ଆଜାଦଙ୍କୁ ଫାରୁକଙ୍କ ଖୋଲା ଅଫର

ଶ୍ରୀନଗର: ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ ସବୁ ଦଳ ପକ୍ଷରୁ ତାଙ୍କ ଉପରେ ଆଖି। ସମସ୍ତେ ନିଜ ଦ୍ବାର ଖୋଲିଦେଇଛନ୍ତି ଆଜାଦଙ୍କ ପାଇଁ। ଏଥିରୁ ବାଦ ପଡିନି ଜମ୍ମୁର ନାସନାଲ କନଫେରେନ୍ସ ଦଳ। ନାସନାଲ କନଫେରେନ୍ସ ନେତା ଫାରୁକ ଅବ୍ଦୁଲ୍ଲା ନିଜ ପ୍ରତିକ୍ରିୟାରେ ବର୍ଷିଛନ୍ତି କଂଗ୍ରେସ ସୁପ୍ରିମଙ୍କ ଉପରେ। ଏଥିସହ ସେ ଗୁଲାମଙ୍କୁ ନିଜ ସହ ସାମିଲ କରିବାକୁ ଦେଇଛନ୍ତି ଖୋଲା ଅଫର।
ଫାରୁକ ଅବଦୁଲ୍ଲା ଗୁଲାମଙ୍କ କଂଗ୍ରେସ ଛାଡିବା ପରେ ବର୍ଷିଛନ୍ତି କଂଗ୍ରେସ ନେତୃତ୍ବଙ୍କ ଉପରେ। ସେ କହିଛନ୍ତି, ଯିଏ ବିଶ୍ବବିଦ୍ୟାଳୟରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଆପଣଙ୍କ ସହ ଠିଆହୋଇଥିଲେ ତାଙ୍କୁ ଆଜି ଦଳ ଛାଡିବାକୁ ପଡୁଛି। ସେ କଂଗ୍ରେସ ସହ ଦେଶ ଗଠନରେ କାମ କରିଛନ୍ତି।। ସେ ଖାଲି କଂଗ୍ରେସର ନେତା ନ ଥିଲେ, ଥିଲେ ଗାନ୍ଧୀ ପରିବାରର ଏକ ଅଂଶ। ଇନ୍ଦୀରା ଗାନ୍ଧୀଙ୍କଠାରୁ ରାହୁଲ ଗାନ୍ଧୀଙ୍କ ପର୍ଯ୍ୟନ୍ତ ଏମିତି କି ସୋନିଆଙ୍କର ନିକଟତର ଥିଲେ।
ଫାରୁକ ଆହୁରି କହିଛନ୍ତି କି, ମୁଁ ଏତିକି କହିପାରେ ରାହୁଲଙ୍କ କଡରେ ଏମିତି କେହି ଏମିତି ଲୋକ ବସିଛି ଯିଏ ଦଳର କ୍ଷତି କରିବାକୁ ଚାହୁଁଛି। ସେ ନାହିଁ କେବଳ ରାହୁଲଙ୍କୁ ଭୁଲ ରାୟ ଦେଉଛନ୍ତି, ବରଂ କଂଗ୍ରେସକୁ ଶେଷ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ଜି-୨୩କୁ ଅଣଦେଖା କରାଯାଉଛି। ଏହି ଲୋକମାନେ ପାର୍ଟିରେ ସୁଧାରକୁ ନେଇ ଏକ ସାଧାରଣ ଚିଠି ଲେଖିଥିଲେ। ଚିଠିରେ ଲୋକତନ୍ତ୍ର ଓ ସୁଧାର ପାଇଁ କହିଥିଲେ। ସଂଗଠନ ନିର୍ବାଚନର ଦାବି କରିଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ପୂରା ହୋଇପାରି ନାହିଁ।
ଫାରୁକ ପରବର୍ତ୍ତୀ ପ୍ରସଙ୍ଗରେ କହିଛନ୍ତି କି, ଆଜି ଦେଶକୁ ଏକ ମଜବୁତ ବିପକ୍ଷର ଆବଶ୍ୟକତା ରହିଛି, ଯିଏ ସରକାରକୁ ନିୟନ୍ତ୍ରଣ କରିପାରିବ। ଯଦି ଭାରତକୁ ଆଗେଇ ନେବାର ଅଛି ତେବେ କଂଗ୍ରେସ ନିଜକୁ ମଜବୁତ କରିବାର ଆବଶ୍ୟକତା ରହିଛି।