତେଦୂର ପ୍ରତିଫଳିତ ହେବ, ଦେଖିବାକୁ ରହିଲା।
ପ୍ରଦୀପ ନାୟକଙ୍କ ରିପୋର୍ଟ